ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡ଼ିକର ସଙ୍କଳନ
ଓଡ଼ିଆ ଓଳିଆ: ଉତ୍ତମ ମହାନ୍ତି ପୁଣି ମେଘ ସହିତ ମିଶିଗଲେ
odiaolia.blogspot.com/2025/03/blog-p…
ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡ଼ିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡ଼ନ କରିବାକୁ ଅନୁରୋଧ।
ଏସ.ଆର.ଏ.-୧୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ୍, ଗାଜିଆବାଦ - ୨୦୧୦୧୪, ଉ. ପ୍ର.। ଫୋନ୍: ୯୬୫୦୦-୬୫୬୩୬ ।
ଦର୍ଶନ ଓ ମନସ୍ତତ୍ତ୍ବ ଆଦି ଜୀବନ ସମ୍ବନ୍ଧୀୟ ବିଷୟ ଗୁଡ଼ିକରେ ଉଚ୍ଚଶିକ୍ଷାର ବିଶେଷ ମହତ୍ବ ରହିଛି କାରଣ ଏହାର ତତ୍ତ୍ବ ସବୁ ସମସ୍ତଙ୍କ ପାଖରେ ପହଞ୍ଚି ପାରୁନାହିଁ। ମଣିଷ ଏଠୁ ସେଠୁ ଯାହା ଶିଖୁଛି ସେଇଥିରେ କାମ ଚଳାଉଛି ହେଲେ ପ୍ରକୃତ ତଥ୍ୟ ଠାରୁ ଦୂରରେ ରହୁଛି। ରାଜନୀତି ଓ ମନୋରଞ୍ଜନ ଯୁବମାନସକୁ ଯେଭଳି ଭାବେ ଅକ୍ତିଆର କରୁଛି ତାହା ବଦଳୁ।
ଓଡିଶା ସଙ୍କେତ ଟୁବରେ ବହୁ ପାରମ୍ପରିକ ଗୀତର ସମାରୋହ। ଏବଂ ଯୁବ ପ୍ରତିଭା ମାନଙ୍କୁ ସୁଯୋଗ ଦିଆଯାଉଥିବା ନିଶ୍ଚୟ ପ୍ରଶଂସନୀୟ। କିନ୍ତୁ ଦୃଶ୍ୟବନ୍ଧ ଗୁଡ଼ିକର ଶୀର୍ଷକରେ ଓଡ଼ିଆ ଲେଖା ସ୍ଥାନ ପାଉନଥିବା ଆଶ୍ଚର୍ଯ୍ୟର ବିଷୟ। ସେହିପରି ଇଙ୍ଗ୍ରାଜୀରେ Sanket ବଦଳରେ Sanketa ହେଲେ ଯଥାର୍ଥ ବୋଧ ହୁଅନ୍ତା। ଓଡ଼ିଆ ଲିପି ବି ଗୋଲାକାର ହେବା ଉଚିତ।
ବନଜା ମହାନ୍ତି କୁହନ୍ତି ତାଙ୍କ ଅଭିନୟ ସମୟର କଥା। ପଦେ ଗୀତ ବି ବୋଲନ୍ତି।
ବିରାଟ ବିରାଟ ମନ୍ଦିର ତିଆରି କରିବା ପରିବର୍ତ୍ତେ ରାଜାମାନେ ଯଦି ନଦୀବନ୍ଧ ନିର୍ମାଣ କାର୍ଯ୍ୟରେ ମନ ଦେଇଥାନ୍ତେ ତାହାହେଲେ ଓଡ଼ିଶାର ରୂପ ଆଜି ଅନ୍ୟ କିଛି ହୋଇଥାଆନ୍ତା। ବନ୍ୟା ଦ୍ଵାରା ଯେଉଁ ବିପର୍ଯ୍ୟୟ ସୃଷ୍ଟି ହେଉଥିଲା ସେଥିରୁ ରକ୍ଷା ମିଳିଥାଆନ୍ତା ଓ ଏକ ସ୍ଥିର ଅର୍ଥବ୍ୟବସ୍ଥା ପ୍ରତିଷ୍ଠିତ ହୋଇପାରିଥାଆନ୍ତା। ଦଳେଇ ଘାଇ କଥା ମନେଅଛି।
ଧର୍ମ, ପୁରାଣ, ଓ ମିଥ୍ଯା ଉପାଖ୍ୟାନ ମାନଙ୍କରୁ କ୍ଷାନ୍ତି ପାଇ ଓଡ଼ିଆ ସଂସ୍କୃତିର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ନିମନ୍ତେ ଉଦ୍ୟମ ହେବା ଉଚିତ। ପର୍ଯ୍ୟଟନ ମଧ୍ୟ ଧର୍ମ ଠାରୁ ଦୂରେଇ ନିଜ ଗୋଡ଼ରେ ଛିଡ଼ା ହେବା ଆବଶ୍ୟକ। ପାରମ୍ପରିକ ଚିନ୍ତାଧାରା ମନସ୍ତାତ୍ତ୍ବିକ ଦୃଷ୍ଟିକୋଣରୁ ହୃଦୟକୁ ଶୀତଳତା ପ୍ରଦାନ କରିଥାଏ କିନ୍ତୁ ଶିଥିଳତା ଆଣେ।
ଶ୍ରୀଅରବିନ୍ଦଙ୍କ ଲିଖିତ ପ୍ରସିଦ୍ଧ ପୁସ୍ତକ ଦିବ୍ୟ ଜୀବନ କିମ୍ବା ସାବିତ୍ରୀ ପଢ଼ନ୍ତୁ। Reading a few lines from Savitri can help in such situations.
ସମାଲୋଚନାଟି ଠିକ ମନେହେଉନାହିଁ କାରଣ ପ୍ରତ୍ୟେକ ବ୍ୟକ୍ତି ତାର ସ୍ବାର୍ଥକୁ ଜଗି ଚାଲିବ। ସାମଗ୍ରିକ ଅର୍ଥବ୍ୟବସ୍ଥା ସମ୍ବନ୍ଧରେ ମୁଣ୍ଡବ୍ୟଥା ତାର ଦାୟିତ୍ବ ନୁହେଁ। ଯାହା ଘଟୁଛି ତାର ଭଲ ଦିଗ ପ୍ରତି ମଧ୍ଯ ଦୃଷ୍ଟି ଆକର୍ଷିତ ହେଉ।
ଭାରତରେ ଗଣତନ୍ତ୍ର ଏବଂ ମୁକ୍ତ ବଜାର ରହିଛି ଯାହାର ଅଂଶବିଶେଷ ହେଉଛି ଓଡ଼ିଶା। ତାଛଡ଼ା ବିବର୍ତ୍ତନ ସଦୃଶ ସମୟର ଚକ୍ର ମଧ୍ଯ ଘୁରୁଛି। ତେଣୁ, ଓଡ଼ିଶାର ଅଧିକ ଉନ୍ନତି କାହିଁକି ହୋଇପାରିଲା ନାହିଁ ବୋଲି ଦୁଃଖ କରିବାର କୌଣସି କାରଣ ନାହିଁ। ସବୁ ଜିନିଷକୁ ଟଙ୍କାରେ ମପା ଯାଇପାରିବ ନାହିଁ। ଯାହା ଆମର ପ୍ରକୃତ ଯୋଗ୍ୟତା ତାକୁ ଚିହ୍ନିବାକୁ ହେବ।
କଳାହାଣ୍ଡିର ବିଭିନ୍ନ ସ୍ଥାନରେ ଚାଲିଥିବା ନାଟକମଣ୍ଡଳୀ ଗୁଡ଼ିକର ଦୃଶ୍ୟବନ୍ଧ ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗିଲା। ଏପରି ଗୋଟିଏ ଶୈଳୀ ଏତେ ଲୋକପ୍ରିୟ ହୋଇଛି ଅଥଚ ତା ବିଷୟରେ ଆଲୋଚନା ଆଦୌ ନାହିଁ। ନାଚରେ ଛଉ ତଥା ଆଧୁନିକତାର ପ୍ରଭାବ ଥିବାପରି ଲାଗୁଛି କିନ୍ତୁ ପୋଷାକପତ୍ର ବୈଷ୍ଣବୀୟ ଧାରାର ମନେହୁଏ। କଥାବସ୍ତୁ କେଉଁ ପାରମ୍ପରିକ କିମ୍ବଦନ୍ତୀ।
ତୁଳସୀ ଓଝା, କବିତା ମଞ୍ଜରୀ ପ୍ରତିହାରୀ, ଓ ଗୌରାଙ୍ଗ ଚରଣ ଦାଶଙ୍କ ସମ୍ପାଦନାରେ ଓଡ଼ିଆ ଆତ୍ମପରିଚିତି ଚର୍ଚ୍ଚା ଏକ ବହୁମୂଲ୍ୟ ସଙ୍କଳନ। କଳା ଓ ସଂସ୍କୃତିର ବିଭିନ୍ନ ବିଭାବକୁ ଉପଯୁକ୍ତ ତଥ୍ଯ ସହ ତର୍ଜମା କରିବାର ପ୍ରଚେଷ୍ଟା ପ୍ରଶଂସନୀୟ। ପରିତାପର ବିଷୟ ଯେ ଅକାରଣ ସ୍ବାଭିମାନର ଦ୍ବାହିଦେଇ ଗୁଡ଼ାଏ ମିଥ୍ଯାକଥା ପ୍ରଚାର କରିବା ଫେଶନ ହୋଇଛି।
ଜୀବନର ପ୍ରଥମ ୩୩ ବର୍ଷ ଓଡ଼ିଶାରେ କଟିଥିବାରୁ ଓଡ଼ିଆ ସଂସ୍କୃତି ସମ୍ବନ୍ଧରେ ମୋର ଯଥେଷ୍ଟ ଅଭିଜ୍ଞତା ଥିଲା। ପରବର୍ତ୍ତୀ ୩୩ ବର୍ଷ ଦିଲ୍ଲୀରେ ଅତିବାହିତ ହେବା ଦ୍ୱାରା ଜାତୀୟ ତଥା ଆନ୍ତର୍ଜାତୀୟ ଶୈଳୀ ସବୁ ସହ ମଧ୍ୟ ପରିଚୟ ହେଲା। ବର୍ତ୍ତମାନ ପଶ୍ଚିମବଙ୍ଗର ବିଭିନ୍ନ ପ୍ରଦର୍ଶନ ପ୍ରତ୍ୟକ୍ଷ ହେଉଛି। ଏ ସବୁର ସ୍ମୃତିରାଜି ମୋର ଏକ ବଡ଼ ସମ୍ପଦ।
ଯେଉଁ ସମୟରେ ଆଲବମ ଗୀତ ଗୁଡ଼ିକର ବଜାର ଗରମ ଥିଲା ମୋର ସେତେବେଳେ ଦେଖିବାର ସୁଯୋଗ ନଥିଲା। ଏବେ କେବେ କେବେ ଦେଖେ କିନ୍ତୁ କୌଣସି ଗୋଟିଏ ଦୃଶ୍ୟବନ୍ଧ ବି ସନ୍ତୋଷଜନକ ମନେହୁଏ ନାହିଁ। ନାଚ ଓ ପୋଷାକରେ ଅନେକ ଖଇଚା ରହିଥାଏ। ତଥାପି କିଛି ଗୀତ ଶୁଣିବାକୁ ଭଲ ଲାଗେ। ଚୁପ ଚାପ ପ୍ରେମ ଆମ ଗୀତଟି ବାରମ୍ବାର ଶୁଣିହେବ। ଚିତ୍ରାୟନ ସୁରୁଚିପୂର୍ଣ୍ଣ।
ବାସୁଦେବ ସାହୁଙ୍କ ଲିଖିତ ଓଡ଼ିଆ ଶବ୍ଦ ବ୍ୟୁତ୍ପତ୍ତି ବିଜ୍ଞାନ ପୁସ୍ତକର ପ୍ରଥମ ଭାଗରେ ୬୨ଟି ସଂସ୍କୃତ ଶବ୍ଦ ଓଡ଼ିଆରେ କିପରି ଭିନ୍ନ ଅର୍ଥରେ ବ୍ଯବହୃତ ହେଉଅଛି ତାହା ଦର୍ଶାଯାଇଛି। ଉଦାହରଣ ସ୍ବରୂପ ସାହସ ଏକ ଅପରାଧ ବା କୁକର୍ମ ସୂଚକ ଶବ୍ଦ ହୋଇଥିବାବେଳେ ଓଡ଼ିଆରେ ଏହା ବିକ୍ରମ ଅର୍ଥରେ ବ୍ଯବହୃତ ହେଉଅଛି। ସେହିପରି ସହଜର ମୂଳ ହେଲା ସହଜାତ।
ବ୍ଯାଙ୍କରେ ବଦଳି ଯୋଗାଡ଼ କରି ୧୯୮୮ ମସିହାରେ ମୁଁ ଓଡ଼ିଶା ଛାଡ଼ି ଦିଲ୍ଲୀ ଆସିଲି। ୨୦୦୫ରେ ଘରେ ଇଣ୍ଟରନେଟ ଆସିବା ଯୋଗୁ ଓଡ଼ିଆ ସହ ସମ୍ପର୍କ ବଢ଼ିଲା। ପ୍ରବାସୀ ଓଡ଼ିଆ ମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବାର ସୁଯୋଗ ମିଳିଲା। ଭାଷା ପ୍ରୀତିକୁ କିଭଳି ଧର୍ମ ଓ ରାଜନୀତିଠାରୁ ଅଲଗା କରିହେବ ତାହା ଭବିଷ୍ୟତ ପାଇଁ ଏକ ଆହ୍ବାନ।
ରାଜଧାନୀ ୧୯୪୮ ମସିହାରେ କଟକରୁ ଭୁବନେଶ୍ଵରକୁ ସ୍ଥାନାନ୍ତରିତ ହୋଇଗଲା ସତ କିନ୍ତୁ ଅଢ଼େଇ ମାସ ଆଗରୁ ଆକାଶବାଣୀ କଟକ ପ୍ରତିଷ୍ଠିତ ହୋଇଥିବା ଯୋଗୁ ଏହା ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବରେ ନିଜର ବଡ଼ିମା ବଜାୟ ରଖିଲା। ତେଣୁ କଟକକୁ ଛାଡ଼ି ଓଡ଼ିଶା ବା ଓଡ଼ିଆର ପରିକଳ୍ପନା ଅସମ୍ଭବ। ଭାଷା ଦୃଷ୍ଟିରୁ ମଧ୍ୟ କଟକର ଉଚ୍ଚାରଣ ହିଁ ମାନକ ସ୍ବୀକୃତ।
ପୁରାତନୀ ଗୀତଗୁଡ଼ିକ ବିଷୟରେ ତ ମୁଁ ମୋଟେ ଆଲୋଚନା କରେନାହିଁ, କିନ୍ତୁ ଆଜି ସକାଳୁ ରମଣୀ ରତନ ମେଘକୁ ଚାହିଁ ଗୀତଟି ମନେପଡ଼ିଲା, ଓ ତିନି ଚାରୋଟି ଦୃଶ୍ୟବନ୍ଧ ଦେଖିଲି। ଲାଗୁଥିଲା ଅତି ନିମ୍ନ ସ୍ତରର କଣ୍ଠସ୍ବର ଓ ଅଳସ ଗତିର ରାଗ ବା ଛାନ୍ଦଟିଏ। କିନ୍ତୁ ଯେତିକି ଆଗକୁ ଆଗକୁ ବଢ଼ିଲା ସ୍ବର ଉପରମୁହାଁ ହେଲା। ଶେଷ ହେଲା ବେଳକୁ ଝାଳ ବୋହିଯିବ।
ହଉ ଚେଷ୍ଟା କରିବି। ଧନ୍ୟବାଦ।
ବିନୋଦ ବିହାରୀ ଦାସଙ୍କ ସଙ୍କଳିତ ସାରଳା ରତ୍ନଭଣ୍ଡାର ରସ ସାଗର ପୁସ୍ତକଟିକୁ ଯେତେ ପ୍ରଶଂସା କଲେ ବି କମ ହେବ। ଜଣେ ବ୍ୟକ୍ତିର ଉଦ୍ୟମରେ କଣ ଯେ ସମ୍ଭବ ହୋଇନପାରେ, ଏହା ତାଙ୍କଠାରୁ ପ୍ରେରଣା ନେବା କଥା। ଯାହାହେଉ, ସୃଜନିକା ତଥା ଆର୍କାଇଭ୍ସଙ୍କ ସୌଜନ୍ୟରୁ ଏହି ସବୁ ଦୁର୍ଲଭ ପୁସ୍ତକ ବର୍ତ୍ତମାନ ହାତ ପାଆନ୍ତାରେ।
archive.org/details/sarala…
ଆମ ସ୍କୁଲ ସମୟରେ ଝିଅମାନଙ୍କର ଡାକ୍ରନ ଓ ଟ୍ବିଙ୍କଲ ଫ୍ରକ ଆସିଲା ଏବଂ ପୁଅମାନଙ୍କର ଟେରିଲିନ ଓ ଟେରିକଟ ଶାର୍ଟ। ଚଉଡ଼ା ଲୁହାଫାଳ ବାଲା ବୋଷ ଲଙ୍ଗଳ ଓ ତାଇଚୁଙ୍ଗ ଧାନ ଚାଷକୁ ବଦଳାଇ ଦେଲା। ଏଣ୍ଡ୍ରିନ ଓ ଫଲିଡ଼ଲ ଖାଇ କେତେକ ଆତ୍ମହତ୍ୟା କଲେ। ଅକ୍ଷୟ ମହାନ୍ତିଙ୍କ ଟାଇଚୁଙ୍ଗ ଧାନ ଗୀତ ବି ଥିଲା ଏକ ନୂଆ ବିପ୍ଳବ।
ହାତର ନାଲି ସୂତା ଓଡ଼ିଆ ନୁହେଁ ବୋଧହୁଏ। ଆଜିକାଲି ତ ସବୁ ବାରମିଶା। ମୁଁ ପୁରୁଣା କାଳ କଥା କହୁଥିଲି। କଳାଧଳା ସିନେମାଗୁଡି଼କ ହିଁ ଓଡ଼ିଆ ଚଳଣିର ପ୍ରମାଣ।
ଓଡ଼ିଆ ସାହିତ୍ୟର ଇତିହାସରେ କବିମାନଙ୍କର ସ୍ଥାନ ବହୁତ ଉଚ୍ଚରେ କିନ୍ତୁ ସେମାନଙ୍କ ରଚନା ବିଶେଷ କିଛି କାମରେ ଆସୁନାହିଁ। ଖାଲି ଜବରଦସ୍ତି ସ୍କୁଲ କଲେଜରେ କିଛି ପଢ଼ାଯାଉଛି। କେବଳ ଗୀତଗୁଡ଼ିକର ଚାହିଦା ରହିଛି। ହାଏ ତୋ ପ୍ରେମର ରଙ୍ଗୋଲି ଭଳି ଗୀତ ଯାହାର ନିଘା ଦଶ କୋଟିକି ଛୁଇଁଲାଣି ସେ କାହିଁକି ସାହିତ୍ୟ ପଦବାଚ୍ୟ ହେବନାହିଁ ବୁଝିହେଉନି।
ହାଏ ତୋ ପ୍ରେମର ରଙ୍ଗୋଲି ଓଡ଼ିଆ କଥାଚିତ୍ର ଗୀତ ଇତିହାସରେ ସବୁଠାରୁ ଲୋକପ୍ରିୟ ଗୀତ। ସୁନ୍ଦର ଭାଷା, ସୁନ୍ଦର ଭାବ, ସୁନ୍ଦର ସ୍ବର, ସୁନ୍ଦର ଗାୟନ, ସୁନ୍ଦର ସ୍ଥାନ, ସୁନ୍ଦର ଚିତ୍ରାୟନ, ଓ ସୁନ୍ଦର ନାଚର ସମାରୋହରେ ବୁଣା ଏହି ରଙ୍ଗୋଲିଟି ସବୁ ଓଡ଼ିଆଙ୍କ ପାଇଁ ଗର୍ବ। ସମସ୍ତେ ଶୁଣିଲେ ଦଶ କୋଟି ପୂରା ହୁଅନ୍ତା।
ଅର୍ଜୁନ କଥାଚିତ୍ରର ମୁଁ ତୁମକୁ ଭଲପାଏ ଗୀତଟି ଅନେକ ପରିମାଣରେ ହାଏ ମୋ ପ୍ରେମର ରଙ୍ଗୋଲି ସହିତ ତୁଳନୀୟ। କା କଥାଚିତ୍ରର ତୁମେ ଜାଣନା ଜାଣନା ପରି ଏହି ଗୀତଟିର ସ୍ବରରେ ଏକ ବିସ୍ତୃତତା ବା ବ୍ଯାପକତାର ଭାବ ରହିଛି। ତାଛଡ଼ା, ଭାଷା ମଧ୍ୟ ହୃଦୟରେ ଉତଫୁଲ୍ଲତା ଭରିଦେବା ପାଇଁ ପ୍ରକୃଷ୍ଟ। ଚିତ୍ରାୟନ ମନ୍ଦ ନୁହେଁ।
ମୁଁ ଏକା ତୁମର କଥାଚିତ୍ରର ଦିନେ ଏଇ ରଙ୍ଗ ଲାଗିବ ଦେହରେ ଗୋଟିଏ ସୁମଧୁର ଗୀତ। ଭଲ ଲେଖା, ଭଲ ସ୍ବର, ତଥା ଭଲ ଅଭିନୟର ସମାହାର ଯୋଗୁ ଏହା ନିଶ୍ଚୟ ଲୋକପ୍ରିୟ ହୋଇ ରହିବ। ସେହିପରି, ହାତ ଧରି ଚାଲୁଥା କଥାଚିତ୍ରର ଆଜି କାଇଁ ସବୁ ଋତୁ ଫଗୁଣ ଫଗୁଣ ଗୀତଟିରେ ମଧ୍ୟ ଉଜ୍ଜଳ ଭବିଷ୍ୟତ ଲୁଚି ରହିଛି। ଦୁଇଟି ଯାକ ୨୦୧୩।
ସୁନା ଶଙ୍ଖାଳି (୨୦୦୩) କଥାଚିତ୍ରର ମୋ ସପନର ରାଜାପୁଅ କେବେ ଆସିବ ଗୋଟିଏ ଭଲ ଗୀତ ଯାହାକୁ ବାରମ୍ବାର ଶୁଣିହେବ। ସେହିପରି, କେବେ ତମେ ନାହଁ କେବେ ମୁଁ ନାହିଁ (୨୦୧୨) କଥାଚିତ୍ରର ସାତ ଋତୁ ଗଲା ମୋତେ ଛୁଇଁ, ଅନୁରୂପ। ପ୍ରେମ ସବୁଠୁ ବଳବାନ (୨୦୧୩) କଥାଚିତ୍ରର ବର୍ଷା ବର୍ଷା ତମେ ଆସିଚ ମଧ୍ୟ ଏକ ଚିରସବୁଜ ଗୀତ।
ଜଲାଲ ଆଦେନୀଙ୍କ ଅନୁତାପ ଦ୍ବାରା ୧୯୭୭ ମସିହାରେ ଯେତେବେଳେ ଓଡ଼ିଆ କଥାଚିତ୍ର ସଙ୍ଗୀତର ଧାରା କଡ଼ ଓଲଟାଇଲା, ତାପରେ ବାସୁଦେବ ରଥ ଓ ମୁସୀର ଗୀତଗୁଡ଼ିକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇଲେ। ଯଦିଓ ମୁଁ ଏହି ନୂତନତ୍ବକୁ ସ୍ବାଗତ କରିପାରୁନଥିଲି, ଲୋକପ୍ରିୟତା ବଢ଼ି ଚାଲିଥିଲା। ବାସୁଦେବ ରଥଙ୍କର ଏକ ଅନବଦ୍ୟ ସୃଷ୍ଟି।
ମୁଁ ସବୁ ରାଜନୈତିକ ଦଳକୁ ବିରୋଧ କରୁଥିବା ଯୋଗୁ ଏଠାରେ ମୋର ସମର୍ଥକ ସଙ୍ଖ୍ୟା ଖୁବ କମ। ତାଛଡ଼ା ଶ୍ରୀମାଶ୍ରୀଅରବିନ୍ଦଙ୍କ ଭକ୍ତ ହିସାବରେ ଅନେକଙ୍କ ଦୂରଛଡ଼ା ଭାବ। ତଥାପି ବିଗତ ସତୁରି ବର୍ଷ ଭିତରେ ମୁଁ ଯାହା ବଡ଼ ଓ ବିଜ୍ଞ ମାନଙ୍କଠାରୁ ଶିଖିଛି ତାକୁ ହିଁ ଲେଖୁଛି। ବିଭିନ୍ନ ଭାଷା ଓ ସଂସ୍କୃତିର ଅବଦାନରେ ମୋ ଅଭିଜ୍ଞତା ପରିପୁଷ୍ଟ ହୋଇଛି।
ଧର୍ମ ରାଜନୀତିରୁ ଦୂରରେ ରହୁ। ଭାଷା ଓ ସଂସ୍କୃତିଠାରୁ ମଧ୍ୟ ଅଲଗା ରହୁ। ବ୍ୟକ୍ତିଗତ ଆକର୍ଷଣ ରହିପାରେ, କିନ୍ତୁ ତାହା ଅନ୍ୟମାନଙ୍କ ଉପରେ ଲଦା ନଯାଉ। କିମ୍ବା ସେଇଟାକୁ ଏକମାତ୍ର ରାସ୍ତା ବା ସର୍ବଶ୍ରେଷ୍ଠ ବୋଲି ବିଚାର କରାନଯାଉ। ମୌଳିକ ଗଣତାନ୍ତ୍ରିକ ଚିନ୍ତାଧାରାରେ ଏସବୁ ସାଧାରଣ କଥା। କିନ୍ତୁ ସମୟ ଏପରି ଯେ ଅଆ କଖ ବି ଘୋଷେଇବା ଲୋଡ଼ା।
ଗଣତନ୍ତ୍ରର ନିୟମ କାନୁନ ଗୁଡ଼ିକ ଠିକ ମୂତାବକ ପାଳନ କଲେହିଁ ରାଜନୈତିକ ଦଳମାନଙ୍କ ମଧ୍ୟରେ ଖେଳଟି ଯଥାରୀତି ଚାଲିବ। କିନ୍ତୁ ଗୁନ୍ଦୁରେଇକି ଜିତିବା ଲାଗି ଚେଷ୍ଟା କଲେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେବ। ସମାଲୋଚନା କ୍ଷେତ୍ରରେ ମଧ୍ୟ ସେମିତି। ଭଦ୍ର ଭାଷା ଓ ଦୃଢ଼ ଯୁକ୍ତିକୁ ଚିହ୍ନେଇବାକୁ ପଡ଼ିବ ନାହିଁ। ଅଶ୍ଳୀଳ ଶବ୍ଦ ଦୂରରୁ ଗନ୍ଧେଇବ।
ଗଣତନ୍ତ୍ର କଣ ବୁଝିବା ପାଇଁ ବିଏ ଓ ଏମଏ ଆଦି ପାଠ ରହିଛି କିନ୍ତୁ ଏକବିଂଶ ଶତାବ୍ଦୀରେ ଇଞ୍ଜିନିୟର ମାନଙ୍କୁ ସର୍ବଜ୍ଞ ବୋଲି ଜ୍ଞାନ କରାଗଲା। ପୁଣି ମେଣ୍ଢାପଲ ଭଳି ଧଇଁସଇଁ ହୋଇ ଧାଇଁବାକୁ ବାହାବା ମିଳିଲା। ତେଣୁ ପ୍ରତ୍ୟେକ ବ୍ୟକ୍ତି ଭିତରେ ଯେଉଁ ସ୍ବତନ୍ତ୍ର ଏକ ଚିନ୍ତା ଶକ୍ତି ଥାଏ ତାହା ଶୁକୁଟି ଗଲା। ଚିନ୍ତା କଲେ ବାମପନ୍ଥୀ ବୋଲି ଗାଳି।
ନିଆଁ କଡ଼ରେ ଖାଦ୍ୟ ହାଉଲେ ହାଉଲେ ସିଝିବା ପରି ପାଠ ପାଖରେ ବୁଦ୍ଧି ପରସ୍ତ ପରସ୍ତ ହୋଇ ପାକଳ ହୁଏ। ହଜାରେ ବର୍ଷ ତଳେ କୁହାଯାଇଥିବା କଥାସବୁ ନିଆଁହୁଳା ପରି ହୁତୁ ହୁତୁ ହୋଇ ଜଳି ଉଠନ୍ତି। ଦୂର ଦୂରାନ୍ତର ମଣିଷଟି ସହିତ ଅଦ୍ଭୁତ ଆତ୍ମୀୟତା ସୃଷ୍ଟି ହୁଏ। ରାତି ଅନିଦ୍ରା ହୋଇ ତା ବହି ପଢ଼ିବା ଲାଗି ଆବେଗ ଜନ୍ମେ। ହୃଦୟ ଲଭେ ସାଗରର ବିଶାଳତା।
ପରିବାରଟିଏ ଯେମିତି ବିଭିନ୍ନ ଅନ୍ତରଙ୍ଗ ସମ୍ପର୍କ ବଳରେ ବଞ୍ଚି ଆସିଛି, ସମାଜ ମଧ୍ୟରେ ସେପରି କୌଣସି ଶକ୍ତିଶାଳୀ ଆକର୍ଷଣ ନାହିଁ। ତେଣୁ ପରସ୍ପର ମଧ୍ୟରେ କିଣାବିକା ଓ ଲାଭ ଅର୍ଜନର କ୍ରିୟାଟିକୁ ଅନେକେ ମୁଖ୍ୟ ମାଧ୍ୟମ ଭାବରେ ବିବେଚନା କରିଥାଆନ୍ତି। କଥାଟା କିନ୍ତୁ ସତ୍ଯ ଠାରୁ ଟିକିଏ ଦୂରରେ। କାରଣ, ଅନ୍ତର୍ନିହିତ ଭାତୃତ୍ବ ହିଁ ଅସଲି ଅଠା।
ମୋର କଲେଜ ଜୀବନ ୧୯୭୧ ରୁ ୧୯୭୬। ଏହି ଛଅ ବର୍ଷ ମଧ୍ୟରେ ଚଉଦଟି କଥାଚିତ୍ର ମୁକ୍ତିଲାଭ କରିଥିଲା। କଳା ସଂସ୍କୃତିର ନିଛକ ଦର୍ପଣ ଥିଲା କନକଲତା। ବତିଘର ଏକ କଳାତ୍ମକ ଛବି। ୨ୟ ଆଂଶିକ ରଙ୍ଗୀନ ଓ ପ୍ରଥମ ରଙ୍ଗୀନ ପ୍ରସ୍ତୁତି ଭାବରେ ସମୟ ଓ ଗପ ହେଲେ ବି ସତ ନାଆଁ କଲେ। ମମତା ଓ ଶେଷ ଶ୍ରାବଣ ଅଜସ୍ର ଲୋକପ୍ରିୟତା ସାଉଁଟିଲେ। ଯାଯାବର ଏକ ବିପ୍ଳବ।
https://x.com/NathTusar/status/1910021194067116099?t=N8ingCJOmDVOc8_RRXQomw&s=19
No comments:
Post a Comment