ନିଜସ୍ବ ଏକ୍ସ ଡାକ୍ତି ଗୁଡ଼ିକର ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳିତ
ଆଜି ଯାହାହେଉ ଗୀତ ଗୁଡ଼ିକ ସନ୍ଦର୍ଭରେ ସବିସ୍ତୃତ ଆଲୋଚନା ଶୁଣି ମନଟା ଖୁସି ହୋଇଗଲା। ଆଠ ବର୍ଷ ମଧ୍ୟରେ ତାଙ୍କର ଯେତିକି ଲେଖା ଆଠ ପୁରୁଷ ଧରି ଓଡ଼ିଆ ଜାତି ପାଇଁ ପ୍ରେରଣା ହୋଇ ରହିଥିବ, ଏହିଭଳି ଅନୁପ୍ରାଣିତ ଅଭିବ୍ୟକ୍ତି ସହକାରେ ସୂର୍ଯ୍ୟ ଦେଓ ପାର୍ଥସାରଥୀ ମହାପାତ୍ରଙ୍କୁ ସାଲ୍ଯୁଟ କଷିଲେ। ମୋ ପାଇଁ ଅକ୍ଷୟଙ୍କ ଛାୟା ପଛେ ପଛେ ଶ୍ରେଷ୍ଠ।
ଭକ୍ତି ସଙ୍ଗୀତ ପ୍ରାୟ ମୁଁ ଶୁଣେନାହିଁ କିନ୍ତୁ କୋଠ ଭୋଗ ଖିଆ, ପ୍ରଭୁ ପଦ ତଳେ, ଓ ସଞ୍ଜ ସକାଳେ ଭଳି କେତୋଟି ଗୀତ ମଝିରେ କେବେ ମନେ ପଡ଼ିଯାଏ। ତା ସାଙ୍ଗରେ ରାଧିକା ମୋହନ ଏବେ ଓ ନୀଳାଦ୍ରି ବିହାରୀ ହରି ବି ଜୋଡ଼ିବାକୁ ହେବ। ବାସୁଦେବ ରଥଙ୍କ ସଂଯୋଜନାରେ ଜଗତର ନାଥ ଆହେ ଜଗନ୍ନାଥ ଓ ଦୟାମୟୀ ମହାମାୟୀ ମା ମଙ୍ଗଳା ଯୋଡ଼ିକ ଅତୀବ ଆକର୍ଷଣୀୟ।
ଅଭିମାନର ଭସା ମେଘ ମୁଁ ଯେ ଭାସି ଯାଏ ଦୂରେ ଗୀତଟିର ଦୃଶ୍ୟ ମନେପଡ଼ୁଛି।
କିଛି ଅଂଶ @sudhansubhol
archive.org/details/amabas…
ନିମାଇଁ ଚରଣ ମହାପାତ୍ର
ଏବେ ପଢ଼ିଲି ଯେ ଅମାବାସ୍ୟାର ଚନ୍ଦ୍ର କିଛି ପରିମାଣରେ ଚିତ୍ରଲେଖା ଉପନ୍ୟାସର ଋଣୀ। ଚିତ୍ରଲେଖା ଉପନ୍ୟାସ ମଧ୍ୟ ଆନାତୋଲି ଫ୍ରାନ୍ସଙ୍କ ତାଇ ଉପନ୍ୟାସର ଛାଇରେ ଲିଖିତ। ଆମ୍ରପାଲି ପରି ତାଇ ଏକ ଐତିହାସିକ ଚରିତ୍ର କିନ୍ତୁ ଚିତ୍ରଲେଖା ବୋଧେ କାଳ୍ପନିକ। ସେ ଯାହାହେଉ ଅମାବାସ୍ୟାର ଚନ୍ଦ୍ରକୁ ନେଇ ଆଜି ପର୍ଯ୍ୟନ୍ତ ଯେଉଁ ଗର୍ବ ଥିଲା ଭାଙ୍ଗିଗଲା।
ପୁରୁଣା କଥାଚିତ୍ର ଗୁଡ଼ିକୁ ଏବେ କ୍ଲାସିକର ଆଖ୍ୟା ଦିଆଯାଉଛି କିନ୍ତୁ ସେ ସମୟରେ ଯଥାର୍ଥରେ ଉପଭୋଗ କଲାପରି ବା ପ୍ରଶଂସା କରିବାର ସୁଯୋଗ ଖୁବ କମ ଥିଲା। ତାର କାରଣ ହେଲା ହିନ୍ଦୀ ଛବି ମାନଙ୍କରେ ଖୁନ୍ଦି ହୋଇଥିବା ମନୋରଞ୍ଜନର ସାମଗ୍ରୀ ତୁଳନାରେ ଓଡ଼ିଆ କଥାଚିତ୍ର ଫିକା ପଡ଼ି ଯାଉଥିଲା। ତେଣେ ନବନାଟ୍ୟ ମଞ୍ଚ ମଧ୍ୟ ଭିନ୍ନ ସ୍ବାଦ ଚଖାଉଥିଲା।
ସାଧବ ଝିଅ ନାଟକରେ ଦଶାବତାର ନୃତ୍ୟ ପରିବେଷଣ କରିଥିଲେ କେଳୁଚରଣ ମହାପାତ୍ର ଓ ପରବର୍ତ୍ତୀ କାଳରେ ତାଙ୍କ ସ୍ତ୍ରୀ ଲଷ୍ମୀପ୍ରିୟା। ଦୁର୍ଲଭ ଚନ୍ଦ୍ର ସିଂହଙ୍କ ଶିକ୍ଷା ଓ ନିର୍ଦ୍ଦେଶନାରେ ଏହା ପ୍ରସ୍ତୁତ କରାଯାଇଥିଲା ବୋଲି ସେ ନିଜର ଆତ୍ମଜୀବନୀ ଏ ଶତାବ୍ଦୀର ଓଡ଼ିଆ ରଙ୍ଗମଞ୍ଚ ଓ ମୋର ଭୂମିକା (୧୯୮୮)ରେ ଉଲ୍ଲେଖ କରିଛନ୍ତି। ମାନେ ସ୍ରଷ୍ଟା ସେ।
ବତାସୀ ଝଡ଼ର ଶେଷ ଫର୍ଦ୍ଦ ଆଜି କଥା ପରଦାରରେ। ଛବିଟି ମୁଁ ଦେଖିନି। ଗୀତ ଗୁଡ଼ିକର ସ୍ବର ସବୁ ମଧ୍ୟ ମାଗି ଅଣା। ତିନି ଜଣ ଗୋଟିଏ ଗୀତ ବୋଲିବା ପ୍ରଥମ ବୋଲି ସୂର୍ଯ୍ୟବାବୁ କହିଲେ, କିନ୍ତୁ ମୋର ଟିକେ ସନ୍ଦେହ ରହିଲା। ଚିତ୍ରଟିର ନିର୍ମାଣରେ ଅନେକ ପରୀକ୍ଷା ନିରୀକ୍ଷା କରାଯାଇଛି ବୋଲି ଜାଣିବାକୁ ମିଳିଲା, ହେଲେ ଯାଞ୍ଚ କରିବାର ସୁଯୋଗ ନାହିଁ।
ଶ୍ଯାମାନୁଜ ବାବୁ ଥରେ ଲେଖିଥିଲେ ଯେ, ଚିତ୍ରଲେଖା, ଅମୃତ ଫଳ, ଓ ଅମାବାସ୍ଯାର ଚନ୍ଦ୍ର ଉପନ୍ୟାସ ତିନୋଟିକୁ ସମ୍ଭବ ହେଲେ ସେହି କ୍ରମରେ ପଢ଼ିବା ଲାଗି। ସେହିପରି, ଓଡ଼ିଶା ତଥା ଓଡ଼ିଆ ସଂସ୍କୃତି ସନ୍ଦର୍ଭରେ ଅନିବାର୍ଯ୍ୟ ପଠନୀୟ ଭାବରେ ସେ ଛମାଣ ଆଠଗୁଣ୍ଠ, କଣାମାମୁଁ, କନକଲତା, ମାଟିର ମଣିଷ, ଏବଂ ନୀଳଶୈଳ ଉପନ୍ୟାସ ପାଞ୍ଚୋଟିକୁ ବାଛିଥିଲେ।
ମନୁ ଦାଶଙ୍କ ଦ୍ବାରା ସଙ୍କଳିତ, ଦ ବିଗ ବୁକ ଅଫ ଓଡ଼ିଆ ଲିଟରେଚର ଶୀର୍ଷକ ପୁସ୍ତକଟି ଉପରେ ଏକ ଉପାଦେୟ ସମୀକ୍ଷା ପ୍ରକାଶ ପାଇଛି। ସଙ୍ଗୃହିତ ରଚନାବଳୀ ବିଭିନ୍ନ ନୂତନ ଦିଗନ୍ତ ଛୁଇଁଛି ବୋଲି ପୁସ୍ତକଟି ପ୍ରଶଂସିତ ହୋଇଛି। ଓଡ଼ିଶା ବାହାରର ପାଠକ ତଥା ଗବେଷକ ମାନଙ୍କୁ ଏହା ଯଥେଷ୍ଟ ଖୋରାକ ଯୋଗାଇ ପାରିବ ବୋଲି ଆଶା।
ଓଡ଼ିଆ ଲିପିଟି ଆମର ଏଡ଼େ ସୁନ୍ଦର ଯେ ଅନ୍ୟାନ୍ୟ ସବୁ ଅପୂର୍ଣ୍ଣତା ସତ୍ବେ ଭାଷା ଓ ରାଜ୍ୟ ଲାଗି ମନ ଗର୍ବରେ ପୁରି ଉଠେ। ଏପରି ଗୋଲାକାର ଡଉଲ ଡାଉଲ ଚେହେରା ଅନ୍ୟ କୌଣସି ଭାରତୀୟ କିମ୍ବା ବିଦେଶୀ ଭାଷାର ନାହିଁ। ଉଚ୍ଚାରଣ ମଧ୍ୟ ଅନୁରୂପ ବସେଇ ବସେଇ କରି। ହଳନ୍ତ ନାହିଁ କି ଉର୍ଦ୍ଧ୍ବଶ୍ବାସ ହୋଇ ଦୌଡ଼ିବା ଭଳି କଥା କହିବାର ଆବଶ୍ୟକତା ନାହିଁ।
ବହୁ ତଥ୍ୟ ସମ୍ବଳିତ ଗୀତିକାର ନନ୍ଦ କିଶୋର ସିଂହଙ୍କ ଆତ୍ମଜୀବନୀ, ଝଲକ ଜୀବନର-ସୃଜନୀର (୨୦୦୫)। ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରେ, ସୂର୍ଯ୍ୟ ଉଇଁଲେ ପ୍ରଥମେ ଚାହିଁବ, ଜହ୍ନତ ଦେଇଛି ଚିଠି କୁନି କୁନି ଜୋଛନା ହାତରେ, ବସନ୍ତ ଲେଖିଛି ଚିଠି ଗୋଲାପି ଗୋଲାପି, ସୁଷମାଗୋ ତୁମ ଅଙ୍ଗେ ଭରା ମଧୁ ଜୋଛନା, ମୁଁ ଯେ ଆଲୋକର ଏକ ଝଡ଼, ଓ ମହୁଆ ଭାବି ମୋତେ।
ବଳଙ୍ଗାର ଜମିଦାର ବନମାଳୀ ପତି ରାମଚନ୍ଦ୍ର ମାଣିଆଙ୍କୁ ନିଜ ରାଧାକୃଷ୍ଣ ଥିଏଟରର ମାଷ୍ଟର ଭାବେ ନିଯୁକ୍ତ କଲେ ଓ ମାଣିଆଙ୍କୁ ନାଟ୍ୟ ନିର୍ଦ୍ଦେଶକ ବୃନ୍ଦାବନ ବିହାରୀ ଦାଶଙ୍କ ଠାରୁ ଶିକ୍ଷା ଗ୍ରହଣ କରିବାର ସୁଯୋଗ ମିଳିଲା। ଶ୍ରୀ ଦାଶ ସଂସ୍ଥା ଛାଡ଼ି ରଣପୁର ଗଲାବେଳେ ମାଣିଆ ମଧ୍ୟ ଯିବାପାଇଁ ଚାହିଁଲେ କିନ୍ତୁ ତାଙ୍କୁ ବୁଝାଇ ସୁଝାଇ ରଖାଗଲା।
ଅପର୍ଣ୍ଣା ମହାନ୍ତିଙ୍କ ନାରୀମନ (୨୦୧୨)ର କିଛି ଅଂଶ ପଢିଲି। ପ୍ରତ୍ୟେକ ବ୍ୟକ୍ତି ଓ ତାର ପରିସ୍ଥିତି ଅଲଗା। ତେଣୁ ସେ ପୁରୁଷ ହେଉ ବା ନାରୀ, ସାମୂହିକ ଭାବରେ ଯେ କୌଣସି ପର୍ଯ୍ୟବେକ୍ଷଣ ଅଥବା ମୂଲ୍ୟାଙ୍କନରେ ଅବାସ୍ତବତା ରହିବା ସ୍ୱାଭାବିକ। ତାପରେ ମଣିଷ ଜୀବନ ସାରା ଶିଖୁଥାଏ ଓ ଅନୁଭବ କରୁଥାଏ। ସାହିତ୍ୟର ଚରିତ୍ର ମାନଙ୍କ ପରି ଅଚଳ ନୁହେଁ।
ବିଜୟଲକ୍ଷ୍ମୀ ମହାନ୍ତିଙ୍କ ସମ୍ପାଦିତ ଭାଷା ଓ ଲିପି (୨୦୧୭) ପୁସ୍ତକରେ ଏଗାରଟି ଓଡ଼ିଆ ଅକ୍ଷରକୁ ନିର୍ବାସିତ କରିବାର ପରାମର୍ଶ ପଢ଼ି ମୋତେ ଆଶ୍ଚର୍ଯ୍ୟ ଲାଗିଲା। ସେହିପରି ଯୁକ୍ତାକ୍ଷର ବଦଳରେ ଅନୁସାର ଓ ହଳନ୍ତର ଉପଯୋଗ ହେଉ ବୋଲି ବିଶେଷଜ୍ଞମାନଙ୍କ ମତ। ହେଲେ ଏହାଦ୍ବାରା ଓଡ଼ିଆ ଲେଖାର ଯେ କି ଅପରିଛନିଆ ରୂପ ହେବ ତାହା ଭାବି ଡର ମାଡ଼ୁଛି।
ସ୍ନେହଲତା ମିଶ୍ରଙ୍କ ଲିଖିତ ବେତାର ନାଟ୍ୟସ୍ରଷ୍ଟା ଗୋପାଳ ଛୋଟରାୟ (୨୦୦୩) ପୁସ୍ତକରୁ ପଢ଼ିଲି ଯେ ନିଜର ମୌଳିକ ରଚନା ବ୍ଯତୀତ ଅନେକ ଲୋକପ୍ରିୟ ଉପନ୍ୟାସର ନାଟ୍ୟରୂପ ମଧ୍ୟ ଶ୍ରୀ ଛୋଟରାୟଙ୍କ କୃତି। ଝଞ୍ଜା ପ୍ରଚାରିତ ହୋଇଥିଲା ୨୯.୯.୧୯୬୯ରେ ଯାହା ମୁଁ ନିଶ୍ଚିତ ଭାବରେ ଶୁଣିଥିବି। ତାଛଡ଼ା ବଧୂ ନିରୂପମା, ଅମଡ଼ାବାଟ, ଓ ମଲାଜହ୍ନ ଆଦି ନାଟକ।
ଅଧ୍ୟାପକ ମଧୁସୂଦନ ଦାଶଙ୍କ ଦ୍ୱାରା ସଙ୍କଳିତ ଅବସର ବିନୋଦନ (୨୦୦୪) ପୁସ୍ତକରେ ବିଭିନ୍ନ ସ୍ବାଦର ଗୀତ ଓ କବିତା ସନ୍ନିବେଶିତ ଯେଉଁଗୁଡ଼ିକ ଆମ ଓଡ଼ିଆ ସାହିତ୍ୟର ମେରୁଦଣ୍ଡ ସ୍ବରୂପ। ନନ୍ଦକିଶୋର ବଳଙ୍କ ଜେମାଦେଈ କବିତାର ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର ଜେମାଦେଇ କାନ୍ଦୁଛନ୍ତି ଝୁରି ବୁଢ଼ା ବର ଆଖିରେ ପଡ଼ିଲା ଯାହା ଏକ କରୁଣ କାହାଣୀ।
ଅପର୍ଣ୍ଣା ମହାନ୍ତିଙ୍କ ସମ୍ପାଦିତ ଅସ୍ମିତାର ପରମ୍ପରା (୨୦୧୭) କବିତା ସଙ୍ଗ୍ରହରେ ସୀମା ମିଶ୍ରଙ୍କ ତାରାମାନଙ୍କ ପାଇଁ କବିତାର ଆଠ ଧାଡ଼ି [ଫୁଲ ବିକୁଥିବା ସେଇ ଝିଅଟିକୁ ପଚାରିଛ ସଜଳ ସଂଜରେ ନୀଳାକାଶର ସାମିଆନା ତଳେ ସେଇ ଛୋଟିଆ ଝିଅଟିର ସ୍ଵପ୍ନିଳ ଆଖିପତାର ତଳେ କେବେ ଜହ୍ନର ଉଦୟ ହୁଏ? କେଉଁଠାରୁ ନେଇଆସେ ସେ ଭଲ ପଇବାର ଏତେ ଜହ୍ନ ଆଲୁଅ?]
ବୋଧହୁଏ ଛବିଟିର ଜଟିଳତା ଯୋଗୁ ବ୍ଯଙ୍ଗାତ୍ମକ ନାଟ୍ୟରୂପ ନଥିବାରୁ କଥା ପରଦାର ଆଜି ବେଶ ଉପଭୋଗ କରିହେଲା। ନାଗଫାସ ଓଡ଼ିଆ ସିନେମା ଇତିହାସରେ ଅନେକ ପ୍ରଥମ ଲମ୍ଫର ଅଧିକାରୀ ଯାହା ବିଜୟ ମହାନ୍ତିଙ୍କୁ ନୂଆ ରୂପରେ ଉପହାର ଦେଇଥିଲା। ମାଳବିକା ପରଦାକୁ ଆସିଲେ। କାହାଣୀରେ ମଧ୍ୟ ଅନେକ ରହସ୍ଯ ଓ ନୂତନତ୍ବ। ଗୀତ ଗୁଡ଼ିକ ମଧ୍ୟ ବିଭିନ୍ନ ସ୍ବାଦର।
ଓଡ଼ିଆ ଭାଷା, ଜାତି ଓ ଜାତୀୟତା (୨୦୧୨) ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଏକ ପ୍ରବନ୍ଧ ସଙ୍ଗ୍ରହ ଯେଉଁଥିରେ କିମ୍ବଦନ୍ତୀ ଓ ଇତିହାସ ଆଧାରିତ ଅନେକ ତଥ୍ୟ ରହିଛି କିନ୍ତୁ ଆଧୁନିକ ଜୀବନର ଅଙ୍ଗ ହିସାବରେ ସିନେମା, ସଙ୍ଗୀତ, ବା ଦୃଶ୍ୟବନ୍ଧ ଇତ୍ୟାଦି ସମ୍ବନ୍ଧରେ ପ୍ରାୟ କିଛି ନାହିଁ। ଭାଷା ଉପରେ ବିପଦ ବହୁତ। ତଥାପି, ନିତି କିଛି ନୂଆ ସୃଷ୍ଟି ହେଉଛି।
ପ୍ରତିଭା ଶତପଥୀଙ୍କ ନାରୀ ଅସ୍ତିତ୍ୱର ବାସ୍ତବତା: ବିବର୍ତ୍ତିତ ଓଡ଼ିଆ କବିତା (୨୦୦୯) ବହିରେ ସାହିତ୍ୟ ଓ ସମାଜଶାସ୍ତ୍ର ଗୋଳିଆମିଶା ହୋଇଯାଇଛି ବୋଲି ମୋର ମନେହେଲା। ତାଛଡ଼ା ଅପରାଧକୁ ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଭାବରେ ଚିତ୍ରଣ କରାଯିବା ଯୋଗୁ ସାମାଜିକ ମନୋଭାବର ଯଥାର୍ଥ ସ୍ବରୂପ ଅଭିବ୍ୟକ୍ତ ହୋଇପାରୁନଥିବା ଏକ ନୈରାଶ୍ୟଜନକ ବାସ୍ତବିକତା।
ଅଧ୍ୟାପକ ନାରାୟଣ ସାହୁଙ୍କ ନାଟକ ସମ୍ଭାର ଉପରେ ଜ୍ଞାନୀ ଦେବାଶିଷ ମିଶ୍ରଙ୍କ ଦ୍ୱାରା ସମ୍ପାଦିତ ନଟ ନାଟ୍ୟ ନାଟ୍ୟାୟନ (୨୦୧୫) ଏକ ଉପାଦେୟ ପୁସ୍ତକ। ବିଭିନ୍ନ ଦୃଷ୍ଟିକୋଣରୁ ବିଭିନ୍ନ ଲେଖକ ମାନେ ତାଙ୍କ ସୃଷ୍ଟି ସବୁକୁ ବିଶ୍ଳେଷଣ କରିଛନ୍ତି ଯାହାଦ୍ୱାରା ନାନା ପ୍ରକାରର ଐତିହାସିକ ଦିଗଗୁଡ଼ିକର ମଧ୍ୟ ପୁନର୍ମୂଲ୍ଯାଙ୍କନ ସମ୍ଭବ ହୋଇପାରିଛି।
କବିଚନ୍ଦ୍ରଙ୍କ ଚୁମ୍ବନ ନାଟକରେ ଗୋଟିଏ ସଂଳାପ ହେଲା, "ତୋ ପ୍ରତି ମୋର ଗୋଟେ ହିଂସା ଆସୁଛି।" ଆଗରୁ ଇର୍ଷା ବଦଳରେ ହିଂସା ବାଦ କହିବାର ପ୍ରଚଳନ ଥିଲା। ବଙ୍ଗଳାରେ ମଧ୍ୟ ଅଛି ବୋଧହୁଏ। ଅପର୍ଣ୍ଣା ମହାନ୍ତିଙ୍କ ନାରୀମନ (୨୦୧୨) ପୁସ୍ତକରେ ନାରୀମାନଙ୍କ ଇର୍ଷାର ଭିନ୍ନ ଭିନ୍ନ ରୂପର ପ୍ରାଞ୍ଜଳ ବର୍ଣ୍ଣନା କରାଯାଇଛି।
ହିନ୍ଦୀ ଅର୍ଥ କହିବାଟା ଠିକ ହେବନାହିଁ କାରଣ ହିଂସା ଦୁଇଟି ଯାକ ଅର୍ଥରେ ବ୍ୟବହୃତ ହେଉଥିଲା। ଇର୍ଷା ଅର୍ଥରେ ତାର ଅପଭ୍ରଷ୍ଟ ମଧ୍ୟ ହୋଇପାରେ।
ହିନ୍ଦୀ ବଦଳରେ ସଂସ୍କୃତ କହିଲେ ଆପଣଙ୍କ ଯୁକ୍ତି ଟିକେ ଦୁର୍ବଳ ହେବ ବୋଧହୁଏ!
ଶବ୍ଦଟି ଯେହେତୁ ସଂସ୍କୃତର, ଓଡ଼ିଆ ସମେତ ସବୁ ଭାଷାରେ ସ୍ଥାନ ପାଇବା ସ୍ବାଭାବିକ। କିନ୍ତୁ ଭାଗବତରେ ବି ଦେଖିଲି, ହିଂସା କପଟ। ତେଣୁ ଆପଣ ଠିକ ହୋଇ ପାରନ୍ତି।
ହଁ, ମୁଁ କିଛି ଦିନ ତଳେ ଅଙ୍କୁଶ ଲଗାଇବା ଉପରେ ଲେଖିଥିଲି।
ହେମନ୍ତ କୁମାର ଦାସ ତାଙ୍କ ଓଡ଼ିଆ ନାଟକର ଉତ୍ତର ଆଧୁନିକ ପର୍ବ (୨୦୦୮) ପୁସ୍ତକରେ ୧୯୮୦ ରୁ ୨୦୦୬ ପର୍ଯ୍ୟନ୍ତ ନାଟ୍ୟକାର ମାନଙ୍କ ସୃଷ୍ଟିର ସମୀକ୍ଷା ପ୍ରଦାନ କରିଛନ୍ତି। ମନୋରଞ୍ଜନ ଦାସ ୧୯୫୦ ମସିହାରେ ଉତ୍ତର ଆଧୁନିକ ଯୁଗର ସୂତ୍ରପାତ କରିଥିଲେ ମଧ୍ୟ ସେ ଯୁଗକୁ ଆଧୁନିକ ଆଖ୍ୟା ଦେଇ ତା ପରବର୍ତ୍ତୀ ସମୟକୁ ଉତ୍ତର ଆଧୁନିକ ପର୍ବ କୁହାଯାଇଛି।
ଫକୀରମୋହନଙ୍କ ଠାରୁ ଆରମ୍ଭ କରି ଚିତ୍ତରଂଜନ ଚିରଞ୍ଜିତଙ୍କ ପର୍ଯ୍ୟନ୍ତ ୩୭ ଜଣ ଉପନ୍ୟାସକାରଙ୍କ ସୃଷ୍ଟିକୁ ବିଶ୍ଲେଷଣ କରିଛନ୍ତି ବିଭିନ୍ନ ସାହିତ୍ୟିକ ଯାହା ଚିତ୍ତ ରଞ୍ଜନ ପଣ୍ଡାଙ୍କ ଦ୍ୱାରା ସମ୍ପାଦିତ ଓଡ଼ିଆ ଉପନ୍ୟାସ ସ୍ରଷ୍ଟାଙ୍କ କୃତି ଓ କୃତିତ୍ୱ (୨୦୨୦)ରେ ସନ୍ନିବେଶିତ। ସମ୍ପାଦକଙ୍କ ଅବତରଣିକାରେ ଉପନ୍ୟାସର ବିବର୍ତ୍ତନର ଚିତ୍ର ମିଳେ।
ଶରତ ଚନ୍ଦ୍ର ରଥଙ୍କ ଦ୍ବାରା ସମ୍ପାଦିତ ନୂତନତାର ସନ୍ଧାନରେ ବିଂଶ ଶତକର ଓଡ଼ିଆ ସାହିତ୍ୟ (୨୦୦୫) ପୁସ୍ତକରେ ଦଶଜଣ ଆଲୋଚକଙ୍କର ପ୍ରବନ୍ଧ ସ୍ଥାନ ପାଇଛି। ନୀଳାଦ୍ରି ଭୁଷଣ ହରିଚନ୍ଦନଙ୍କ ଲେଖା ନବଚେତନାଧର୍ମୀ ନାଟକରେ ଅତୀତ-ପ୍ରତ୍ଯାବର୍ତ୍ତନ ୧୯୮୦ ପରବର୍ତ୍ତୀ ନାଟକଗୁଡ଼ିକ ଲୋକ ଉପାଦାନ ତଥା ଲୋକନାଟ୍ୟ ଉପାଦାନ ପ୍ରୟୋଗ କରିଥିବାର ଦର୍ଶାଇଛି।
ହାସ୍ୟାଭିନେତା ଦୀନବନ୍ଧୁ ଦାସ (ଟିମା)ଙ୍କ ଆତ୍ମକଥା କଳାକାରର କାହାଣୀ (୨୦୦୦) ଗୋଟିଏ ଉପନ୍ୟାସ ଠାରୁ କିଛି କମ ନୁହେଁ। କିଶୋର ଅବସ୍ଥାରେ ମଧୁମଙ୍ଗଳ ଭୂମିକାରେ ଅଭିନୟ କରି ସେ ପ୍ରଶଂସାଭାଜନ ହୋଇଥିଲେ। ନାଟକ ଛଡ଼ା ନୂଆବୋଉ ଆଦି ଛଅଟି କଥାଚିତ୍ରରେ ମଧ୍ୟ ସେ ଅଛନ୍ତି। ଆକାଶବାଣୀର ଗାଁ ଗହଳିରେ ମଙ୍ଗୁଳି ହିସାବରେ ସେ ଘରେ ଘରେ ପରିଚିତ ଥିଲେ।
ଶରତ ମହାନ୍ତିଙ୍କର ଫଟ ପରି ଲାଗୁଛି।
କବିଚନ୍ଦ୍ର କାଳୀଚରଣ ଜୀବନୀ ଓ ଜୀବନ (୨୦୧୨)ରେ ହେମନ୍ତ କୁମାର ଦାସ କୁମ୍ଭାରଚକକୁ ଫକୀର ମୋହନଙ୍କ ଆତ୍ମଚରିତ ସହିତ ତୁଳନା କରିଛନ୍ତି। ମୂଲିଆ ନାଟକର ମୁଖବନ୍ଧରେ ରାମଚନ୍ଦ୍ର ମିଶ୍ରଙ୍କ ଆଲୋଚନା, ଦୁର୍ଲଭ ଚନ୍ଦ୍ର ସିଂହଙ୍କ ଏ ଶତାବ୍ଦୀର ଓଡ଼ିଆ ରଙ୍ଗମଞ୍ଚ ଓ ମୋର ଭୂମିକା, ତଥା ଦୀନବନ୍ଧୁ ଦାସ (ଟିମା)ଙ୍କ କଳାକାରର କାହାଣୀରେ ଅନ୍ୟ ଦିଗ ଅଛି।
ଭଲ ହେଲା। ଶାସ୍ତ୍ରୀୟ ଭାଷା ଭାବରେ ଓଡ଼ିଆର ଯେଉଁ ଗର୍ବ ଥିଲା ଭାଙ୍ଗିଗଲା। ଧିରେ ଧିରେ ସବୁ ଭାଷାକୁ ଏହି ସମ୍ମାନ ମିଳିବ ଓ ତାପରେ ତାର ଆଉ କିଛି ବିଶେଷତ୍ବ ରହିବ ନାହିଁ। ନିଶା ଖସିଯିବା ପରେ, ନିଜ ଭାଷାକୁ ରକ୍ଷା କରିବା ପାଇଁ ନିଜକୁ ଯେ କଷ୍ଟ କରିବା ପାଇଁ ପଡ଼ିବ, ଏ କଥା ବୁଝିହେବ। କେବଳ ସରକାରୀ ଅନୁଦାନକୁ ଚାହିଁ ବସିଲେ ଚଳିବ ନାହିଁ।
ଦୀର୍ଘ ଦିନ ଧରି ଓଡ଼ିଶା ବାହାରେ ରହିବା ଫଳରେ ହିନ୍ଦୀ କହିବା, ବୁଝିବା, ଓ ପଢ଼ିବା ସହଜ ହୋଇଯାଇଛି। ଲେଖିବା ବି ଜଣା କିନ୍ତୁ ପ୍ରାୟ ଦରକାର ହୁଏ ନାହିଁ। ସେହି ତୁଳନାରେ ବଙ୍ଗଳା କହିବା ଓ ବୁଝିବା କିଛି ମାତ୍ରାରେ ଆୟତ୍ତ ହୋଇଛି କିନ୍ତୁ ପଢ଼ିବା ସହଜସାଧ୍ୟ ହେଉନାହିଁ। ଆଉ ଲେଖିବା କଥା ତ ଛାଡ଼। ସେ ଲିପି ପ୍ରତି କେମିତି ଗୋଟାଏ ବିତୃଷ୍ଣା।
ଭାକ୍ତିକ ଶବ୍ଦଟି ପଢ଼ି କାହିଁକି ଟିକେ ଅଡ଼ୁଆ ଲାଗିଲା। ମୁଁ ଶିଖିଥିବା ବା ପଢ଼ିଥିବା ଓଡ଼ିଆ ଭିତରେ ଏ ଶବ୍ଦଟି ନଥିଲା। ମୂଳ ଶବ୍ଦଟିର ଭାବଠାରୁ ଦୂରେଇ ଗଲା ଭଳି ବୋଧ ହେଉଛି। ଅବଶ୍ୟ ଭାଷା ସମୟକ୍ରମେ ପରିବର୍ତ୍ତିତ ହୋଇ ଚାଲିଛି ଓ ଏବେକାର ପାଠକମାନଙ୍କର ସେସବୁ ଦେହସୁହା ହୋଇଯାଉଛି। ତଥାପି ଏପରି ଅଙ୍କୁଶୀକରଣ ପ୍ରକ୍ରିୟାର ପ୍ରତିରୋଧ ହେଉ।
ରାମ୍ପି ବିଦାରି ଆଜ୍ଞା।
ସବୁଠିଁ ମିଳେନାହିଁ। ଖୋଜିବାକୁ ପଡ଼େ।
ନାଗଫାସର ଦ୍ବିତୀୟ ଅଧ୍ଯାୟ ଆଜି କଥା ପରଦାରରେ। ଅନୀତା ଦାସ ପ୍ରଥମ ଓ ଶେଷ ଥର ପାଇଁ ହାସ୍ୟ ଅଭିନୟ କରିଥିଲେ ବୋଲି କୁହାଗଲା। ସେହିପରି ଝିଅ ଦେଖିଲି ତିନିଟି ଗୀତଟି ବାଜିବା ବେଳେ ଶ୍ଯାମଳେନ୍ଦୁଙ୍କୁ ମନେପକାଇ ଥିଲେ ଖୁସି ଲାଗିଥାଆନ୍ତା। ନାଗଫାସର ଗୀତ ବହିଟି ମଧ୍ୟ ଅସାଧାରଣ ଥିଲା। ବଡ଼ ଆକାରର ଓ ଆକର୍ଷଣୀୟ ଅଫସେଟ ମୁଦ୍ରଣ। ମୋ ପାଖରେ ଅଛି।
ମନରେ ଢୁକିବା ବା ମୁଣ୍ଡକୁ ଢୁକିବା ବୋଧେ ଏକମାତ୍ର ଅର୍ଥରେ ଢୁକିବା ଶବ୍ଦଟି ଓଡ଼ିଆରେ ବ୍ୟବହାର କରାଯାଏ। କିନ୍ତୁ ବଙ୍ଗଳାରେ ସେହି ଅର୍ଥରେ ବିଭିନ୍ନ ଭାବରେ ଏହାର ଉପଯୋଗ ଅଛି। ଅବଶ୍ୟ, ବାଲେଶ୍ବରିଆ ବା ସମ୍ବଲପୁରୀ କଥାବାର୍ତ୍ତାରେ ବଙ୍ଗଳାର ଅନୁକରଣ ଅଧିକ ହୋଇଥାଇପାରେ। ତାପରେ, ଢୋକିବା ଶବ୍ଦଟି ଅଲଗା ନା ତାର ସମ୍ପର୍କିୟ ସେ ଏକ ପ୍ରଶ୍ନ।
ଆମ ସ୍କୁଲ ସମୟରେ କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ଗୁଡ଼ିକ ଯେପରି ଲୋକପ୍ରିୟ ଥିଲେ ଓ ମୁଁ ପଢ଼ିବାର ସୁଯୋଗ ପାଇଥିଲି, କବିଚନ୍ଦ୍ର କାଳୀଚରଣଙ୍କ ନାଟକ ସବୁ ବୋଧହୁଏ ପାଠକ ମାନଙ୍କ ପାଖରେ ପହଞ୍ଚି ପାରୁନଥିଲା। କିନ୍ତୁ ଓଡ଼ିଶାର ଗ୍ରାମ୍ୟଜୀବନ ଓ ଲୋକାଚାରର ନିଖୁଣ ପ୍ରତିଛବି ଉଭୟ ଲେଖକ ଆଙ୍କିଛନ୍ତି। ଗାଉଁଲି ଶବ୍ଦ ଗୁଡ଼ିକର ଗନ୍ତାଘର ମଧ୍ୟ।
ରତ୍ନାକର ଚଇନିଙ୍କ ଦ୍ୱାରା ସମ୍ପାଦିତ କଥିତ ଓଡ଼ିଆ ଶବ୍ଦକୋଷ (୨୦୧୮) ଏକ ଅମୂଲ୍ୟ ଗ୍ରନ୍ଥ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଲୋକମୁଖରେ ପ୍ରଚଳିତ ଶବ୍ଦସବୁକୁ ସଙ୍ଗ୍ରହ କରାଯାଇଛି। ଏହା ଅଭିଧାନଟିର ଉଭୟ ଶକ୍ତି ଓ ଦୁର୍ବଳତା ମଧ୍ୟ। ଆମ ଆଡ଼ର ଶବ୍ଦଗୁଡ଼ିକୁ ଏକାଠି ଗୋଟିଏ ତାଲିକାରେ ଦେଖିଲେ ଯେଉଁ ଖୁସି ମିଳନ୍ତା ତାହା ବାରମିଶା ଖେଚେଡ଼ିରେ କାଇଁ?
ହୃଷୀକେଶ ମଲ୍ଲିକ ଓ କନିଷ୍କଙ୍କ ଦ୍ୱାରା ସମ୍ପାଦିତ ଓଡ଼ିଆ ଗଳ୍ପର ଅନ୍ଧକାର ଯୁଗ ଓ ତାପରେ (୨୦୧୪)ରେ ବେଶ କିଛି ତୀବ୍ର ତଥା ସାହାସିକ ସମାଲୋଚନା ପଢ଼ିବାକୁ ମିଳିଲା। ଶରବିଦ୍ଧ ଗାଳ୍ପିକମାନେ ହେଲେ କିଶୋରୀ ଚରଣ ଦାସ, ଅଖିଳମୋହନ ପଟ୍ଟନାୟକ, ରବି ପଟ୍ଟନାୟକ, ଶାନ୍ତନୁ କୁମାର ଆଚାର୍ଯ୍ୟ, ମହାପାତ୍ର ନୀଳମଣି ସାହୁ, ଅଚ୍ୟୁତାନନ୍ଦ ପତି, ଇତ୍ୟାଦି।
ରଞ୍ଜନ ପ୍ରଧାନଙ୍କ ତନୁଜା ବଳକୁ ନେଇ ଯେତେସବୁ ବେକାରିଆ ଗପ (୨୦୦୪) ଗଳ୍ପଗୁଚ୍ଛଟି ପ୍ରତିମା ନାୟକ ବା ଅଳକା ସାନ୍ଯାଲ ପରି ମନରେ କୌତୁହଳ ସୃଷ୍ଟି କଲାଭଳି ଏକ ନୂଆ ନାୟିକା ଗଢ଼ିତୋଳିବାକୁ ସକ୍ଷମ ହୋଇଛି। ତନୁଜା ତ ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି ତେଣୁ ତାଙ୍କ ଜାଗାରେ ଆମେ ଆମର ପ୍ରିୟ ବନଜା ମହାନ୍ତିଙ୍କୁ ମନେପକାଇ ପାରିବା।
ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ ତାଙ୍କ ସାନ ଭଉଣୀ ବିନୋଦିନୀ ଦେବୀ (ଚୁନି)ଙ୍କ ଲିଖିତ, ମୋ ବୋଉର କାହାଣୀ ପେଡ଼ିରୁ (୨୦୧୩)ର ମୁଖବନ୍ଧ ଲେଖିଛନ୍ତି। ବହି ସମ୍ପର୍କରେ ଲେଖିଛନ୍ତି ଦେବ୍ରାଜ ଲେଙ୍କା। ତିଗିରିଆ ଗଡ଼ର ବିନୋଦିନୀ ଅକ୍ଷୟ ମହାନ୍ତିଙ୍କ ଭଉଣୀ ସୁଲକ୍ଷଣାଙ୍କର ନଣନ୍ଦ। ବର୍ଷକ ତଳେ, ଅକ୍ଟୋବର ୧୬ ତାରିଖରେ, ତାଙ୍କର ପରଲୋକ ହୋଇଥିଲା।
କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଆଲୋଚନାର ଭିନ୍ନ ଇଲାକା (୨୦୧୬)ରେ ତାଙ୍କ ୧୬ଟି ପ୍ରବନ୍ଧ ଭିତରେ ସାଂପ୍ରତିକ ଓଡ଼ିଆ ଗୀତିକବିତାର ରୂପବୈଚିତ୍ର୍ଯ ଅନ୍ୟତମ ଯେଉଁଥିରେ ସେ ନାରାୟଣ ପ୍ରସାଦ ସିଂହ, ଜୀବନାନନ୍ଦ ପାଣି, ଗୁରୁକୃଷ୍ଣ ଗୋସ୍ଵାମୀ, ବିନୋଦିନୀ ଦେବୀ, ସ୍ନେହପ୍ରଭା ମହାନ୍ତି, ବୃନ୍ଦାବନ ଜେନା, ଓ ଦେବେନ୍ଦ୍ର ଦାସ ଆଦିଙ୍କ ସମୀକ୍ଷା କରିଛନ୍ତି।
ବିଶ୍ୱକୁ ଗବାକ୍ଷ ଚିତ୍ତରଞ୍ଜନ ଦାସଙ୍କର ଏକ ସାରଗର୍ଭକ ପୁସ୍ତକ। ଝରକାକୁ ନେଇ ଏହିପରି ଅନେକ ପୁସ୍ତକ ରହିଛି। କିନ୍ତୁ ଝର୍କା ଲେଖା ଥିଲେ ଝଟକା ଲାଗିଲା ପରି ବୋଧ ହୁଏ।
ଝିଅ ପାଇଁ ଝର୍କାଟିଏ - ଅପର୍ଣ୍ଣା ମହାନ୍ତି
ମୋ ଝର୍କାରୁ ପୃଥିବୀ - ସୁସ୍ମିତା ବାଗ୍ଚୀ
ଝର୍କା ବାହାରେ ଭାରତ - ଶଶଧର ଦାସ
ଝର୍କା ସେପାଖର ନାରୀ - ବିଶ୍ବଜିତ ମହାପାତ୍ର
ବିଜୟଲକ୍ଷ୍ମୀ ଦାଶଙ୍କ ଦ୍ୱାରା ଲିଖିତ ଆଧୁନିକ ଓଡ଼ିଆ କବିତାରେ ପ୍ରଗତିବାଦୀ ଚେତନା (୨୦୧୧) ଏକ ଚିନ୍ତୋଦ୍ଦୀପକ ପୁସ୍ତକ। ମାର୍କ୍ସବାଦୀ ଚିନ୍ତାଧାରାର ପ୍ରଭାବ ଏବେ ବି ଲୋପ ପାଇନାହିଁ। ତେଣୁ ସାହିତ୍ୟ କ୍ଷେତ୍ରରେ ଏହାର ଇତିହାସ ଓ ବିବର୍ତ୍ତନ କେତେଦୂର ଶିକ୍ଷା ଓ ସଂସ୍କୃତିକୁ ନିୟନ୍ତ୍ରଣ କରୁଛି ତା' ଠିକ ଭାବେ ବୁଝିବାର ଆବଶ୍ୟକତା ରହିଛି।
ଚିତ୍ତ ରଞ୍ଜନ ପଣ୍ଡାଙ୍କ ଗଳ୍ପଗୁଚ୍ଛ ଆଳୁକୁଚି ମାଳୁକୁଚି ଗପର ଗପ (୨୦୧୫) ନିଶ୍ଚିତ ଭାବେ ନିଜର ନାଆଁ ପାଇଁ କୌତୁହଳପୂର୍ଣ୍ଣ। ରାଜ୍ୟବର୍ଦ୍ଧନ ଧଳମହାପାତ୍ରଙ୍କ ଗଳ୍ପ ସଙ୍ଗ୍ରହ ଶାରୀ ଓ ମୂକପୁତ୍ରର କାହାଣୀ (୨୦୨୧) ମଧ୍ୟ ଅନୁରୂପ। ସେହିପରି ଶୈଳଜ ରବିଙ୍କ କବିତା ସଙ୍କଳନ ମିଛୁଆ ଗାଈଆଳ ଟୋକା ମଲା ପୂର୍ବରୁ ଗାଇଥିବା ଗୀତ (୧୯୯୩) ବି ତୁଳନୀୟ।
ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଡଃ ହର ପ୍ରସାଦ ମିଶ୍ରଙ୍କ ଦ୍ବାରା ସଂଯୋଜିତ ଓଡ଼ିଆ ସାଂସ୍କୃତିକ ଶବ୍ଦାବଳୀ (ପଞ୍ଚସଖା ଖଣ୍ଡ) (୨୦୧୦) ଏକ ଉପାଦେୟ ପୁସ୍ତକ। ଲୋକ ସାହିତ୍ୟ, ସାରଳା ସାହିତ୍ୟ, ଓ ରୀତିକାଳୀନ କାବ୍ୟ ସାହିତ୍ୟର ଅନୁରୂପ ଖଣ୍ଡ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି। ନିଧୁବନ ମାନେ ରମଣ ବା ରତିକ୍ରୀଡ଼ା ବୋଲି ନୂଆ କରି ଜାଣିଲି।
https://x.com/NathTusar/status/1843664416384209335?t=iVTaF4_Bfhs0Lo5DHRRBgw&s=19
No comments:
Post a Comment