Sunday, 20 April 2025

ଜୀବନ ଜଟିଳ ଓ ମଣିଷ ପରିସ୍ଥିତିର ଦାସ

 ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡ଼ିକର ସଙ୍କଳନ

ଓଡ଼ିଆ ଓଳିଆ: କଟକକୁ ଛାଡ଼ି ଓଡ଼ିଶା ବା ଓଡ଼ିଆର ପରିକଳ୍ପନା ଅସମ୍ଭବ

odiaolia.blogspot.com/2025/04/blog-p

ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡ଼ିକର ସଙ୍କଳନ।

ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡ଼ନ କରିବାକୁ ଅନୁରୋଧ।

ତୁଷାର ନାଥ ମହାପାତ୍ର, ଏସ.ଆର.ଏ.-୧ ୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ୍, ଗାଜିଆବାଦ - ୨୦୧୦୧୪ ଉତ୍ତର ପ୍ରଦେଶ। ଫୋନ୍: ୯୬୫୦୦-୬୫୬୩୬

ପିଲାଦିନେ ଆମ ଘରେ ଦି ହଳ ବଳଦ, ତିନି ଚାରୋଟି ଗାଈ ଓ ସେତିକି ବାଛୁରୀ ଥିଲେ। ତାଛଡ଼ା କୁକୁର, ବିଲେଇ, ଓ ଶୁଆ। ଆମ ଖାଇବା ପିଇବା ସାଙ୍ଗରେ ସେମାନଙ୍କ ଖାଦ୍ୟ ପେୟ ବ୍ୟବସ୍ଥା ବି ଆମ ଜୀବନର ଅଙ୍ଗ ଥିଲା। ସେମାନଙ୍କର ଦେଖାରଖା କରୁଥିବା ଚାକର ବାକର ମଧ୍ୟ ଏକପ୍ରକାର ପରିବାରର ଅଂଶ ଥିଲେ। ଗହ୍ମା ପୂନେଇଁ ଦିନ ବଳଦ ମାନଙ୍କର ପୂଜା କରାଯାଉଥିଲା।

କୋଉଟା ଭଲ ଓ କୋଉଟା ଖରାପ ତାର ବାଛ ବିଚାର କେମିତି ହେବ? ପାଞ୍ଚ ବର୍ଷ ବେଳୁ ମଣିଷ କହୁଛି ମୁଁ ଯାହା ଜାଣିଛି ତା ଠିକ। ଅବଶ୍ୟ ଶିକ୍ଷା ମାଧ୍ୟମରେ ତଥା ସାହିତ୍ୟ ଓ ସିନେମା ଦ୍ବାରା ସେ ଅନେକ କିଛି ଶିଖୁଛି। କିନ୍ତୁ ନୀତିଶାସ୍ତ୍ର ହେଲା ଦର୍ଶନ ଶାସ୍ତ୍ରର ଗୋଟିଏ ଶାଖା ଯାହା କଲେଜରେ ବିଏ କୋର୍ସ ଅନ୍ତର୍ଗତ। ତାକୁ ନପଢ଼ି, ଠିକ ଭୁଲ ହୋଇପାରେ।

ନିଜେ ଭଲ ଜାଗାରେ ଥାଇ କେତେକ ଗାଁର ଲୋକମାନେ କାହିଁକି ଚାଷ କରୁନାହାନ୍ତି ବା ମଦ ପିଉଛନ୍ତି ବୋଲି ସମାଲୋଚନା କରୁଛନ୍ତି। ମାନେ ଯିଏ ମୂଲିଆ ଥିଲେ ସେମାନେ ମୂଲିଆ ହୋଇ ରହିଥାନ୍ତୁ। ମଦ ପିଇବାର ଅଧିକାର ତାଙ୍କର ଆସିଲା କୋଉଠୁ? ଏପରି ମାନସିକତା ଉପଯୁକ୍ତ ଶିକ୍ଷା ଓ ସହାନୁଭୂତି ଅଭାବରୁ ଘଟୁଛି। ବ୍ୟକ୍ତି ସ୍ୱାଧୀନତାର ମର୍ମକୁ ବୁଝିବା ଦରକାର।

ଦୁଇ ଘଣ୍ଟା ଭିତରେ ଦୁଇଟି ବହି - ନରସିଂହ ସାହୁଙ୍କ ଝଡ଼ର କବରୀ ଓ ପଦ୍ମଜ ପାଳଙ୍କ ପାପ ପରି ନିଜର - ଗଡ଼େଇ ଦେଇ ଗଲି। ଅନେକ ଦିନରୁ ତ ପଢ଼ାପଢ଼ି ନାହିଁ କିନ୍ତୁ ଏପରି ହାଲୁକା ଧରଣର ଲେଖା ପଢ଼ି ବିସ୍ମିତ ତଥା ନିରାଶ ହେଲି। ବୋଧହୁଏ ଓଡ଼ିଆ ପାଠକକୁ ଟିକେ ଦେଶ ବିଦେଶ ବୁଲାଇ ଦେଲେ ସେଇଟା ହିଁ ସବୁଠାରୁ ବଡ଼ ଉପଲବ୍ଧି। ନହେଲେ ନାରୀ ଅଙ୍ଗ ଶୋଭା।

ଯିଏ ଗାଆଁ ଜୀବନ ସହିତ ପରିଚିତ ସିଏ ନିଶ୍ଚୟ ମାଟିର ମଣିଷ ଦ୍ବାରା ପ୍ରଭାବିତ ହେବ। ପିଲାଦିନେ ଆମ ଚାରିପଟେ ଭାଇଭାଗକୁ ନେଇ କଳି ତକରାଳ ଲାଗି ରହୁଥିଲା ତେଣୁ ଉପନ୍ୟାସଟି ଗଭୀର ରେଖାପାତ କରିଥିଲା ଯାହା ଆଜି ବି ବଳବତ୍ତର ରହିଛି। କିନ୍ତୁ ଆଜିକାଲିର ସହରି ସଭ୍ୟତାରେ ସେହି ଆଦର୍ଶର ପ୍ରାସଙ୍ଗିକତା ଆଉ ପ୍ରାୟ ନାହିଁ। କିନ୍ତୁ ସଜୀବ ସାହିତ୍ୟ।

ସେତେବେଳେ ଆମେ ବୁଝି ପାରୁନଥିଲୁ, କିନ୍ତୁ କାନ୍ଥବାଡ଼ରେ ଲାଲ ତ୍ରିକୋଣ ଓ ନିରୋଧର ବଡ଼ ବଡ଼ ବିଜ୍ଞାପନ ଚାରିଆଡ଼େ ଦେଖିବାକୁ ମିଳୁଥିଲା। ଜନସଙ୍ଖ୍ୟା ବିଷ୍ଫୋରଣକୁ ରୋକିବା ପାଇଁ ନେତାମାନେ ଭାଷଣ ଦେଉଥିଲେ। ସଂସାର କଥାଚିତ୍ର ମଧ୍ୟ ସେହି କଥାବସ୍ତୁ ଉପରେ। ଏବେ କିନ୍ତୁ ମୁଖ୍ୟମନ୍ତ୍ରୀମାନେ ଅଧିକା ପିଲା ଜନ୍ମ କରିବା ପାଇଁ ଅନୁନୟ କରୁଛନ୍ତି।

ବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଅବଦାନ ହେଲା ଅନିଶ୍ଚିତତା। କ୍ବାଣ୍ଟମ ତତ୍ତ୍ବ ଯୋଗେ ବିଜ୍ଞାନରେ ପ୍ରବେଶ କଲା ଏବଂ ମନୋବିଜ୍ଞାନ, ସମାଜଶାସ୍ତ୍ର, ଓ ଦର୍ଶନ ଆଦି କ୍ଷେତ୍ରକୁ ବ୍ଯାପିଲା। ସାହିତ୍ୟ ତ ସବୁଠାରୁ ବେଶୀ ଆକ୍ରାନ୍ତ ହେଲା। କୌଣସି ଜିନିଷକୁ ନିର୍ଦ୍ଦିଷ୍ଟ ସତ୍ଯ ଭାବରେ ଗ୍ରହଣ କରିନେଇଯିବାର ଅବକାଶ ଆଉ ରହିଲା ନାହିଁ। ପାଠକ ହିଁ ସବୁ।

ସୃଷ୍ଟିର ରହସ୍ୟ, ଭଗବାନଙ୍କ ରହସ୍ୟ, ଜୀବନର ରହସ୍ୟ, ବା ଅର୍ଥନୀତିର ରହସ୍ୟ ସମ୍ପର୍କରେ ଆଜି ପର୍ଯ୍ୟନ୍ତ କିଛି ସଠିକ ଭାବେ ଜଣାପଡ଼ିନାହିଁ। ସବୁ ମଣିଷର ସୀମିତ ଜ୍ଞାନ ତଥା କଳ୍ପନା ଉପରେ ପର୍ଯ୍ୟବେସିତ। କେବଳ ଅତିମାନସ ଚେତନାର ଅବତରଣ ଦ୍ବାରା ହିଁ ଏକ ନୂତନ ଜୀବନ ଓ ଏକ ନୂତନ ସମାଜର ସମ୍ଭାବନା ରହିଛି ବୋଲି ଶ୍ରୀମାଶ୍ରୀଅରବିନ୍ଦ କହିଛନ୍ତି।

ନୀତିଶାସ୍ତ୍ର ପରି ସୌନ୍ଦର୍ଯ୍ୟବୋଧ ବା ରସାନୁଭବ ମଧ୍ୟ ଦର୍ଶନ ଶାସ୍ତ୍ରର ଅନ୍ୟ ଏକ ଶାଖା। ସାଧାରଣ ଭାବରେ ଆମକୁ ଯାହା ଭଲଲାଗେ ତାକୁ ଆମେ ଭଲ ବୋଲି କହୁ କିନ୍ତୁ କଥାଟା ଏତେ ସହଜ ନୁହେଁ। ସମାଜର ବିଭିନ୍ନ କଟକଣା ବା କୋଉଟା ଭଦ୍ରୋଚିତ, ଏହିପରି ପ୍ରଶ୍ନ ସବୁ ଅଡ଼ୁଆରେ ପକାନ୍ତି। ତାପରେ କଣ ଯଥାର୍ଥ ଆନନ୍ଦ ଦେଇପାରିବ ତାକୁ ଖୋଜିବା ପାଇଁ ହୁଏ।

ଆଗରୁ ବନ୍ଦରକୁ କେନ୍ଦ୍ର କରି ବଡ଼ ବଡ଼ ସହରମାନ ଗଢ଼ିଉଠୁଥିଲା କାରଣ ନୌବାଣିଜ୍ୟ ଥିଲା ଧନ ଅର୍ଜନର ଉତ୍ସ। ଧନ ସହିତ ନୈତିକତାର ଯେ ଅଧପତନ ହୁଏ ତାର ମଧ୍ୟ ସାମାଜିକ ସ୍ବୀକୃତି ଥିଲା। କେତେକ ଦେଶରେ ଆଜି ବି ସେହିଭଳି ପରିବେଶ ବଞ୍ଚି ରହିଛି। ନହେଲେ ପର୍ଯ୍ୟଟନ ଶିଳ୍ପର ବିକାଶ ଘଟିବା ଅସମ୍ଭବ। ଓଡ଼ିଶାରେ ଯାହାହେଉ ବୋଇତ ବନ୍ଦାଣ ରୀତି ଚାଲିଛି।

ସାତ ଜଣ ଅନ୍ଧ ଗୋଟିଏ ହାତୀ ଦେହରେ ହାତ ମାରି ଭିନ୍ନ ଭିନ୍ନ କଳ୍ପନା କରିବାର ଗଳ୍ପଟି ସମସ୍ତେ ଜାଣନ୍ତି। ଦର୍ଶନ ଶାସ୍ତ୍ର ଦୃଷ୍ଟିକୋଣରୁ ଏହାର ବିଶେଷ ମହତ୍ତ୍ବ ରହିଛି କାରଣ କୌଣସି ଜିନିଷର ସ୍ବରୂପ ଜାଣିବା ସହଜ ନୁହେଁ। ଜୈନ ଦର୍ଶନର ସ୍ଯାଦବାଦ ବା ସପ୍ତଭଙ୍ଗୀନ୍ଯାୟ ଏକ ଅନୁରୂପ ତତ୍ତ୍ବ ଯେଉଁଥିରେ ସତ୍ଯର ସାତୋଟି ବିଭିନ୍ନ ପ୍ରକାରଭେଦ ଥାଏ।

ରାଜନୈତିକ ଦଳମାନେ ନିଜର ଗୋଟିଏ ମତବାଦ ପ୍ରଚାର କରି ସମର୍ଥକ ଯୋଗାଡ଼ କରନ୍ତି ଓ ଭୋଟ ମାଗନ୍ତି। କିନ୍ତୁ ସେ ମତବାଦରେ କେତେ ଦୂର ସତ୍ଯତା ରହିଛି ତାହା ବିଚାର କରିବା ସାଧାରଣ ଲୋକଙ୍କ ପକ୍ଷରେ ସମ୍ଭବ ହୁଏନାହିଁ। ସାମ୍ବାଦିକମାନେ ମଧ୍ୟ ଟଙ୍କା ନେଇ କଳାକୁ ଧଳା ବୋଲି କୁହନ୍ତି। ଏପରି ପରିସ୍ଥିତିରେ, ପ୍ରତ୍ୟେକ ନାଗରିକ ସଚେତନ ହେବା ଆବଶ୍ୟକ।

ବ୍ଯାରାକପୁରରେ ବସି ଖାଇଲାବଳେ ଭାବୁଥିଲି କେମିତି ଏଇ ଜାଗାଗୁଡି଼କର ଛତ୍ରେ ଛତ୍ରେ ଇତିହାସ ଖୁନ୍ଦି ହୋଇ ରହିଛି। ଏକ ଦିଗରେ ଇଙ୍ଗ୍ରେଜମାନଙ୍କ ଉନ୍ନତିମୂଳକ କାର୍ଯ୍ୟ ଓ ଅନ୍ୟ ଦିଗରେ ସାଧାରଣ ଲୋକଙ୍କର ସ୍ବାଧୀନତା ପାଇଁ ପିପାସା। ବ୍ଯାରାକପୁରକୁ ଏକ ଛୋଟ କଲକାତା ଭାବରେ ନିର୍ମାଣ କରାଯାଇଥିଲା। ଆଜି ସେଠି ଗୋଟିଏ ବିସର୍ଜନ ଶୋଭାଯାତ୍ରା ଚାଲିଥିଲା।

୧୯୬୯ ମସିହାରେ ଇନ୍ଦିରା ଗାନ୍ଧୀ ବ୍ଯାଙ୍କ ଜାତୀୟକରଣ କରିଥିଲେ ବୋଲି ମୁଁ ୧୯୭୭ରେ ସୁନ୍ଦରଗଡ଼ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ କିରାଣୀ ଚାକିରି ପାଇଥିଲି। ଯଶୱନ୍ତ ସିହ୍ନା କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲାବେଳେ ବ୍ୟାଙ୍କରେ ଭିଆରଏସ ସ୍କିମ ଆସିବାରୁ ୨୦୦୦ ମସିହାରେ ମୁଁ ସ୍ବେଚ୍ଛାକୃତ ଅବସର ଗ୍ରହଣକରି ନିଜ ମନ ମୂତାବକ ଜୀବନ ଯାପନ କରି ପାରିଲି।

ବ୍ଯାରାକପୁର ପରି, କଲ୍ୟାଣୀ ମଧ୍ୟ କଲକାତାର ଭିଡ଼ରୁ ତ୍ରାହି ପାଇବା ପାଇଁ ଏକ ସହର ଭାବରେ ନିର୍ମାଣ କରାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡଃ ବିଧାନଚନ୍ଦ୍ର ରାୟ ଏହାର ପୃଷ୍ଠପୋଷକ ଥିଲେ। କିନ୍ତୁ ସତୁରି ବର୍ଷ ପରେ ମଧ୍ୟ ସେମିତି କିଛି ଆଖିଦୃଶିଆ ଉନ୍ନତି ହୋଇଥିବାର ଦେଖିବାକୁ ମିଳେନାହିଁ। ମୁଁ ପ୍ରାୟ ପ୍ରତିଦିନ ଟ୍ରେନରେ ଅତିକ୍ରମ କରେ।

ଆମ ଗାଆଁକୁ ଥରେ ଯିଏ ଆସିଛି ଭଲ ଗୀତଟିଏ। ନାୟକ ପ୍ରବେଶ କରୁଛନ୍ତି, ନାୟିକା ସଖିମାନଙ୍କ ମେଳରେ ନାଚୁଛନ୍ତି, ଆମ୍ବ ପାରୁଛନ୍ତି, ଓ ଗାଧୋଉଛନ୍ତି। ଆକର୍ଷଣୀୟ ଦୃଶ୍ୟବନ୍ଧ ନିଶ୍ଚୟ। କିନ୍ତୁ ଲାଗିଲା ମେଲୋଡ଼ିରେ କୋଉଠି ଟିକେ କିଛି ବକ୍ରଗତି ରହିଯାଇଛି। ଯାହାହେଉ, ୧.୨୫ ବେଗରେ ଶୁଣିଲି; ଆଉ ବେଶି ବାରି ହେଲାନି।

ମାସାନ୍ତ ପରେ ସଙ୍କ୍ରାନ୍ତି ଆସେ ଓ ଏକ ନୂଆ ସୌର ମାସ ଆରମ୍ଭ ହୁଏ କିନ୍ତୁ ପଶ୍ଚିମବଙ୍ଗରେ ସଙ୍କ୍ରାନ୍ତି ପରଦିନ ଠାରୁ ନୂଆ ମାସ ଆରମ୍ଭ ହୁଏ। ସେହି ଅନୁସାରେ ଆଜି ପଏଲା ବୈଶାଖ ଓ ନବବର୍ଷ ପାଳିତ ହେଉଛି। କିନ୍ତୁ ଚାନ୍ଦ୍ରମାସ ହିସାବରେ ବୈଶାଖ ତ ପୂର୍ଣ୍ଣମୀ ପରଦିନ ପଡ଼ିବା କଥା। ତା ରହସ୍ୟ ମୋତେ ଜଣା ନାହିଁ। ପୁଣି ଏକ ସରକାରୀ ପାଞ୍ଜି ଅଛି।

ହୀରାକୁଦ ବୁଲି ସାରିବା ପରେ, ମହାନଦୀର ଦୃଶ୍ୟ ଦେଖିବି ବୋଲି ଥରେ ସମ୍ବଲପୁରରୁ ହୁମା ଗଲି। ସେଠୁ ଗଲି ସୁବର୍ଣ୍ଣପୁର। ତାପରେ ବୌଦ୍ଧ। ବେଳ ବୁଡ଼ି ଯିବାରୁ, ରେଢ଼ାଖୋଲ ପଟେ ହୋଇ ଫେରିଲି। ଏପଟୁ ତ ବାଙ୍କୀ ଯାଏ ଯାଇଛି। ମଝିତକ ବାକି ରହିଯାଇଛି। ଅକ୍ଷୟ ମହାନ୍ତିଙ୍କ ଗୀତରେ କଣ୍ଟିଲୋ ନୀଳମାଧବଙ୍କ ଉଲ୍ଲେଖ ରହିଛି। କେବେ ଯୋଗ ପଡ଼ୁଛି ଦେଖାଯାଉ।

ପିଲାଦିନେ ଚିନ୍ତାଧାରା ଗାଆଁ ଓ କଟକ ଭିତରେ ସୀମିତ ଥିଲା। ରିଜିଓନାଲ କଲେଜରେ ବିଭିନ୍ନ ପ୍ରଦେଶର ସହପାଠୀ ଓ ଅଧ୍ଯାପକ ଏକ ନୂତନ ପରିବେଶ ସୃଷ୍ଟି କଲେ। ତାଛଡ଼ା ଭୁବନେଶ୍ବରର ସାଂସ୍କୃତିକ ସମ୍ପଦ। ଚାକିରି ସୁନ୍ଦରଗଡ଼ ପଠାଇଦେଲା। ତାପରେ ଦିଲ୍ଲୀ। ଏବେ ପଶ୍ଚିମବଙ୍ଗରେ। ଏମିତି ଅଭିଜ୍ଞତାର ପରିସର ବଢ଼ି ବଢ଼ି ଚାଲିଛି। ମନ ପରିବ୍ଯାପ୍ତ ହୋଇଛି।

ଓଡ଼ିଆ ସାଂସ୍କୃତିକ ଜଗତର ପ୍ରାୟ ସବୁ ବଡ଼ ବଡ଼ ଲୋକ ସେତେବେଳେ କଟକରେ ରହୁଥିଲେ। ଆମ ଯିବା ଆସିବା ବାଟରେ କେତେକଙ୍କ କୋଠା ଥିଲା। ନହେଲେ ବଡ଼ ଭାଇଙ୍କ ସାଇକେଲ ଆଗରେ ବସି ବୁଲି ଗଲାବେଳେ ସେ ଏଇଟା ୟାଙ୍କ ଘର ବା ତାଙ୍କ ଘର ବୋଲି ଚିହ୍ନାଇ ଦେଉଥିଲେ। ମଧୁପୁରର ବିଶିଷ୍ଟ ସଙ୍ଗୀତଜ୍ଞ ଶ୍ଯାମସୁନ୍ଦର ଧୀରଙ୍କ ଡଗରପଡ଼ା ବସାରେ ଆମେ ଭଡ଼ାରେ ଥିଲୁ।

କିଏ ଗୋ ଆଜି ଆସିଚି ଏ ଫଗୁଣ... ଦିନେ।

କଣ୍ଠଶିଳ୍ପୀ: ରୋଜାଲିନ

ସ୍ଵର ସଂଯୋଜନା: ନିରାକାର ଦାଶ

ଗୀତ ରଚନା: କୃଷ୍ଣ ପ୍ରସାଦ ବେହେରା

ତତ୍ତ୍ଵାବଧାନ: ଯଦୁନାଥ ପଣ୍ଡା

ପେନସନ ପାଇଁ ବର୍ଷକୁ ଥରେ ବଞ୍ଚିଥିବାର ପ୍ରମାଣ ଦେବାକୁ ପଡ଼େ। ଏଠି କିନ୍ତୁ ପ୍ରତିଦିନ। ଦି ଧାଡ଼ି ଲେଖିଲେ ତ କିଏ ଟିକେ ମନେ ପକାଇବେ। ତାପରେ ମସ୍ତିଷ୍କକୁ କାର୍ଯ୍ୟକ୍ଷମ ରଖିବାକୁ ହେବ ନହେଲେ ବିଚାରା କୋଉଦିନ ସବୁ ପାଶୋରି ଦେବ। ତେଣୁ କୁହାଯାଏ ଯେ, ନିଜର ଘତ ପଡ଼ିଥିବା ରାସ୍ତା ଛାଡ଼ି ମଝିରେ ମଝିରେ ଟିକେ ନୂଆ ବାଟ ବି ଚିହ୍ନିବା ଦରକାର।

ନିମ୍ନଲିଖିତ ଟୁବ ଗୁଡ଼ିକ ଦରାଣ୍ଡିଲେ କିଛି ପାଇବାର ସମ୍ଭାବନା ଅଛି। 

youtube.com/@suhasmohanty3

youtube.com/@laxminarayanm

youtube.com/@navrangmusica

youtube.com/@manassau6914?…

youtube.com/@tusarnathmohapatra

ଜଣେ ଗୋଟିଏ ଭଲ କଥା କହିଛନ୍ତି। ଦର୍ଶନ ଶାସ୍ତ୍ର ଗୋଟିଏ ଅସୁବିଧାଜନକ ପାଠ କାରଣ ଅନେକ ସମୟରେ ନିଜର ପୁରୁଣା ଓ ପ୍ରିୟ ମତକୁ ଫିଙ୍ଗି ଦେବାକୁ ହୁଏ। କୌଣସି ଏକ ବିଷୟରେ ପ୍ରବନ୍ଧଟିଏ ଲେଖିଲେ ନୂଆ ଯୁକ୍ତି ବାଢ଼ିବାପାଇଁ ପଡ଼େ, ଓ ତଦ୍ଦ୍ଵାରା ଦୀର୍ଘ କାଳର ବିଶ୍ବାସ ଉପରେ ଧକ୍କା ଲାଗେ। ତେଣୁ ରଚନା ଲେଖିବା ଦରକାର।

rainbowther.blogspot.com/2025/04/writin

ଏଇଟା କଣ ଆପଣଙ୍କ ଲେଖା? ଖୁବ ଭଲ ହୋଇଛି। କଇଁଚ ଓ ଠେକୁଆ ଗପ ତ ପ୍ରାୟ ସମସ୍ତେ ଜାଣନ୍ତି କିନ୍ତୁ ଏଠି ପୁଣି ତାକୁ ବିରୋଧ ସହିତ ଜୋଡ଼ି ଦିଆଗଲା। ତେବେ, କଇଁଚକୁ ନେଇ ଆଉ ଏକ କଳ୍ପନା ରହିଛି। ଆଧ୍ୟାତ୍ମିକତା ଦୃଷ୍ଟିରୁ ତାକୁ ଅମରତ୍ବର ପ୍ରତୀକ ଭାବରେ ଦେଖାଯାଇଛି।

incarnateword.in/cwm/12/the-cha

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ କଥାଚିତ୍ର ଗୀତର ସାହିତ୍ୟିକ ବିଶ୍ଲେଷଣ ସମ୍ବଳିତ ଛାୟାଗୀତି ନାମକ ସାପ୍ତାହିକ ସ୍ତମ୍ଭ ୧୯ ଅକ୍ଟୋବର ୨୦୨୩ ଠାରୁ ସକାଳରେ ପ୍ରକାଶିତ ହୋଇଆସୁଛି। କିନ୍ତୁ ୧୯୭୭ରୁ କଥାଚିତ୍ରର ସଙ୍ଖ୍ୟା ବଢ଼ିବା ସାଙ୍ଗେ ସାଙ୍ଗେ ଯେଉଁ ପରିମାଣରେ ଆଲୋଚନା ହେବା କଥା ତାର ଅଭାବ।

odianadia.blogspot.com/2024/01/blog-p

odianadia.blogspot.com/2024/03/blog-p

ଓଡ଼ିଆ କଥାଚିତ୍ର ଗୀତର ସାହିତ୍ୟିକ ବିଶ୍ଲେଷଣ - ୩

ଛାୟାଗୀତି - ସୂର୍ଯ୍ୟ ଦେଓ (ସକାଳ ୧୯ ଅକ୍ଟୋବର ୨୦୨୩ ଠାରୁ ସାପ୍ତାହିକ ସ୍ତମ୍ଭ)

ତୁଷାର ନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳିତ

odianadia.blogspot.com/2025/04/blog-p

ଏକା ଏକା ମନେ ମନେ ନିର୍ମଳା ମିଶ୍ରଙ୍କ ମୋର ସବୁଠାରୁ ପ୍ରିୟ ଗୀତ ବୋଲି ମୁଁ କେତେଥର କହିଛି। ଏହି ନୂଆ ଦୃଶ୍ୟବନ୍ଧରେ ଗାୟିକା ଏହି କଷ୍ଟସାଧ୍ୟ ଗୀତଟିକୁ ପ୍ରାୟ ଅବିକଳ ଭାବେ ପରିବେଷଣ କରିଛନ୍ତି। ଖାଲି ଗୋପନେ ଶବ୍ଦଟିର ଉଚ୍ଚାରଣରେ ସାମାନ୍ୟ ତ୍ରୁଟି ରହିଛି ବୋଲି ମନେହେଲା। ଆଶା ମନର ଶାମୁକା ବୁକେ ବି ବୋଲିବେ।

କୌଣସି ବ୍ୟକ୍ତିଗତ ନୈତିକତାର ପ୍ରଶ୍ନ ଅଥବା ସାମାଜିକ ସମସ୍ୟାକୁ ନେଇ ହଠାତ ଗୋଟାଏ ମତାମତ ଦେଇଦେବାର ଅଭ୍ୟାସ ଏଠାରେ ଅନେକଙ୍କ ରହିଛି। କିନ୍ତୁ ମନେରଖିବାକୁ ହେବ ଯେ ଜୀବନ ଜଟିଳ ଓ ମଣିଷ ପରିସ୍ଥିତିର ଦାସ। ଧର୍ମ ବା ପାରିବାରିକ ସଂସ୍କାରର ଦ୍ବାହି ଦେଇ ସମସ୍ତଙ୍କୁ ଗୋଟିଏ ନିୟମରେ ବନ୍ଧାଯାଇ ପାରିବ ନାହିଁ। ସେଥିପାଇଁ କୋର୍ଟ କଚେରୀ ରହିଛି।

ରାଜା ଯେମିତି ପ୍ରଜାମାନଙ୍କୁ ଅସ୍ତ୍ରହୀନ କରି ରଖୁଥିଲେ ଗଣତନ୍ତ୍ର ମଧ୍ୟ ସେହି ରୀତିକୁ ପାଳନ କଲା। ସୁରକ୍ଷାର ଭାର ସରକାରଙ୍କ ହାତରେ ଥିବାରୁ ନାଗରିକ ମାନେ ଶାନ୍ତିରେ ଜୀବନ ଯାପନ କଲେ। କିନ୍ତୁ ଆଜିକାଲି କେତେକ ଏହି ବ୍ୟବସ୍ଥାରେ ଖୁସି ନୁହଁନ୍ତି। ଘରେ ଘରେ ଅସ୍ତ୍ର ଶସ୍ତ୍ରର କାରବାର ହେଉ ବୋଲି ସେମାନଙ୍କର ଇଚ୍ଛା। ସେଥିପାଇଁ ଘୃଣା ଓ ଭୟ।

କୁହାଯାଏ ଯେ ପୁରାତନ ଇତିହାସ ସକାଶେ ଖୁବ କମ ପ୍ରମାଣ ରହିଛି କିନ୍ତୁ ଆଧୁନିକ ଯୁଗ ପାଇଁ ଅତ୍ଯଧିକ। ସେହିପରି ଆମ ପିଲାବେଳେ ଯୌନ ଶିକ୍ଷାର ସୁଯୋଗ ଆଦୌ ନଥିଲା ପ୍ରାୟ କିନ୍ତୁ ଏବେ ସମସ୍ତେ ଉବୁଟୁବୁ। ତେଣୁ ଆମର ଯେଉଁ ଲୋକପ୍ରିୟ ବାରରେ ବାଜିଗଲା ବୟସ ଘଣ୍ଟି ଗୀତଟି ରହିଛି ତାକୁ ସଂଶୋଧନ କରାଯାଇ ଛଅରେ କରାଗଲେ ତାହା ଛି ଛି କୁ ଟପି ଯାଇପାରେ।

ନା, ଜୀବନକୁ ଯଦି ଆମେ କେବଳ ସାହିତ୍ୟ ବା ସିନେମା ସାହାଯ୍ୟରେ ବୁଝିବାକୁ ଚେଷ୍ଟା କରିବା ତା ଭୁଲ ହେବ। ସାମାଜିକ ଜୀବନର ଅଭିଜ୍ଞତାକୁ ଯଦି ସବୁକିଛି ବୋଲି ଧରିନିଆଯାଏ ତା ବି ବିପଥଗାମୀ କରାଇବ। ଏ ପରିପ୍ରେକ୍ଷୀରେ ଦର୍ଶନ ଶାସ୍ତ୍ରର ବିଶେଷ ଭୂମିକା ରହିଛି। କିନ୍ତୁ ତା ମଧ୍ୟ ଅସମ୍ପୂର୍ଣ୍ଣ। ଶ୍ରୀମାଶ୍ରୀଅରବିନ୍ଦଙ୍କ ଆଦର୍ଶ ହିଁ ଯଥାର୍ଥ ବାଟ।

ଇନ୍ଦ୍ରଧନୁ ଓ ବିଜୁଳି ମଧ୍ୟରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତା ଶେଷ ହୋଇନାହିଁ। ପୁରାତନ ଓ ନୂତନ ମଧ୍ୟରେ ଯୁଦ୍ଧ ସର୍ବଦା ଲାଗିରହିଅଛି। ଅନୁତାପ କଥାଚିତ୍ରର ନୂପୁର କାହିଁକି ମୁଁ ବାନ୍ଧିଲି ଗୀତଟି ଯେତେବେଳେ ଚହଳ ସୃଷ୍ଟିକଲା ସେତେବେଳେ ଗୀତିକାର ନିଜାମଙ୍କ ପ୍ରତିଭାକୁ ସ୍ବତଃ ସ୍ବୀକୃତି ମିଳିଲା। ପରେ ହୃଦୟର ଏଇ ଶୂନ୍ୟତାକୁ ଜନ୍ମ ନେଲା।

https://x.com/NathTusar/status/1913988978379751645?t=OWIaCgcH8KJf-zYjVAQV3A&s=19

ଏକଥା ସତ ଯେ ଧର୍ମ ନିରପେକ୍ଷତା ନାମରେ ମୁଖ୍ୟ ରାଜନୈତିକ ଦଳଗୁଡ଼ିକ ମୁସଲମାନ ମାନଙ୍କ ଭୋଟ ବ୍ୟାଙ୍କ ଉପରେ ଅତିରିକ୍ତ ପରିମାଣରେ ନିର୍ଭରଶୀଳ ହୋଇପଡ଼ିଲେ ଯାହାଦ୍ୱାରା ଗଣତନ୍ତ୍ର ବିକୃତ ହେଲା। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ପଛୁଆ ଜାତି ଏକ ଶକ୍ତିଶାଳୀ ଭୋଟ ବ୍ୟାଙ୍କ ରୂପେ ଛିଡ଼ା ହେଲା। ତେଣୁ ଭାରତରେ ଗଣତନ୍ତ୍ର ବିକଳାଙ୍ଗ ଅବସ୍ଥାରେ ଅଛି।

ଏହି ପରିସ୍ଥିତିରେ ହିନ୍ଦୁ ଧର୍ମକୁ ବ୍ୟବହାର କରି କ୍ଷମତା ହାସଲ କରିବା ଥିଲା ଏକ ଚମତ୍କାର ରାଜନୈତିକ କୌଶଳ। କିନ୍ତୁ ଏହି ରଣନୀତି ଚିରସ୍ଥାୟୀ ନୁହେଁ ବୋଲି ସନ୍ଦେହ ଉପୁଜିଲା। ଫଳତଃ ମହାତ୍ମା ଗାନ୍ଧୀ ଏବଂ ଇନ୍ଦିରା ଗାନ୍ଧୀଙ୍କ ଠାରୁ ଉଧାର ନେଇ ମୋଦୀ ବ୍ଯକ୍ତିଗତ ଲୋକପ୍ରିୟତା ଉପରେ ଜୋର ଦେଲେ। ଦଳ ଗୌଣ ହୋଇଗଲା। ପ୍ରଚାର ହେଲା ଗେହ୍ଲାପୁଅ।

କିନ୍ତୁ ବ୍ଯକ୍ତିଗତ ଲୋକପ୍ରିୟତା କିପରି ଘୁଣଖିଆ ହୋଇଯାଏ ତାହା ଓଡ଼ିଶାରେ ଆମେ ଦେଖିଛେ। ଦିଲ୍ଲୀ ମଧ୍ୟ ପ୍ରମାଣିତ କରିଦେଇଛି। ତେଣୁ ଦଳ ଓ ଆଦର୍ଶ ବିନା ରାଜନୀତି ଠିକ ରୂପେ ଚାଲିପାରିବ ନାହିଁ ବୋଲି ବିଶ୍ଵାସ ସୃଷ୍ଟି ହେଉଛି। ଏହାହିଁ ଗଣତନ୍ତ୍ର ଲାଗି ଶୁଭଲକ୍ଷଣ। ଭୋଟ ବ୍ୟାଙ୍କ ଉପରେ ଭରସା ନକରି ସାଧାରଣ ନାଗରିକ ହିଁ ମୁଖ୍ୟ ସ୍ଥାନ ପାଇବ।

ନୋବେଲ ପୁରସ୍କାର ପାଇବାର ଲାଳସା ଯେ ମୋଦୀଙ୍କର ରହିଛି ଏହା ସର୍ବମାନ୍ଯ। ଏହି ପରିପ୍ରେକ୍ଷୀରେ ତାଙ୍କ ସରକାର ଯେ ଯଥେଷ୍ଟ ପଦକ୍ଷେପ ନେଇଛନ୍ତି ତାହା ମନା କରିହେବ ନାହିଁ। ଆରଏସ୍ଏସ୍ ମଧ୍ୟ ଅନେକ ସ୍ଥଳରେ ନିଜର ନୀତି ପରିବର୍ତ୍ତନ କରିଛନ୍ତି। ବିଡ଼ମ୍ବନାର ବିଷୟ ଯେ, ଏହାଦ୍ବାରା ଦଳର ସମର୍ଥକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ମୋଦୀଙ୍କ ପରେ କିଏ? ଏ ପ୍ରଶ୍ନର କୌଣସି ସହଜ ଉତ୍ତର ନାହିଁ। କାରଣ ତାଙ୍କ ପରେ ଦଳ ଯେ ଏକ ହୋଇ ରହି ପାରିବ ତା ଆଶା କରିବା କଷ୍ଟ। ସେ ଯାହାହେଉ ଯୁବ ସମାଜ ଯେଉଁ ସବୁ ଆଶା ନେଇ ତାଙ୍କ ଉପରେ ଗଭୀର ଆସ୍ଥା ଓ ବିଶ୍ବାସ ସ୍ଥାପନ କରିଥିଲା ସେସବୁ ଆଦୌ ପୂରଣ ହୋଇନାହିଁ। ଦଳର ଦିଗଦର୍ଶନକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଭବିଷ୍ୟତରେ ଅସ୍ଥିରତା।

ଏହି ଅବସରରେ କଙ୍ଗ୍ରେସ ସମ୍ପର୍କରେ ଦିପଦ କହିଦେବା ଉଚିତ ହେବ ଯଦିଓ ଏହା ସମୟର ଅପଚୟ। ପରିବାର ନିଜର ମାଲିକାନା ଅଧିକାର ନଛାଡ଼ିବା ପର୍ଯ୍ୟନ୍ତ ଦଳର ଯେ କୌଣସି ଭବିଷ୍ୟତ ନାହିଁ ଏହା ଦିବାଲୋକ ପରି ସତ୍ୟ। ଓଡ଼ିଶାରେ ବର୍ତ୍ତମାନ କିଛି ଲୋକ ମରିଚୀକା ପଛରେ ଗୋଡ଼ାଇବା ପାଇଁ ଉଦ୍ୟତ। ସେହିପରି ଯେଉଁମାନେ ଏଏପି ପାଇଁ ଖୁବ ଲାଗିଥିଲେ, ବୁଝିଥିବେ।

https://x.com/NathTusar/status/1910349354981876112?t=4JoSfPXk4hlDKM7MMeThKg&s=19

Wednesday, 9 April 2025

କଟକକୁ ଛାଡ଼ି ଓଡ଼ିଶା ବା ଓଡ଼ିଆର ପରିକଳ୍ପନା ଅସମ୍ଭବ

 ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡ଼ିକର ସଙ୍କଳନ

ଓଡ଼ିଆ ଓଳିଆ: ଉତ୍ତମ ମହାନ୍ତି ପୁଣି ମେଘ ସହିତ ମିଶିଗଲେ

odiaolia.blogspot.com/2025/03/blog-p

ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡ଼ିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡ଼ନ କରିବାକୁ ଅନୁରୋଧ।

ଏସ.ଆର.ଏ.-୧୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ୍, ଗାଜିଆବାଦ - ୨୦୧୦୧୪, ଉ. ପ୍ର.। ଫୋନ୍: ୯୬୫୦୦-୬୫୬୩୬ ।

ଦର୍ଶନ ଓ ମନସ୍ତତ୍ତ୍ବ ଆଦି ଜୀବନ ସମ୍ବନ୍ଧୀୟ ବିଷୟ ଗୁଡ଼ିକରେ ଉଚ୍ଚଶିକ୍ଷାର ବିଶେଷ ମହତ୍ବ ରହିଛି କାରଣ ଏହାର ତତ୍ତ୍ବ ସବୁ ସମସ୍ତଙ୍କ ପାଖରେ ପହଞ୍ଚି ପାରୁନାହିଁ। ମଣିଷ ଏଠୁ ସେଠୁ ଯାହା ଶିଖୁଛି ସେଇଥିରେ କାମ ଚଳାଉଛି ହେଲେ ପ୍ରକୃତ ତଥ୍ୟ ଠାରୁ ଦୂରରେ ରହୁଛି। ରାଜନୀତି ଓ ମନୋରଞ୍ଜନ ଯୁବମାନସକୁ ଯେଭଳି ଭାବେ ଅକ୍ତିଆର କରୁଛି ତାହା ବଦଳୁ।

ଓଡିଶା ସଙ୍କେତ ଟୁବରେ ବହୁ ପାରମ୍ପରିକ ଗୀତର ସମାରୋହ। ଏବଂ ଯୁବ ପ୍ରତିଭା ମାନଙ୍କୁ ସୁଯୋଗ ଦିଆଯାଉଥିବା ନିଶ୍ଚୟ ପ୍ରଶଂସନୀୟ। କିନ୍ତୁ ଦୃଶ୍ୟବନ୍ଧ ଗୁଡ଼ିକର ଶୀର୍ଷକରେ ଓଡ଼ିଆ ଲେଖା ସ୍ଥାନ ପାଉନଥିବା ଆଶ୍ଚର୍ଯ୍ୟର ବିଷୟ। ସେହିପରି ଇଙ୍ଗ୍ରାଜୀରେ Sanket ବଦଳରେ Sanketa ହେଲେ ଯଥାର୍ଥ ବୋଧ ହୁଅନ୍ତା। ଓଡ଼ିଆ ଲିପି ବି ଗୋଲାକାର ହେବା ଉଚିତ।

ବନଜା ମହାନ୍ତି କୁହନ୍ତି ତାଙ୍କ ଅଭିନୟ ସମୟର କଥା। ପଦେ ଗୀତ ବି ବୋଲନ୍ତି।

ବିରାଟ ବିରାଟ ମନ୍ଦିର ତିଆରି କରିବା ପରିବର୍ତ୍ତେ ରାଜାମାନେ ଯଦି ନଦୀବନ୍ଧ ନିର୍ମାଣ କାର୍ଯ୍ୟରେ ମନ ଦେଇଥାନ୍ତେ ତାହାହେଲେ ଓଡ଼ିଶାର ରୂପ ଆଜି ଅନ୍ୟ କିଛି ହୋଇଥାଆନ୍ତା। ବନ୍ୟା ଦ୍ଵାରା ଯେଉଁ ବିପର୍ଯ୍ୟୟ ସୃଷ୍ଟି ହେଉଥିଲା ସେଥିରୁ ରକ୍ଷା ମିଳିଥାଆନ୍ତା ଓ ଏକ ସ୍ଥିର ଅର୍ଥବ୍ୟବସ୍ଥା ପ୍ରତିଷ୍ଠିତ ହୋଇପାରିଥାଆନ୍ତା। ଦଳେଇ ଘାଇ କଥା ମନେଅଛି।

ଧର୍ମ, ପୁରାଣ, ଓ ମିଥ୍ଯା ଉପାଖ୍ୟାନ ମାନଙ୍କରୁ କ୍ଷାନ୍ତି ପାଇ ଓଡ଼ିଆ ସଂସ୍କୃତିର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ନିମନ୍ତେ ଉଦ୍ୟମ ହେବା ଉଚିତ। ପର୍ଯ୍ୟଟନ ମଧ୍ୟ ଧର୍ମ ଠାରୁ ଦୂରେଇ ନିଜ ଗୋଡ଼ରେ ଛିଡ଼ା ହେବା ଆବଶ୍ୟକ। ପାରମ୍ପରିକ ଚିନ୍ତାଧାରା ମନସ୍ତାତ୍ତ୍ବିକ ଦୃଷ୍ଟିକୋଣରୁ ହୃଦୟକୁ ଶୀତଳତା ପ୍ରଦାନ କରିଥାଏ କିନ୍ତୁ ଶିଥିଳତା ଆଣେ।

ଶ୍ରୀଅରବିନ୍ଦଙ୍କ ଲିଖିତ ପ୍ରସିଦ୍ଧ ପୁସ୍ତକ ଦିବ୍ୟ ଜୀବନ କିମ୍ବା ସାବିତ୍ରୀ ପଢ଼ନ୍ତୁ। Reading a few lines from Savitri can help in such situations.

incarnateword.in/cwsa/33

ସମାଲୋଚନାଟି ଠିକ ମନେହେଉନାହିଁ କାରଣ ପ୍ରତ୍ୟେକ ବ୍ୟକ୍ତି ତାର ସ୍ବାର୍ଥକୁ ଜଗି ଚାଲିବ। ସାମଗ୍ରିକ ଅର୍ଥବ୍ୟବସ୍ଥା ସମ୍ବନ୍ଧରେ ମୁଣ୍ଡବ୍ୟଥା ତାର ଦାୟିତ୍ବ ନୁହେଁ। ଯାହା ଘଟୁଛି ତାର ଭଲ ଦିଗ ପ୍ରତି ମଧ୍ଯ ଦୃଷ୍ଟି ଆକର୍ଷିତ ହେଉ।

ଭାରତରେ ଗଣତନ୍ତ୍ର ଏବଂ ମୁକ୍ତ ବଜାର ରହିଛି ଯାହାର ଅଂଶବିଶେଷ ହେଉଛି ଓଡ଼ିଶା। ତାଛଡ଼ା ବିବର୍ତ୍ତନ ସଦୃଶ ସମୟର ଚକ୍ର ମଧ୍ଯ ଘୁରୁଛି। ତେଣୁ, ଓଡ଼ିଶାର ଅଧିକ ଉନ୍ନତି କାହିଁକି ହୋଇପାରିଲା ନାହିଁ ବୋଲି ଦୁଃଖ କରିବାର କୌଣସି କାରଣ ନାହିଁ। ସବୁ ଜିନିଷକୁ ଟଙ୍କାରେ ମପା ଯାଇପାରିବ ନାହିଁ। ଯାହା ଆମର ପ୍ରକୃତ ଯୋଗ୍ୟତା ତାକୁ ଚିହ୍ନିବାକୁ ହେବ।

କଳାହାଣ୍ଡିର ବିଭିନ୍ନ ସ୍ଥାନରେ ଚାଲିଥିବା ନାଟକମଣ୍ଡଳୀ ଗୁଡ଼ିକର ଦୃଶ୍ୟବନ୍ଧ ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗିଲା। ଏପରି ଗୋଟିଏ ଶୈଳୀ ଏତେ ଲୋକପ୍ରିୟ ହୋଇଛି ଅଥଚ ତା ବିଷୟରେ ଆଲୋଚନା ଆଦୌ ନାହିଁ। ନାଚରେ ଛଉ ତଥା ଆଧୁନିକତାର ପ୍ରଭାବ ଥିବାପରି ଲାଗୁଛି କିନ୍ତୁ ପୋଷାକପତ୍ର ବୈଷ୍ଣବୀୟ ଧାରାର ମନେହୁଏ। କଥାବସ୍ତୁ କେଉଁ ପାରମ୍ପରିକ କିମ୍ବଦନ୍ତୀ।

ତୁଳସୀ ଓଝା, କବିତା ମଞ୍ଜରୀ ପ୍ରତିହାରୀ, ଓ ଗୌରାଙ୍ଗ ଚରଣ ଦାଶଙ୍କ ସମ୍ପାଦନାରେ ଓଡ଼ିଆ ଆତ୍ମପରିଚିତି ଚର୍ଚ୍ଚା ଏକ ବହୁମୂଲ୍ୟ ସଙ୍କଳନ। କଳା ଓ ସଂସ୍କୃତିର ବିଭିନ୍ନ ବିଭାବକୁ ଉପଯୁକ୍ତ ତଥ୍ଯ ସହ ତର୍ଜମା କରିବାର ପ୍ରଚେଷ୍ଟା ପ୍ରଶଂସନୀୟ। ପରିତାପର ବିଷୟ ଯେ ଅକାରଣ ସ୍ବାଭିମାନର ଦ୍ବାହିଦେଇ ଗୁଡ଼ାଏ ମିଥ୍ଯାକଥା ପ୍ରଚାର କରିବା ଫେଶନ ହୋଇଛି।

ଜୀବନର ପ୍ରଥମ ୩୩ ବର୍ଷ ଓଡ଼ିଶାରେ କଟିଥିବାରୁ ଓଡ଼ିଆ ସଂସ୍କୃତି ସମ୍ବନ୍ଧରେ ମୋର ଯଥେଷ୍ଟ ଅଭିଜ୍ଞତା ଥିଲା। ପରବର୍ତ୍ତୀ ୩୩ ବର୍ଷ ଦିଲ୍ଲୀରେ ଅତିବାହିତ ହେବା ଦ୍ୱାରା ଜାତୀୟ ତଥା ଆନ୍ତର୍ଜାତୀୟ ଶୈଳୀ ସବୁ ସହ ମଧ୍ୟ ପରିଚୟ ହେଲା। ବର୍ତ୍ତମାନ ପଶ୍ଚିମବଙ୍ଗର ବିଭିନ୍ନ ପ୍ରଦର୍ଶନ ପ୍ରତ୍ୟକ୍ଷ ହେଉଛି। ଏ ସବୁର ସ୍ମୃତିରାଜି ମୋର ଏକ ବଡ଼ ସମ୍ପଦ।

ଯେଉଁ ସମୟରେ ଆଲବମ ଗୀତ ଗୁଡ଼ିକର ବଜାର ଗରମ ଥିଲା ମୋର ସେତେବେଳେ ଦେଖିବାର ସୁଯୋଗ ନଥିଲା। ଏବେ କେବେ କେବେ ଦେଖେ କିନ୍ତୁ କୌଣସି ଗୋଟିଏ ଦୃଶ୍ୟବନ୍ଧ ବି ସନ୍ତୋଷଜନକ ମନେହୁଏ ନାହିଁ। ନାଚ ଓ ପୋଷାକରେ ଅନେକ ଖଇଚା ରହିଥାଏ। ତଥାପି କିଛି ଗୀତ ଶୁଣିବାକୁ ଭଲ ଲାଗେ। ଚୁପ ଚାପ ପ୍ରେମ ଆମ ଗୀତଟି ବାରମ୍ବାର ଶୁଣିହେବ। ଚିତ୍ରାୟନ ସୁରୁଚିପୂର୍ଣ୍ଣ।

ବାସୁଦେବ ସାହୁଙ୍କ ଲିଖିତ ଓଡ଼ିଆ ଶବ୍ଦ ବ୍ୟୁତ୍ପତ୍ତି ବିଜ୍ଞାନ ପୁସ୍ତକର ପ୍ରଥମ ଭାଗରେ ୬୨ଟି ସଂସ୍କୃତ ଶବ୍ଦ ଓଡ଼ିଆରେ କିପରି ଭିନ୍ନ ଅର୍ଥରେ ବ୍ଯବହୃତ ହେଉଅଛି ତାହା ଦର୍ଶାଯାଇଛି। ଉଦାହରଣ ସ୍ବରୂପ ସାହସ ଏକ ଅପରାଧ ବା କୁକର୍ମ ସୂଚକ ଶବ୍ଦ ହୋଇଥିବାବେଳେ ଓଡ଼ିଆରେ ଏହା ବିକ୍ରମ ଅର୍ଥରେ ବ୍ଯବହୃତ ହେଉଅଛି। ସେହିପରି ସହଜର ମୂଳ ହେଲା ସହଜାତ।

ବ୍ଯାଙ୍କରେ ବଦଳି ଯୋଗାଡ଼ କରି ୧୯୮୮ ମସିହାରେ ମୁଁ ଓଡ଼ିଶା ଛାଡ଼ି ଦିଲ୍ଲୀ ଆସିଲି। ୨୦୦୫ରେ ଘରେ ଇଣ୍ଟରନେଟ ଆସିବା ଯୋଗୁ ଓଡ଼ିଆ ସହ ସମ୍ପର୍କ ବଢ଼ିଲା। ପ୍ରବାସୀ ଓଡ଼ିଆ ମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବାର ସୁଯୋଗ ମିଳିଲା। ଭାଷା ପ୍ରୀତିକୁ କିଭଳି ଧର୍ମ ଓ ରାଜନୀତିଠାରୁ ଅଲଗା କରିହେବ ତାହା ଭବିଷ୍ୟତ ପାଇଁ ଏକ ଆହ୍ବାନ।

ରାଜଧାନୀ ୧୯୪୮ ମସିହାରେ କଟକରୁ ଭୁବନେଶ୍ଵରକୁ ସ୍ଥାନାନ୍ତରିତ ହୋଇଗଲା ସତ କିନ୍ତୁ ଅଢ଼େଇ ମାସ ଆଗରୁ ଆକାଶବାଣୀ କଟକ ପ୍ରତିଷ୍ଠିତ ହୋଇଥିବା ଯୋଗୁ ଏହା ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବରେ ନିଜର ବଡ଼ିମା ବଜାୟ ରଖିଲା। ତେଣୁ କଟକକୁ ଛାଡ଼ି ଓଡ଼ିଶା ବା ଓଡ଼ିଆର ପରିକଳ୍ପନା ଅସମ୍ଭବ। ଭାଷା ଦୃଷ୍ଟିରୁ ମଧ୍ୟ କଟକର ଉଚ୍ଚାରଣ ହିଁ ମାନକ ସ୍ବୀକୃତ।

ପୁରାତନୀ ଗୀତଗୁଡ଼ିକ ବିଷୟରେ ତ ମୁଁ ମୋଟେ ଆଲୋଚନା କରେନାହିଁ, କିନ୍ତୁ ଆଜି ସକାଳୁ ରମଣୀ ରତନ ମେଘକୁ ଚାହିଁ ଗୀତଟି ମନେପଡ଼ିଲା, ଓ ତିନି ଚାରୋଟି ଦୃଶ୍ୟବନ୍ଧ ଦେଖିଲି। ଲାଗୁଥିଲା ଅତି ନିମ୍ନ ସ୍ତରର କଣ୍ଠସ୍ବର ଓ ଅଳସ ଗତିର ରାଗ ବା ଛାନ୍ଦଟିଏ। କିନ୍ତୁ ଯେତିକି ଆଗକୁ ଆଗକୁ ବଢ଼ିଲା ସ୍ବର ଉପରମୁହାଁ ହେଲା। ଶେଷ ହେଲା ବେଳକୁ ଝାଳ ବୋହିଯିବ।

ହଉ ଚେଷ୍ଟା କରିବି। ଧନ୍ୟବାଦ।

ବିନୋଦ ବିହାରୀ ଦାସଙ୍କ ସଙ୍କଳିତ ସାରଳା ରତ୍ନଭଣ୍ଡାର ରସ ସାଗର ପୁସ୍ତକଟିକୁ ଯେତେ ପ୍ରଶଂସା କଲେ ବି କମ ହେବ। ଜଣେ ବ୍ୟକ୍ତିର ଉଦ୍ୟମରେ କଣ ଯେ ସମ୍ଭବ ହୋଇନପାରେ, ଏହା ତାଙ୍କଠାରୁ ପ୍ରେରଣା ନେବା କଥା। ଯାହାହେଉ, ସୃଜନିକା ତଥା ଆର୍କାଇଭ୍ସଙ୍କ ସୌଜନ୍ୟରୁ ଏହି ସବୁ ଦୁର୍ଲଭ ପୁସ୍ତକ ବର୍ତ୍ତମାନ ହାତ ପାଆନ୍ତାରେ।

archive.org/details/sarala…

ଆମ ସ୍କୁଲ ସମୟରେ ଝିଅମାନଙ୍କର ଡାକ୍ରନ ଓ ଟ୍ବିଙ୍କଲ ଫ୍ରକ ଆସିଲା ଏବଂ ପୁଅମାନଙ୍କର ଟେରିଲିନ ଓ ଟେରିକଟ ଶାର୍ଟ। ଚଉଡ଼ା ଲୁହାଫାଳ ବାଲା ବୋଷ ଲଙ୍ଗଳ ଓ ତାଇଚୁଙ୍ଗ ଧାନ ଚାଷକୁ ବଦଳାଇ ଦେଲା। ଏଣ୍ଡ୍ରିନ ଓ ଫଲିଡ଼ଲ ଖାଇ କେତେକ ଆତ୍ମହତ୍ୟା କଲେ। ଅକ୍ଷୟ ମହାନ୍ତିଙ୍କ ଟାଇଚୁଙ୍ଗ ଧାନ ଗୀତ ବି ଥିଲା ଏକ ନୂଆ ବିପ୍ଳବ।

ହାତର ନାଲି ସୂତା ଓଡ଼ିଆ ନୁହେଁ ବୋଧହୁଏ। ଆଜିକାଲି ତ ସବୁ ବାରମିଶା। ମୁଁ ପୁରୁଣା କାଳ କଥା କହୁଥିଲି। କଳାଧଳା ସିନେମାଗୁଡି଼କ ହିଁ ଓଡ଼ିଆ ଚଳଣିର ପ୍ରମାଣ।

ଓଡ଼ିଆ ସାହିତ୍ୟର ଇତିହାସରେ କବିମାନଙ୍କର ସ୍ଥାନ ବହୁତ ଉଚ୍ଚରେ କିନ୍ତୁ ସେମାନଙ୍କ ରଚନା ବିଶେଷ କିଛି କାମରେ ଆସୁନାହିଁ। ଖାଲି ଜବରଦସ୍ତି ସ୍କୁଲ କଲେଜରେ କିଛି ପଢ଼ାଯାଉଛି। କେବଳ ଗୀତଗୁଡ଼ିକର ଚାହିଦା ରହିଛି। ହାଏ ତୋ ପ୍ରେମର ରଙ୍ଗୋଲି ଭଳି ଗୀତ ଯାହାର ନିଘା ଦଶ କୋଟିକି ଛୁଇଁଲାଣି ସେ କାହିଁକି ସାହିତ୍ୟ ପଦବାଚ୍ୟ ହେବନାହିଁ ବୁଝିହେଉନି।

ହାଏ ତୋ ପ୍ରେମର ରଙ୍ଗୋଲି ଓଡ଼ିଆ କଥାଚିତ୍ର ଗୀତ ଇତିହାସରେ ସବୁଠାରୁ ଲୋକପ୍ରିୟ ଗୀତ। ସୁନ୍ଦର ଭାଷା, ସୁନ୍ଦର ଭାବ, ସୁନ୍ଦର ସ୍ବର, ସୁନ୍ଦର ଗାୟନ, ସୁନ୍ଦର ସ୍ଥାନ, ସୁନ୍ଦର ଚିତ୍ରାୟନ, ଓ ସୁନ୍ଦର ନାଚର ସମାରୋହରେ ବୁଣା ଏହି ରଙ୍ଗୋଲିଟି ସବୁ ଓଡ଼ିଆଙ୍କ ପାଇଁ ଗର୍ବ। ସମସ୍ତେ ଶୁଣିଲେ ଦଶ କୋଟି ପୂରା ହୁଅନ୍ତା।

ଅର୍ଜୁନ କଥାଚିତ୍ରର ମୁଁ ତୁମକୁ ଭଲପାଏ ଗୀତଟି ଅନେକ ପରିମାଣରେ ହାଏ ମୋ ପ୍ରେମର ରଙ୍ଗୋଲି ସହିତ ତୁଳନୀୟ। କା କଥାଚିତ୍ରର ତୁମେ ଜାଣନା ଜାଣନା ପରି ଏହି ଗୀତଟିର ସ୍ବରରେ ଏକ ବିସ୍ତୃତତା ବା ବ୍ଯାପକତାର ଭାବ ରହିଛି। ତାଛଡ଼ା, ଭାଷା ମଧ୍ୟ ହୃଦୟରେ ଉତଫୁଲ୍ଲତା ଭରିଦେବା ପାଇଁ ପ୍ରକୃଷ୍ଟ। ଚିତ୍ରାୟନ ମନ୍ଦ ନୁହେଁ।

ମୁଁ ଏକା ତୁମର କଥାଚିତ୍ରର ଦିନେ ଏଇ ରଙ୍ଗ ଲାଗିବ ଦେହରେ ଗୋଟିଏ ସୁମଧୁର ଗୀତ। ଭଲ ଲେଖା, ଭଲ ସ୍ବର, ତଥା ଭଲ ଅଭିନୟର ସମାହାର ଯୋଗୁ ଏହା ନିଶ୍ଚୟ ଲୋକପ୍ରିୟ ହୋଇ ରହିବ। ସେହିପରି, ହାତ ଧରି ଚାଲୁଥା କଥାଚିତ୍ରର ଆଜି କାଇଁ ସବୁ ଋତୁ ଫଗୁଣ ଫଗୁଣ ଗୀତଟିରେ ମଧ୍ୟ ଉଜ୍ଜଳ ଭବିଷ୍ୟତ ଲୁଚି ରହିଛି। ଦୁଇଟି ଯାକ ୨୦୧୩।

ସୁନା ଶଙ୍ଖାଳି (୨୦୦୩) କଥାଚିତ୍ରର ମୋ ସପନର ରାଜାପୁଅ କେବେ ଆସିବ ଗୋଟିଏ ଭଲ ଗୀତ ଯାହାକୁ ବାରମ୍ବାର ଶୁଣିହେବ। ସେହିପରି, କେବେ ତମେ ନାହଁ କେବେ ମୁଁ ନାହିଁ (୨୦୧୨) କଥାଚିତ୍ରର ସାତ ଋତୁ ଗଲା ମୋତେ ଛୁଇଁ, ଅନୁରୂପ। ପ୍ରେମ ସବୁଠୁ ବଳବାନ (୨୦୧୩) କଥାଚିତ୍ରର ବର୍ଷା ବର୍ଷା ତମେ ଆସିଚ ମଧ୍ୟ ଏକ ଚିରସବୁଜ ଗୀତ।

ଜଲାଲ ଆଦେନୀଙ୍କ ଅନୁତାପ ଦ୍ବାରା ୧୯୭୭ ମସିହାରେ ଯେତେବେଳେ ଓଡ଼ିଆ କଥାଚିତ୍ର ସଙ୍ଗୀତର ଧାରା କଡ଼ ଓଲଟାଇଲା, ତାପରେ ବାସୁଦେବ ରଥ ଓ ମୁସୀର ଗୀତଗୁଡ଼ିକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇଲେ। ଯଦିଓ ମୁଁ ଏହି ନୂତନତ୍ବକୁ ସ୍ବାଗତ କରିପାରୁନଥିଲି, ଲୋକପ୍ରିୟତା ବଢ଼ି ଚାଲିଥିଲା। ବାସୁଦେବ ରଥଙ୍କର ଏକ ଅନବଦ୍ୟ ସୃଷ୍ଟି।

ମୁଁ ସବୁ ରାଜନୈତିକ ଦଳକୁ ବିରୋଧ କରୁଥିବା ଯୋଗୁ ଏଠାରେ ମୋର ସମର୍ଥକ ସଙ୍ଖ୍ୟା ଖୁବ କମ। ତାଛଡ଼ା ଶ୍ରୀମାଶ୍ରୀଅରବିନ୍ଦଙ୍କ ଭକ୍ତ ହିସାବରେ ଅନେକଙ୍କ ଦୂରଛଡ଼ା ଭାବ। ତଥାପି ବିଗତ ସତୁରି ବର୍ଷ ଭିତରେ ମୁଁ ଯାହା ବଡ଼ ଓ ବିଜ୍ଞ ମାନଙ୍କଠାରୁ ଶିଖିଛି ତାକୁ ହିଁ ଲେଖୁଛି। ବିଭିନ୍ନ ଭାଷା ଓ ସଂସ୍କୃତିର ଅବଦାନରେ ମୋ ଅଭିଜ୍ଞତା ପରିପୁଷ୍ଟ ହୋଇଛି।

ଧର୍ମ ରାଜନୀତିରୁ ଦୂରରେ ରହୁ। ଭାଷା ଓ ସଂସ୍କୃତିଠାରୁ ମଧ୍ୟ ଅଲଗା ରହୁ। ବ୍ୟକ୍ତିଗତ ଆକର୍ଷଣ ରହିପାରେ, କିନ୍ତୁ ତାହା ଅନ୍ୟମାନଙ୍କ ଉପରେ ଲଦା ନଯାଉ। କିମ୍ବା ସେଇଟାକୁ ଏକମାତ୍ର ରାସ୍ତା ବା ସର୍ବଶ୍ରେଷ୍ଠ ବୋଲି ବିଚାର କରାନଯାଉ। ମୌଳିକ ଗଣତାନ୍ତ୍ରିକ ଚିନ୍ତାଧାରାରେ ଏସବୁ ସାଧାରଣ କଥା। କିନ୍ତୁ ସମୟ ଏପରି ଯେ ଅଆ କଖ ବି ଘୋଷେଇବା ଲୋଡ଼ା।

ଗଣତନ୍ତ୍ରର ନିୟମ କାନୁନ ଗୁଡ଼ିକ ଠିକ ମୂତାବକ ପାଳନ କଲେହିଁ ରାଜନୈତିକ ଦଳମାନଙ୍କ ମଧ୍ୟରେ ଖେଳଟି ଯଥାରୀତି ଚାଲିବ। କିନ୍ତୁ ଗୁନ୍ଦୁରେଇକି ଜିତିବା ଲାଗି ଚେଷ୍ଟା କଲେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେବ। ସମାଲୋଚନା କ୍ଷେତ୍ରରେ ମଧ୍ୟ ସେମିତି। ଭଦ୍ର ଭାଷା ଓ ଦୃଢ଼ ଯୁକ୍ତିକୁ ଚିହ୍ନେଇବାକୁ ପଡ଼ିବ ନାହିଁ। ଅଶ୍ଳୀଳ ଶବ୍ଦ ଦୂରରୁ ଗନ୍ଧେଇବ।

ଗଣତନ୍ତ୍ର କଣ ବୁଝିବା ପାଇଁ ବିଏ ଓ ଏମଏ ଆଦି ପାଠ ରହିଛି କିନ୍ତୁ ଏକବିଂଶ ଶତାବ୍ଦୀରେ ଇଞ୍ଜିନିୟର ମାନଙ୍କୁ ସର୍ବଜ୍ଞ ବୋଲି ଜ୍ଞାନ କରାଗଲା। ପୁଣି ମେଣ୍ଢାପଲ ଭଳି ଧଇଁସଇଁ ହୋଇ ଧାଇଁବାକୁ ବାହାବା ମିଳିଲା। ତେଣୁ ପ୍ରତ୍ୟେକ ବ୍ୟକ୍ତି ଭିତରେ ଯେଉଁ ସ୍ବତନ୍ତ୍ର ଏକ ଚିନ୍ତା ଶକ୍ତି ଥାଏ ତାହା ଶୁକୁଟି ଗଲା। ଚିନ୍ତା କଲେ ବାମପନ୍ଥୀ ବୋଲି ଗାଳି।

ନିଆଁ କଡ଼ରେ ଖାଦ୍ୟ ହାଉଲେ ହାଉଲେ ସିଝିବା ପରି ପାଠ ପାଖରେ ବୁଦ୍ଧି ପରସ୍ତ ପରସ୍ତ ହୋଇ ପାକଳ ହୁଏ। ହଜାରେ ବର୍ଷ ତଳେ କୁହାଯାଇଥିବା କଥାସବୁ ନିଆଁହୁଳା ପରି ହୁତୁ ହୁତୁ ହୋଇ ଜଳି ଉଠନ୍ତି। ଦୂର ଦୂରାନ୍ତର ମଣିଷଟି ସହିତ ଅଦ୍ଭୁତ ଆତ୍ମୀୟତା ସୃଷ୍ଟି ହୁଏ। ରାତି ଅନିଦ୍ରା ହୋଇ ତା ବହି ପଢ଼ିବା ଲାଗି ଆବେଗ ଜନ୍ମେ। ହୃଦୟ ଲଭେ ସାଗରର ବିଶାଳତା।

ପରିବାରଟିଏ ଯେମିତି ବିଭିନ୍ନ ଅନ୍ତରଙ୍ଗ ସମ୍ପର୍କ ବଳରେ ବଞ୍ଚି ଆସିଛି, ସମାଜ ମଧ୍ୟରେ ସେପରି କୌଣସି ଶକ୍ତିଶାଳୀ ଆକର୍ଷଣ ନାହିଁ। ତେଣୁ ପରସ୍ପର ମଧ୍ୟରେ କିଣାବିକା ଓ ଲାଭ ଅର୍ଜନର କ୍ରିୟାଟିକୁ ଅନେକେ ମୁଖ୍ୟ ମାଧ୍ୟମ ଭାବରେ ବିବେଚନା କରିଥାଆନ୍ତି। କଥାଟା କିନ୍ତୁ ସତ୍ଯ ଠାରୁ ଟିକିଏ ଦୂରରେ। କାରଣ, ଅନ୍ତର୍ନିହିତ ଭାତୃତ୍ବ ହିଁ ଅସଲି ଅଠା।

ମୋର କଲେଜ ଜୀବନ ୧୯୭୧ ରୁ ୧୯୭୬। ଏହି ଛଅ ବର୍ଷ ମଧ୍ୟରେ ଚଉଦଟି କଥାଚିତ୍ର ମୁକ୍ତିଲାଭ କରିଥିଲା। କଳା ସଂସ୍କୃତିର ନିଛକ ଦର୍ପଣ ଥିଲା କନକଲତା। ବତିଘର ଏକ କଳାତ୍ମକ ଛବି। ୨ୟ ଆଂଶିକ ରଙ୍ଗୀନ ଓ ପ୍ରଥମ ରଙ୍ଗୀନ ପ୍ରସ୍ତୁତି ଭାବରେ ସମୟ ଓ ଗପ ହେଲେ ବି ସତ ନାଆଁ କଲେ। ମମତା ଓ ଶେଷ ଶ୍ରାବଣ ଅଜସ୍ର ଲୋକପ୍ରିୟତା ସାଉଁଟିଲେ। ଯାଯାବର ଏକ ବିପ୍ଳବ।

https://x.com/NathTusar/status/1910021194067116099?t=N8ingCJOmDVOc8_RRXQomw&s=19

ଜୀବନ ଜଟିଳ ଓ ମଣିଷ ପରିସ୍ଥିତିର ଦାସ

 ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡ଼ିକର ସଙ୍କଳନ ଓଡ଼ିଆ ଓଳିଆ: କଟକକୁ ଛାଡ଼ି ଓଡ଼ିଶା ବା ଓଡ଼ିଆର ପରିକଳ୍ପନା ଅସମ୍ଭବ odiaolia.blogspot.com/20...