Tuesday, 18 March 2025

ଉତ୍ତମ ମହାନ୍ତି ପୁଣି ମେଘ ସହିତ ମିଶିଗଲେ

ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡ଼ିକର ସଙ୍କଳନ

ଓଡ଼ିଆ ଓଳିଆ: ବଙ୍ଗଳାକୁ ଆବିଷ୍କାର କରିବାର ସୁଯୋଗ ମିଳିଲା

odiaolia.blogspot.com/2025/01/blog-p

ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡ଼ିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡ଼ନ କରିବାକୁ ଅନୁରୋଧ। ଏସ.ଆର.ଏ.-୧୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ୍, ଗାଜିଆବାଦ-୨୦୧୦୧୪, ଉ. ପ୍ର.। ଫୋନ୍: ୯୬୫୦୦-୬୫୬୩୬ ।

ଆମ କଲେଜ ସମୟରେ ବିଭିନ୍ନ ସଭା ସମିତିରେ ମୁଖ୍ୟ ବକ୍ତାଙ୍କ ଭାଷଣ ଶୁଣିବା ଲାଗି ଆମେ ଏଠିକି ସେଠିକି ଯାଉଥିଲୁ। ରାଜକିଶୋର ରାୟ, ହୃଦାନନ୍ଦ ରାୟ, ଗୌରୀକୁମାର ବ୍ରହ୍ମା, ଶ୍ରୀରାମ ଦାଶ, ମନ୍ମଥନାଥ ଦାସ, ଓ ପ୍ରିୟବ୍ରତ ଦାସ ପ୍ରଭୃତି ବିଜ୍ଞ ଲୋକମାନଙ୍କୁ ଶୁଣିଥିବାର ମନେଅଛି। ତାଛଡ଼ା, ସାହିତ୍ୟ ସମାରୋହ ମାନଙ୍କରେ ବହୁ କବି ଓ ଲେଖକ କହୁଥିଲେ।

ପିଲାଦିନେ ରେଡ଼ିଓରେ ପଲ୍ଲୀସ୍ଵର ଗୀତ ବାଜୁଥିଲା ଓ କେତେକ ଗୀତ ବହୁତ ଲୋକପ୍ରିୟ ହେଉଥିଲା। କିନ୍ତୁ ଧୀରେ ଧୀରେ ସେଇ ଧାରାଟି ଭଜନ ସାଙ୍ଗରେ ମିଶିଗଲା। ତେଣୁ ଓଡ଼ିଆ ଭାଷାରେ ଯାହା ସମ୍ଭବ ହୋଇପାରିଲା ନାହିଁ, ସମ୍ବଲପୁରୀ ଗୀତ ସେ ସ୍ଥାନ ପୂରଣ କଲା। ଅବଶ୍ୟ ଭୋଜପୁରୀ ଓ ପୁରୁଲିଆ ସହିତ ଏକ ଭୌଗୋଳିକ ସାମଞ୍ଜସ୍ୟ ତଥା ନବଜାତୀୟତା ଅନ୍ୟତମ କାରଣ।

ମୋ ସବା ବଡ଼ଭାଇ ଓ ନୂଆବୁ ସଚିବାଳୟରେ ଚାକିରି କରୁଥିଲେ ଓ କଳ୍ପନା ଫ୍ଲାଟ ନିକଟରେ ଏକ ଭଡ଼ାଘରେ ରହୁଥିଲେ। ମୁଁ ତାଙ୍କ ପାଖରେ ରହି ବିଜେବି କଲେଜରେ ପଢ଼ିଲି। ପରବର୍ଷ ତାଙ୍କୁ ନଅ ନମ୍ବର ଫ୍ଲାଟରେ କ୍ବାର୍ଟର ମିଳିବାରୁ ମୁଁ ନିକଟସ୍ଥ ରିଜିଓନାଲ କଲେଜରେ ନାଆଁ ଲେଖାଇଲି। ଏଠି ଏଜୁକେସନ ବିଷୟଟି ଚାରିବର୍ଷ ଧରି କିଛି କିଛି ପଢ଼ିବାକୁ ହୋଇଥାଏ।

ରିଜିଓନାଲ କଲେଜରେ ଏଜୁକେସନ ସହ ବଟାନି ଓ ଏଗ୍ରିକଲଚର ମଧ୍ୟ ପଢ଼ିଲି। ଅଧିକାଂଶ ସହପାଠୀ ଓ ଅଧ୍ଯାପକ ଅଣଓଡ଼ିଆ। ବିରାଟ ଲାଇବ୍ରେରୀ। ବିଭିନ୍ନ ମାଗାଜିନ ପଢ଼ିବାର ଝୁଙ୍କ ବଢ଼ିଲା। ଦ୍ବିତୀୟ ବର୍ଷରୁ ହଷ୍ଟେଲରେ ରହିଲି। ସାଙ୍ଗମାନଙ୍କ ସହ ଫିଲ୍ମଦେଖା ଓ ସାଇକେଲରେ ବୁଲିଯିବା। ତାଛଡ଼ା ରବୀନ୍ଦ୍ର ମଣ୍ଡପରେ ନାଟକ ବା ନାଚ କି ଗୀତର କାର୍ଯ୍ୟକ୍ରମ।

ସକାଳେ ଆଜି ଜହ୍ନ ଆମକୁ ଲୁଚି ଦେଖୁଚି ଗୀତଟି ଶୁଣିଲି। ମାନିନୀର ତ ସବୁ ଗୀତ ଭଲ। ସବୁଠାରୁ ବଡ଼ କଥା ହେଲା ଅନୁରାଧା ପୌଡ଼ୱାଲ ଆସିବା ପରେ ଦକ୍ଷିଣୀ ଗାୟିକାଙ୍କର ପ୍ରଭାବ କମିଲା। ଅନୁରାଧାଙ୍କ କଣ୍ଠରେ ଓଡ଼ିଆ ଓଡ଼ିଆ ପରି ଲାଗେ ଓ ତାଛଡ଼ା ତାଙ୍କର ଯେଉଁ ବିଶେଷ କ୍ଷମତା ସ୍ବରରେ ଟିକେ ସ୍ନେହ ବୋଳିବା ଲାଗି। ଆଜିକାଲିକା ଗେହ୍ଲା ସ୍ବର ବିକୃତ।

ସୂଚୀପତ୍ରକୁ ଆଭାସ ବୋଲି ଲେଖିବା ଏକ ପାଗଳାମି। ପୁଣି ଏକାଧିକ ବାର ଲେଖିବା ଆଉ ଗୋଟିଏ। ପୃଷ୍ଠା ସଙ୍ଖ୍ୟାକୁ ଏତେରୁ ଏତେ ବୋଲି ଲେଖିବା ହେଲା ତୃତୀୟ ଯାହା ଯାହାହେଉ ତୃତୀୟ ଖଣ୍ଡରେ ସୁଧାରି ଦିଆଯାଇଛି। କିନ୍ତୁ କ୍ରମ ସଙ୍ଖ୍ୟା ନଥିବାଟା ଚତୁର୍ଥ। ହେଲେ ପାଠକ ବିଚରା ନାଚାର। ବାରମ୍ବାର ଗଣିବାକୁ ପଡ଼େ। ମସିହା ଲେଖିଲେ ବି ସୁବିଧା ହୁଅନ୍ତା।

ଷାଠିଏ ଦଶକର କଥାଚିତ୍ର ମାନଙ୍କରେ ଯେଉଁ ଓଡ଼ିଆ ଭାଷାର ନଥିକରଣ ହୋଇଛି ତାକୁ ବଞ୍ଚାଇ ରଖିବା ପାଇଁ ଯଥାସାଧ୍ୟ ଉଦ୍ୟମ ହେବା ଉଚିତ। ଅନ୍ୟାନ୍ୟ ଜିଲାର ଭାଷାରେ ଯେଉଁ ରୂପାନ୍ତର ଜୀବନ୍ତ ତାହାର ମଧ୍ୟ ବିକାଶ ହେଉ। ପ୍ରତିଦ୍ୱନ୍ଦିତା ବା ଶତ୍ରୁତା ଦ୍ବାରା ନୁହେଁ। ସହଯୋଗ ଓ ସମନ୍ଵୟ ମାଧ୍ୟମରେ। ଆଶା ରଖିବା ଯେ ଓଡ଼ିଆ ଦିନେ ହିନ୍ଦୀର ସ୍ଥାନ ନେବ।

କିଛି ଲୋକ ବୁଝିପାରନ୍ତି ନାହିଁ ଯେ ଭାରତ ଗୋଟିଏ ଗଣତନ୍ତ୍ର ଓ ସମ୍ବିଧାନ ସମସ୍ତଙ୍କୁ ନିଜ ମତବ୍ଯକ୍ତ କରିବାପାଇଁ ସ୍ବାଧୀନତା ଦେଇଛି। ତେଣୁ ଅନ୍ୟ ନାଗରିକଙ୍କୁ ଅମୁକ ପନ୍ଥୀ ବା ସମୁକ ପନ୍ଥୀ କହି ଗାଳିଗୁଲଜ କରିବା ମୁର୍ଖାମିର ପରିଚୟ। ତର୍କ ଓ ଦର୍ଶନ ଭିତ୍ତିରେ ନିଜ ଆଦର୍ଶକୁ ସାବ୍ୟସ୍ତ କରାଯାଇପାରେ। ସେଥିପାଇଁ ଆବଶ୍ୟକ ଧୈର୍ଯ୍ୟ ଓ ସାହାସ।

ମହମ୍ମଦ ସିକନ୍ଦର ଆଲାମ ନିର୍ବିବାଦରେ ଆମର ମହମ୍ମଦ ରଫି। ତେଣୁ ପ୍ରଣବ ପଟ୍ଟନାୟକଙ୍କୁ ମହେନ୍ଦ୍ର କପୁରଙ୍କ ସହ ତୁଳନା କରାଯାଇ ପାରିବ। ସେହିପରି ରଘୁନାଥ ପାଣିଗ୍ରାହୀ ହେଲେ ମାନ୍ନା ଦେ ଓ ଅକ୍ଷୟ ମହାନ୍ତି ହେଲେ କିଶୋର କୁମାର। ବାକି ଭିକାରୀ ବଳଙ୍କୁ ସହଜରେ ଓଡ଼ିଆର ମୁକେଶ ବୋଲି କହିହେବ। ଅବଶ୍ୟ ତାନସେନ ସିଂହ ପରବର୍ତ୍ତୀ କାଳର ରଫି ହେଲେ।

ଷାଠିଏରୁ ଅଶି ଦଶକ ମଧ୍ୟରେ ଓଡି଼ଆ କଥାଚିତ୍ରର ସଙ୍ଖ୍ୟା ବହୁତ ବେଶି ନୁହେଁ କିନ୍ତୁ ଯେଉଁ ସୁମଧୁର ଗୀତ ସବୁ ସୃଷ୍ଟି କରାଯାଇଛି ତାହା ଏକ ଗର୍ବର ବିଷୟ। କାରଣ ଅନ୍ୟ ଭାଷାମାନଙ୍କ କ୍ଷେତ୍ରରେ ଅଧିକାଂଶ ଗୀତ କବିତାବୃତ୍ତି ଭଳି। ମେଲୋଡ଼ି ନାହିଁ। ତେଣୁ ବାଳକୃଷ୍ଣ, ଭୁବନେଶ୍ବର, ଶାନ୍ତନୁ, ଅକ୍ଷୟ, ରାଖାଲ, ଉପେନ୍ଦ୍ର ଓ ପ୍ରଫୁଲ୍ଲ ଆଦି ନମସ୍ଯ।

ମୋତେ ସତୁରି ବର୍ଷ ଚାଲିଛି କିନ୍ତୁ ଓଡ଼ିଆ ହିସାବରେ ମୋର ଯେଉଁ ଗର୍ବ ଥିଲା ତାହା ଗଲା ବର୍ଷ ଭାଙ୍ଗିଯାଇଛି। ଓଡ଼ିଆମାନେ ଏତେ ଶସ୍ତା ଓ ସହଜରେ ନିଜର ନିଜତ୍ବ ଓ ସ୍ବାଭିମାନକୁ ବିକି ଦେବେ ବୋଲି ମୋର ଧାରଣା ନଥିଲା। ସବୁଠାରୁ ଦୁଃଖ ଓ ଲଜ୍ଜାର ବିଷୟ ହେଲା ଶିକ୍ଷିତ ଗୋଷ୍ଠୀ ଏଥିରେ ଅଗ୍ରଣୀ ଭୂମିକା ନେଇଛନ୍ତି। ଆଶା ସେମାନେ ନିଜର ଭୁଲ ବୁଝିବେ।

ମନୋଜ ଦାସଙ୍କ ବାର ବର୍ଷ ତଳର ଭାଷଣର ଦୃଶ୍ୟବନ୍ଧ କନକ ଟିଭି ସୌଜନ୍ୟରୁ - ଅପ୍ରେଲ ୨୮, ୨୦୧୩। ଓଡ଼ିଆ କଥାଚିତ୍ର ସହ ନିଜ ସମ୍ପର୍କ ସମ୍ବନ୍ଧରେ ମନୋଜ ଦାସ।

୧୯୫୬ ମସିହାର ଭାଇ ଭାଇ କଥାଚିତ୍ର ପର୍ଯ୍ୟନ୍ତ ପୁରାତନ ଧାରାରେ ସଙ୍ଗୀତ ସୃଷ୍ଟି ହେଉଥିଲା, କିନ୍ତୁ ୧୯୫୮ରେ ମୁକ୍ତିଲାଭ କରିଥିବା ମା ଛବିଟି ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଲା। ଗୋରୀ ଗୋରୀ ଗୋରୀ, ଧୀରେ ଧୀରେ ଚଳେ ରାଈ, ଯେତେ ଆଖି ଥିଲା ବାବୁ ଶୁଣ, ଓ ବେଦନା ସାଗର ତୀରେ ଆଦି ବିଭିନ୍ନ ସ୍ବାଦ ଓ ସ୍ବରର ଗୀତ ଆଧୁନିକତାର ବାର୍ତ୍ତାବହ ହେଲେ।

କଥା ପରଦାର ଦରବାରରେ ଆଜି ଅପରିଚିତା। ସବୁଠୁଁ ଭଲ ଝିନପାପା ଗୀତଟି କଥାଚିତ୍ରରେ ସ୍ଥାନ ପାଇନାହିଁ। ତା ଜାଗାରେ ନିର୍ମଳା ମିଶ୍ର ଗାଇଥିବା କୁହୁ କୁହୁ ଗାଇଯାଏ ବନ କୋଇଲି ଗୀତଟି ମୁଁ କେବେ ଶୁଣିନାହିଁ। ରେକର୍ଡ଼ରେ ନାହିଁ କିନ୍ତୁ ଛବିରେ ଅଛି। ବହୁତ ବଡ଼ ବଡ଼ ନାଁକୁ ନେଇ ନିର୍ମିତ ଅଥଚ ପରିଣାମ ବିଧିର ବିଧାନ। ପୂର୍ବର ଅନୁରାଗ ସହ ତୁଳନୀୟ।

ମା (୧୯୫୮) ଠାରୁ ଘର ବାହୁଡ଼ା (୧୯୭୩) ପର୍ଯ୍ୟନ୍ତ ସଂସାର, ମାଂସର ବିଳାପ, ଓ ଭାଗ୍ଯ ଡବିଂକୁ ନେଇ ମୋଟ ତିରିଶଟି ଛବି। ଓଡ଼ିଆ ସାହିତ୍ୟ ତଥା ସଙ୍ଗୀତର ସୁବର୍ଣ୍ଣ ଯୁଗ। ମୁଖ୍ୟତଃ ଚାରିଜଣ ସଙ୍ଗୀତ ନିର୍ଦ୍ଦେଶକ। ବାଳକୃଷ୍ଣ ଦାଶ, ଭୁବନେଶ୍ବର ମିଶ୍ର, ଶାନ୍ତନୁ ମହାପାତ୍ର, ଓ ଅକ୍ଷୟ ମହାନ୍ତି। ଲେଖା ଓ ସ୍ବରରେ ବଙ୍ଗଳା ଭାଷାର ସ୍ପଷ୍ଟ ପ୍ରଭାବ।

ମେଲୋଡ଼ିରେ କୋଉଠି ଟିକେ ଖଇଚା ରହିଗଲା କେଜାଣି ଇଲା ବସୁ (ଚକ୍ରବର୍ତ୍ତୀ)ଙ୍କ କଣ୍ଠରେ ମା କଥାଚିତ୍ରର ଚାରୋଟିଯାକ ଗୀତ ଲୋକପ୍ରିୟ ନୁହଁନ୍ତି। ଦୁଇଟି ଗୀତ ପୁଣି ଅକ୍ଷୟ ମହାନ୍ତିଙ୍କ ସାଙ୍ଗରେ। ନାୟିକାଙ୍କ କଣ୍ଠରେ ମୁଁ ଯେ ଭାସେ ସପନେ ଗୀତଟି ସବୁଠାରୁ ବେଶି ପ୍ରସିଦ୍ଧ ହେବା କଥା କିନ୍ତୁ ଆଜି ଆକାଶେ, କେତେ ଯେ ଫୁଲ, ବା ଏଇ ଲଗନେ ବହୁ ଉପରେ।

କେବଳ ମା କଥାଚିତ୍ରର ମୁଁ ଯେ ଭାସେ ସପନେ ନୁହେଁ, ସୁବର୍ଣ୍ଣ ଯୁଗର ଆହୁରି ଅନେକ ଗୀତ ଶ୍ରୋତାମାନଙ୍କର ଉପଯୁକ୍ତ ଆଦର ପାଇପାରି ନାହାନ୍ତି। ଉଦାହରଣ ସ୍ବରୂପ, ଦସ୍ୟୁ ରତ୍ନାକରର ମାୟାଘେରା ମଧୁବନେ, ଅମଡ଼ାବାଟର ମୋ ମନ ନାଚେ, ନବଜନ୍ମର ଏ ଦିନ ସୁନ୍ଦର, ଓ ଅଭିନେତ୍ରୀର ଜାଣେ ଜାଣେ ମୋ ରାଧିକା। ପରବର୍ତ୍ତୀ କାଳର ଗୀତ ଅପେକ୍ଷା ଏସବୁ ଉଚ୍ଚରେ।

କଥାଚିତ୍ରକୁ ଦ୍ବିତୀୟ ଥର ଦେଖିବା ପ୍ରାୟ କେବେ ସମ୍ଭବ ହୁଏନାହିଁ। କିମ୍ବା ଯିଏ ଦେଖିନାହିଁ ତା ପାଇଁ ନାମଟିଏ ମାତ୍ର। କିନ୍ତୁ ଗୀତର ଦୃଶ୍ୟବନ୍ଧରେ ନାୟକ ନାୟିକା ମାନଙ୍କୁ ବାରମ୍ବାର ଦେଖିବାକୁ ମିଳେ। ତେଣୁ ତାଙ୍କ ଉପରେ ଚିତ୍ରାୟିତ କିଛି ଲୋକପ୍ରିୟ ଗୀତର ସୂଚନା ଦିଆଗଲେ ଲେଖାଟି ଆହୁରି ଉପାଦେୟ ହେବ। ତାଛଡ଼ା ପ୍ରାଙ୍ଗଣରେ ଓଡ଼ିଆବି ରହୁ।

ବାଳକୃଷ୍ଣ ଦାଶ ଓ ଭୁବନେଶ୍ଵର ମିଶ୍ର ପ୍ରଥମ କରି ଏକାଠି ଭୁବନ କିଶନ ନାମରେ କେଦାର ଗୌରୀ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଲେ ୧୯୫୪ ମସିହାରେ। କେବଳ ବୀଣା ଦେବୀ ବୋଲିଥିବା ଜୀବନ ଯାଏ ଜଳି ଗୀତଟିରେ ସାମାନ୍ୟ ଆଧୁନିକତାର ସ୍ପର୍ଶ ରହିଛି ବୋଲି ଜଣାପଡ଼େ। ସେହି ଦୃଷ୍ଟିରୁ ଏହାର ଏକ ଐତିହାସିକ ସ୍ଥାନ ରହିଛି।

m.youtube.com/watch?v=-NK_hd…

କେଦାର ଗୌରୀର ଦୁଇବର୍ଷ ପରେ, ୧୯୫୬ ମସିହାର ଭାଇ ଭାଇ କଥାଚିତ୍ରରେ ମଧ୍ୟ ଭୁବନ କିଶନ ସଙ୍ଗୀତ ନିର୍ଦ୍ଦେଶନା ଦେଲେ, କିନ୍ତୁ ଆଧୁନିକ ଯୁଗକୁ ଜନ୍ମ ଦେବାର ଗୌରବ ଅର୍ଜନ କଲା ୧୯୫୮ ମସିହାରେ ମୁକ୍ତିଲାଭ କରିଥିବା ମା। ଭୁବନେଶ୍ବର ମିଶ୍ରଙ୍କ ନିର୍ଦ୍ଦେଶନାରେ ମୁଁ ଯେ ଭାସେ ସପନେ ଗୀତଟିର ଦୃଶ୍ୟବନ୍ଧ ବେଶ ଉପଭୋଗ୍ୟ।

ମା କଥାଚିତ୍ରର ଅନ୍ୟ ଏକ ବିଶେଷତ୍ବ ହେଲା ଅକ୍ଷୟ ମହାନ୍ତି ଓ ପ୍ରଣବ ପଟ୍ଟନାୟକ ପ୍ରଥମ କରି ସିନେମା ଗୀତ ବୋଲିଲେ। ମୋଟ ଆଠଟିରୁ ଅକ୍ଷୟଙ୍କ ପାଞ୍ଚ ଓ ପ୍ରଣବଙ୍କ ଗୋଟିଏ। ବେଦନା ସାଗର ତୀରେ ଗୀତଟି ଯୋଗୁ ବୋଧହୁଏ ପ୍ରଣବଙ୍କ ସହ କରୁଣ ଓ ଦର୍ଶନ ଭାବ ଜୋଡ଼ି ହୋଇଗଲା। ସ୍ତ୍ରୀ କଥାଚିତ୍ରର ବିତିଯାଏ ରେ ମଧ୍ୟ ଅନୁରୂପ।

ମା କଥାଚିତ୍ରର ନୂଆ ନାଗର ହରବର କରନା ଗୀତଟିକୁ ଅକ୍ଷୟ ମହାନ୍ତି ବୋଲିଛନ୍ତି ବୋଲି ବହୁତ କମ ଲୋକ ଜାଣନ୍ତି। କାରଣ ଲକ୍ଷ୍ମୀ କଥାଚିତ୍ରର ଏକ ଅନୁରୂପ ଗୀତ ଶୁଆ ଥଣ୍ଟ ନାଲି ନାଲି ସାରଦା ପ୍ରସନ୍ନ ନାୟକଙ୍କ କଣ୍ଠରେ ଯେଉଁଥିରେ ଉର୍ବଶୀ ଯୋଶୀଙ୍କ ନୃତ୍ୟ ରହିଛି। ମା'ରେ ଲକ୍ଷ୍ମୀପ୍ରିୟା ମହାପାତ୍ର ଅଭିନୟ କରିଛନ୍ତି।

ଝୁମ ଝୁମ ଝୁମ ଝୁମ ବାଜେରେ ନୂପୁର ଗୀତରେ ଆଉ ଦୁଇଜଣଙ୍କ ସହ ନୃତ୍ୟ ପରିବେଷଣ କରିଛନ୍ତି ଗ୍ଲୋରିଆ ମହାନ୍ତି (ରାଉତ)। ଏକ ରକମର ଆଇଟମ ନମ୍ବର ସେତେବେଳର। ସେଇଥିପାଇଁ ତ ମା ଆଧୁନିକ। କା କଥାଚିତ୍ରର ସେମିତି ଏକ କ୍ଷଣରେ ସଞ୍ଜୁକ୍ତା ପାଣିଗ୍ରାହୀ (ମିଶ୍ର)ଙ୍କ ନୃତ୍ୟ ଅଛି ମଧୁର ଏ ଚାନ୍ଦ ରାତି ଗୀତର ମଧୁର ଛନ୍ଦରେ।

ଏଠି ମୁଁ ଦେଖୁଛି। ଶିମିଳି ଫୁଲକୁ ନେଇ ବଙ୍ଗଳାରେ କେତେକ ଗୀତ ରହିଛି କିନ୍ତୁ ଓଡ଼ିଆରେ ଶୁଣିଲା ଭଳିଆ ମନେପଡୁ଼ନି। ଓଡ଼ିଆରେ ଶିମିଳି କହିଲେ ... ଘଷିବା ଢଗଟି ମନେପଡ଼େ!

ମା କଥାଚିତ୍ରରେ ଭୁବନେଶ୍ବର ମିଶ୍ର ପ୍ରଥମ କରି ଏକକ ଭାବରେ ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଲେ ଓ ଅକ୍ଷୟ ମହାନ୍ତି ପାଞ୍ଚଟି ଗୀତରେ କଣ୍ଠଦାନ କରି ନିଜର ଦୃଢ଼ ମୂଳଦୁଆ ସ୍ଥାପନ କଲେ। ଗୋରୀ ଗୋରୀ ଗୋରୀ ଗୀତଟି ସେ ନିଜେ ଲେଖିଥିଲେ ମଧ୍ୟ। କହିବା ବାହୁଲ୍ୟ ଯେ, ଗୀତଟି ବିପୁଳ ଲୋକପ୍ରିୟତା ହାସଲ କରିଥିଲା।

ମା କଥାଚିତ୍ରର ବେଦନା ଓ ଉଦାସୀ ଗୀତଟି ପ୍ରଣବ ପଟ୍ଟନାୟକ ବୋଲିଥିଲେ କିନ୍ତୁ ଆଉ ଏକ ବିଷାଦାତ୍ମକ ଗୀତ ମଧ୍ୟ ଥିଲା। କବିଚନ୍ଦ୍ରଙ୍କ ଟ୍ରେଡ଼ମାର୍କ ଭାଷା ଓ ଭାବ ଆଉ ଅକ୍ଷୟ ମହାନ୍ତିଙ୍କ ଉଦାତ୍ତ କଣ୍ଠ। ରୀତି ଯୁଗର ସମସ୍ତ ରଚନାବଳୀକୁ ପଛରେ ପକାଇ ଦେଇ ସୃଷ୍ଟି ହେଲା ଓଡ଼ିଆ ସାହିତ୍ୟ ତଥା ସଙ୍ଗୀତର ନୂତନ କୋଣାର୍କ।

ପ୍ରଥମ କରି ସିନେମାରେ ଗୀତ ବୋଲିବା ସତ୍ତ୍ୱେ, ଅକ୍ଷୟ ମହାନ୍ତି ଓଡ଼ିଆର ନବମ କଥାଚିତ୍ର ମା'ର ବିଭିନ୍ନ ଧରଣର ପାଞ୍ଚଟି ଗୀତରେ କଣ୍ଠଦାନ କରିବା ଏକ ଐତିହାସିକ ଘଟଣା। ଯେତେ ଆଖି ଥିଲା...ଆଖିର ଅଞ୍ଜନ ନାମକ ହାସ୍ୟରସାତ୍ମକ ଗୀତଟି ଗାଇବା ପରେ ଭବିଷ୍ୟତରେ ସେହିପରି ଗୀତ ବୋଲିବା ପାଇଁ ମଧ୍ୟ ରାସ୍ତା ଖୋଲିଯାଇଥିଲା।

ମା କଥାଚିତ୍ରର ପ୍ରଥମ ଗୀତ ଆରେ ନାଉରୀ ଭାଇର ଦୃଶ୍ୟବନ୍ଧ ନାହିଁ। ଅକ୍ଷୟ ମହାନ୍ତି ଓ ଇଲା ବସୁ (ଚକ୍ରବର୍ତ୍ତୀ)ଙ୍କ କଣ୍ଠରେ ଏହି ଗୀତର ଅନ୍ତରାରେ ଆଜିର ଅମୃତ ବେଳା ଆସିବନି କଲେ ହେଳା ଉଲ୍ଲେଖ ରହିଛି। ଭୁବନେଶ୍ବର ମିଶ୍ରଙ୍କ ସଫଳ ସଙ୍ଗୀତ ନିର୍ଦ୍ଦେଶନା ଆଗାମୀ ଚିତ୍ରଗୁଡ଼ିକ ନିମନ୍ତେ ପଥପ୍ରଦର୍ଶକ ହୋଇଥିଲା। ପ୍ରଣୟ ଗୀତଟିଏର ଅଭାବ ରହିଗଲା।

୧୯୫୮ ସାଲରେ ମୁକ୍ତିଲାଭ କରିଥିବା ମା କଥାଚିତ୍ର ବିଷୟରେ ଆଲୋଚନା କଲାବେଳେ ଏକଥା ମନେ ରଖିବାକୁ ହେବ ଯେ ତା ପୂର୍ବରୁ ମାତ୍ର ଆଠଟି ଛବି ନିର୍ମିତ ହୋଇଥିଲା। ସେଥିରୁ ଅଧା ପୁଣି ଦେଢ଼ଗୋଡି଼ଆ। ତଥାପି ଏହାର ସଙ୍ଗୀତ ପାରମ୍ପରିକତାକୁ ପ୍ରତ୍ଯାଖ୍ଯାନ କରି ଯେଉଁ ନୂତନ ଆନ୍ଦୋଳନ ସୃଷ୍ଟି କଲା ତାର ସୁଫଳ ଆଜି ବି ଅଛି।

gourparbati.com/movie_maa.php

ଆରତୀ ମୁଖୋପାଧ୍ୟାୟ ଓଡ଼ିଆରେ ବି କିଛି ଅବିସ୍ମରଣୀୟ ଗୀତ ବୋଲିଛନ୍ତି। ଯଦି ପ୍ରଣବ ପଟ୍ଟନାୟକଙ୍କ ସହିତ ତାଙ୍କର ଏକ ଯୁଗଳ ଗୀତ ରେକର୍ଡ଼ ହୋଇ ପାରନ୍ତା ତାହାହେଲେ କେତେବଡ଼ ଚମତ୍କାର କଥା ହୁଅନ୍ତା।

ଝଡ଼ ବର୍ଷା ପରେ ବାହାରର ଦୃଶ୍ୟ। ଅଦୂରରେ ଶିମିଳି ଓ ହୁଗୁଳି। ଆତପୁର, ଭାଟପାଡ଼ା, ପଶ୍ଚିମବଙ୍ଗ।

ମା ପରବର୍ଷ ଆସିଲା ମହାଲକ୍ଷ୍ମୀ ପୂଜା, ୧୯୫୯ ମସିହାରେ। ନଚିକେତା ଘୋଷଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ମୋଟ ଛଅଟି ଗୀତ। ସବୁ ଗୀତଗୁଡ଼ିକ ସୁନ୍ଦର। ପାରମ୍ପରିକ ପୃଷ୍ଠଭୂମି ହେଲେହେଁ ଆଧୁନିକ ଭାବରେ ଗ୍ରହଣ କରାଯାଇପାରେ। ତେବେ, ବୀଣାପାଣି ପତିଙ୍କ କଣ୍ଠରେ ଆକାଶରେ କେତେ ତାରକା ଝଲକେ ଗୀତଟିର ଏକ ଭିନ୍ନ ଆବେଦନ ଅଛି।

m.youtube.com/watch?v=ERqc2U…

ମହାଲକ୍ଷ୍ମୀ ପୂଜା ସହ ପଚାଶ ଦଶକ ଶେଷ ହେଲା ଓ ଓଡ଼ିଆରେ ପ୍ରଥମ ଦଶଟି କଥାଚିତ୍ରର ଗଣତି ମଧ୍ୟ ଶେଷ ହେଲା ଯାହା ଭିତରୁ ଛଅଟିର ଅସ୍ତିତ୍ବ ନାହିଁ। କିନ୍ତୁ ଯାହାହେଉ, ଗୀତଗୁଡ଼ିକ ବଞ୍ଚି ରହିଛି। ଏହି ସମୟରେ, ଆକାଶବାଣୀ କଲିକତା ଓ କଟକ ଦ୍ଵାରା ଅନେକ ରକମର ଗୀତ ସୃଷ୍ଟି ହେବା ସହ, ରେକର୍ଡ଼ ଯୋଗେ ମଧ୍ୟ ବିଭିନ୍ନ ପ୍ରକାରର ଗୀତ ବଜାରକୁ ଆସୁଛି।

୧୯୫୬ ମସିହାରେ ମୋର ଜନ୍ମ ଓ ଗାଆଁ ସ୍କୁଲରେ ମୁଁ ପାଠ ପଢି଼ଛି। ତେଣୁ ଓଡ଼ିଆ କଥାଚିତ୍ରର ଇତିହାସ ସହିତ ମୋ ଜୀବନ ବି ଅଗ୍ରସର କରିଛି। ପରିମାଣ କମ ଥିବା କାରଣରୁ ସେ ସମୟର ସ୍ମୃତି ସବୁ ଆଜି ଅତି ମୂଲ୍ଯବାନ। ତାଛଡ଼ା ଯାହା ମୋ ପାଖରେ ଅଛି ତାହା ଅନ୍ୟମାନଙ୍କ ପାଖରେ ନାହିଁ। ବିଗତ କୋଡ଼ିଏ ବର୍ଷ ଭିତରେ ମୁଁ କିଛି ଅନଲାଇନ ସାମଗ୍ରୀ ବାଣ୍ଟିଛି।

ଓଡ଼ିଆ ସଙ୍ଗୀତ କହିଲେ କେବଳ ଓଡ଼ିଶୀ ବା ଭଜନକୁ ନବୁଝାଉ। ଓଡ଼ିଆ ଗୀତ ଉପରେ ଲେଖା ଲେଖି ପ୍ରାୟ ନାହିଁ। ସିନେମା ଗୀତ ଉପରେ ତ ଆଦୌ ନାହିଁ କହିଲେ ଚଳେ। କିନ୍ତୁ, ସତୁରି ବର୍ଷ ବୟସରେ ମୁଁ ଯଦି ଆଗ୍ରହ ରଖୁଛି, ତେବେ ତା ଭିତରେ ନିଶ୍ଚିତ ମୂଲ୍ୟ ରହିଛି। ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ହୁଏତ ପ୍ରତ୍ୟେକ ବ୍ୟକ୍ତି ଏହି ରସବୋଧକୁ ଆବିଷ୍କାର କରିବ।

ସାହିତ୍ୟ ଓ ସଂସ୍କୃତି ଭିତରେ ତ ଅନେକ ଜିନିଷ ଆସିବ, ଏବଂ ହେତୁ ହେବା ପରଠାରୁ ସେ ସବୁ ପଛରେ ଗୋଡ଼ାଇବା ଜୀବନର ଏକ ପ୍ରଧାନ କାମ। ତେବେ ଜଣେ କାହାଦ୍ୱାରା କେତେ ଉପକୃତ ହୋଇପାରିବ ତାହା ସ୍ଥାନ-କାଳ-ପାତ୍ର ଉପରେ ନିର୍ଭର କରେ। ଗୀତଗୁଡ଼ିକର ଉପାଦେୟତା ସେହି ଦୃଷ୍ଟିରୁ ସବୁଠାରୁ ବେଶି। ଷାଠିଏ ଦଶକ ପୂର୍ବରୁ କିମ୍ବା ପରେ ସେହିପରି ଗୀତ ନାହିଁ।

ମୁଁ ବର୍ତ୍ତମାନ ପ୍ରତିଦିନ ଓଡ଼ିଆ, ଇଙ୍ଗ୍ରାଜୀ, ହିନ୍ଦୀ, ଓ ବଙ୍ଗଳା ଭାଷା ବ୍ୟବହାର କରୁଛି। ବେଳେ ବେଳେ ସଂସ୍କୃତ ମଧ୍ୟ ଦରକାର ହେଉଛି। ତାଛଡ଼ା ଭୋଜପୁରୀ କଥାବାର୍ତ୍ତା ଓ ଗୀତ ବି ଶୁଣିବାକୁ ମିଳୁଛି। ଦିଲ୍ଲୀରେ ରହିବା ଫଳରେ, ପଞ୍ଜାବୀ, ହରିଆନୀ, ଗଢ଼ଓ୍ବାଲି, ଓ କୁମାୟୁନୀ ସହ ସାମାନ୍ୟ ପରିଚୟ ଅଛି। ସମ୍ବଲପୁରୀ ଓ ଉର୍ଦ୍ଦୁ ତ ଧରାବନ୍ଧା।

ପୁରାତନ କାଳରେ ରାଜାମାନେ ବିଭିନ୍ନ ରାଜ୍ୟ ଜୟ କରୁଥିଲେ ଓ ମନ୍ଦିର ନିର୍ମାଣ କରୁଥିଲେ। କିନ୍ତୁ ବିଭୂତି ପଟ୍ଟନାୟକଙ୍କର ଚପଳ ଛନ୍ଦା ଉପନ୍ୟାସରେ ଢେଙ୍କାନାଳ ରାଜାଙ୍କ ଦୌରାତ୍ମ୍ଯ ବିଷୟରେ ବର୍ଣ୍ଣନା ଅଛି। ଆଧୁନିକ ଯୁଗରେ ଯାହାହେଉ ଢେଙ୍କାନାଳ ରାଜା ଦୁଇ ତିନୋଟି କଥାଚିତ୍ର ନିର୍ମାଣ କରି ସ୍ବାଧୀନତା ପରେ ଏକ ଅଗ୍ରଣୀ ଭୂମିକା ନିର୍ବାହ କଲେ।

କଥା ପରଦାର ଦରବାରରେ ଆଜି ପୂନର୍ବାର ନାଗଫାସ। କେତେ ନୂଆ ଇତିହାସ ରଚିଥିବା ସେହି ଅତ୍ଯାଧୁନିକ ତଥା ଅଭୂତପୂର୍ବ କଥାଚିତ୍ର। ଯାଯାବର ଓ ନାଗଫାସ ଏକ ରକମର ଟ୍ବିନ ଟାଓ୍ବାର୍ସ। କିନ୍ତୁ ଗୀତ ଦୃଷ୍ଟିରୁ ଦେଖିଲେ କିଏ କାହାର ଓ ସ୍ତ୍ରୀ କାହିଁ ଉପରେ। ନାଗଫାସ ପୂର୍ବରୁ ଅମର ପ୍ରେମ ଓ ମୁକ୍ତିରେ ଟିକେ ଭିନ୍ନ ଧରଣର କାହାଣୀ ଥିବା କଥା ମନେପଡ଼ୁଛି।

ରୋଲ୍ସ ୨-୮ କଥାଚିତ୍ରର ପ୍ରଯୋଜକ ରତିକାନ୍ତ ପାଢ଼ୀ ନିଜ ସହପାଠିନୀଙ୍କ ସ୍ମୃତିରେ ଛବିର ନାମକରଣ କରିଥିଲେ। କେଦାର ଗୌରୀ କଥାଚିତ୍ର ନିର୍ମାଣ ଅବସରରେ ନାୟିକା ବୀଣାଙ୍କ ସହ ନିତାଇ ପାଲିତ ନିକଟତର ହୋଇଥିଲେ। ସେହିପରି, ଭାଇ ଭାଇ ଓ ମା କଥାଚିତ୍ରରେ ଏକାଠି ଅଭିନୟ କଲାପରେ ଗୌର ଘୋଷ ଓ ଚପଳା ନାୟକ ବିବାହ କରିଥିଲେ।

ରାଜନୈତିକ କ୍ଷେତ୍ରରେ ଦଳତ୍ୟାଗ ଏକ ସାଧାରଣ ବ୍ଯାପାର କିନ୍ତୁ କଳା ଓ ସଂସ୍କୃତି ପରିଦୃଶ୍ୟରେ ମଧ୍ୟ ଏପରି ଘଟଣା ବିରଳ ନୁହେଁ। କବିଚନ୍ଦ୍ରଙ୍କ ଓଡ଼ିଶା ଥିଏଟର୍ସ ଏହିପରି ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଯାହା ପରବର୍ତ୍ତୀ ସମୟରେ ଓଡ଼ିଆ କଥାଚିତ୍ରର ଇତିହାସ ସହିତ ଜଡ଼ିତ। ଶ୍ରୀଜଗନ୍ନାଥ ସମ୍ପୂର୍ଣ୍ଣ ହେବା ଆଗରୁ ଲଳିତା ମୁକ୍ତିଲାଭ କଲା।

ଓଡ଼ିଶା ସରକାରଙ୍କ ଓଡ଼ିଆ ଭର୍ଚୁଆଲ ଏକାଡ଼େମୀ @OdiaVAcademy ଇତିମଧ୍ୟରେ ଅନେକ କିଛି ଅନଲାଇନ ସାମଗ୍ରୀ ବଣ୍ଟନ କରିବାରେ ସକ୍ଷମ ହୋଇଛନ୍ତି। ଏହି କାର୍ଯ୍ୟର କୌଣସି ସୀମା ନାହିଁ ଏବଂ ଏହି ବେଗରେ ଅଗ୍ରଗତି ହେଲେ ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ଏକ ବିରାଟ ପଦକ୍ଷେପ ହେବ। ଆର୍କାଇଭ୍ସଙ୍କ ପ୍ରାଙ୍ଗଣ ବି ଉପାଦେୟ।

ova.gov.in/de/Index

ମୋର ଜଣେ ମିତ୍ର ଶ୍ରୀ ମିତ୍ର ଅନେକ ଦିନରୁ ଶଯ୍ୟାଶାୟୀ ଓ ତାଙ୍କର ସ୍ମୃତି ନାହିଁ। ବାଚାଳତା ବ୍ଯତୀତ ବାର୍ଦ୍ଧକ୍ୟର ଏ ଏକ ଅଭିଶାପ। ଅବଶ୍ୟ ଆମ ସମସ୍ତଙ୍କର ସ୍ମୃତି କଛି କିଛି ଊଣା ହେଉଥାଏ କିନ୍ତୁ ପିଲାଦିନ କଥା ବେଶି ମନେରୁହେ ବୋଲି ମନସ୍ତତ୍ତ୍ବ କୁହେ। ତେଣୁ ଲେଖିବାର ଗୋଟାଏ ବହୁତ ବଡ଼ ଉପଯୋଗୀତା ରହିଛି। ଭାବନାକୁ ଜଞ୍ଜିରରେ ବାନ୍ଧିବା।

ଏହି ପ୍ରାଙ୍ଗଣ ଉପରୁ ଭରସା ଧିରେ ଧିରେ ତୁଟୁ ଥିବାରୁ, ମୁଁ ନୀଳ ଆକାଶରେ ଅନ୍ୟ ଏକ ବସା ବାନ୍ଧିଛି। ଏଠାରେ ମୋର ଉଭୟ ତେଣ୍ଡାର ଡାକ୍ତି ଗୁଡ଼ିକ ଛଡ଼ା ମୋର ଭ୍ରମଣର ପ୍ରମାଣ ସ୍ବରୂପ ସଙ୍ଗ୍ରୁହିତ ଫଟଗୁଡି଼କ ସେଠାରେ ମୁଁ ଉତ୍ତୋଳିତ କରୁଛି। ଦେଖିବେ। ଓଡ଼ିଆରେ ଲେଖିବା ବେଳେ ଶ୍ଯାମାନୁଜ ବାବୁ ପ୍ରାୟ ମନେପଡ଼ନ୍ତି।

bsky.app/profile/savitr…

ବାଦବୁଦିଆରେ ଲଳିତା ଆଗ ମୁକ୍ତିଲାଭ କରି ଓଡ଼ିଆ ସିନେମା ଇତିହାସରେ ଦ୍ବିତୀୟ କଥାଚିତ୍ରର ଗୌରବ ପାଇଲା ସିନା, ହେଲେ ସୀତା ବିବାହ ସଦୃଶ ନିର୍ମାଣ ପଦ୍ଧତି ଦୃଷ୍ଟିରୁ ଏକ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ରର ମର୍ଯ୍ଯାଦା ହାସଲ କରିପାରିଲା ନାହିଁ। ତେଣୁ ୧୯୫୦ର ଶ୍ରୀ ଜଗନ୍ନାଥକୁ ଯଥାର୍ଥରେ ପ୍ରଥମ ଛବି ବୋଲି କୁହାଯାଇପାରେ।

ପିଲାଦିନେ ଗୀତ ମିଲନ କେ ଗାତେ ରହେଙ୍ଗେ ଶୁଣି ମୁଁ ବହୁତ ଦିନ ପର୍ଯ୍ୟନ୍ତ ଭାବୁଥିଲି ଏମାନେ ଗାତରେ କାହିଁକି ରହିବେ? ରେଡ଼ିଓରୁ ବହୁତ ଗୀତ ଶୁଣୁଥିଲି କିନ୍ତୁ ବୁଝି ହେଉନଥିଲା କି ମୂଳ ଧାଡ଼ି ମନେ ରହୁନଥିଲା। ସତୁରି ବର୍ଷର ହିସାବ କିତାବ କଲାବେଳେ ସେହି ଗୀତଗୁଡ଼ିକର ସ୍ମୃତି ଗୋଟାଏ ବିରାଟ ଅର୍ଜନ ପରି ଲାଗୁଛି ଯାହାକୁ ଖୋଜି ଶୁଣି ହେଉଛି।

୧୯୩୬ ସୀତା ବିବାହ ରାଧାରମଣ ରାୟ

୧୯୪୯ ଲଳିତା ଗୌର ଗୋସ୍ବାମୀ ଓ ସୁରେନ ପାଲ

୧୯୫୦ ଶ୍ରୀଜଗନ୍ନାଥ ରଣଜିତ ରାୟ ଓ ବାଳକୃଷ୍ଣ ଦାଶ

" ରୋଲ୍ସ ୨-୮ ଗୌର ଗୋସ୍ବାମୀ ଓ ସୁରେନ ପାଲ

୧୯୫୧ ସପ୍ତଶଯ୍ୟା ଉଦୟନାଥ ସାହୁ

୧୯୫୩ ଆମରି ଗାଁ ଝୁଅ ବୈଦ୍ୟନାଥ ରାୟ

୧୯୫୪ କେଦାର ଗୌରୀ ଭୁବନ କିଶନ

୧୯୫୬ ଭାଇ ଭାଇ "

୧୯୫୮ ମା ଭୁବନେଶ୍ବର ମିଶ୍ର

୧୯୫୯ ମହାଲକ୍ଷ୍ମୀ ପୂଜା ନଚିକେତା ଘୋଷ

୧୯୬୦ ଶ୍ରୀଲୋକନାଥ ବାଳକୃଷ୍ଣ ଦାଶ

" ପରିଣାମ ଶ୍ରୀକୁମାର

୧୯୬୧ ଜୟଦେବ ବାଳକୃଷ୍ଣ ଦାଶ

୧୯୬୨ ଶ୍ରୀ ଶ୍ରୀ ପତିତପାବନ ଚନ୍ଦନ ଓ ଅନ୍ୟ

" ଲକ୍ଷ୍ମୀ ବାଳକୃଷ୍ଣ ଦାଶ

" ନୂଆବୋଉ "

" ଦସ୍ୟୁ ରତ୍ନାକର "

" ସୂର୍ଯ୍ୟମୁଖୀ ଶାନ୍ତନୁ ମହାପାତ୍ର

୧୯୬୩ ମାଣିକ ଯୋଡ଼ି ବାଳକୃଷ୍ଣ ଦାଶ

" ନାରୀ କାଳୀଚରଣ ଉଦୟନାଥ

୧୯୬୪ ଜୀବନ ସାଥୀ ବାଳକୃଷ୍ଣ ଦାଶ

" ଅମଡ଼ାବାଟ "

" ସାଧନା "

୧୯୬୫ ନବଜନ୍ମ ବାଳକୃଷ୍ଣ ଦାଶ

" ଅଭିନେତ୍ରୀ " 

" ମଲାଜହ୍ନ ଅକ୍ଷୟ ମହାନ୍ତି

୧୯୬୬ କା - ଶ୍ରୀକୁମାର

୧୯୬୭ ଭାଇ ଭାଉଜ ବାଳକୃଷ୍ଣ ଦାଶ

" ମାଟିର ମଣିଷ ଶ୍ରୀକୁମାର

୧୯୬୮ ଅରୁନ୍ଧତୀ ଶାନ୍ତନୁ ମହାପାତ୍ର

" କିଏ କାହାର ଅକ୍ଷୟ ମହାନ୍ତି

୧୯୬୯ ସ୍ତ୍ରୀ ଶ୍ରୀକୁମାର

" ବନ୍ଧନ "

୧୯୭୦ ଅଦିନ ମେଘ ବାଳକୃଷ୍ଣ ଦାଶ

୧୯୭୨ ଘର ବାହୁଡ଼ା ଅକ୍ଷୟ ମହାନ୍ତି

୧୯୭୩

ଧରିତ୍ରୀ ଉପେନ୍ଦ୍ର କୁମାର

ଘର ସଂସାର ଭି. ବାଲସରା ଓ ରାଖାଲ ମହାନ୍ତି

ସଂସାର ଅକ୍ଷୟ ମହାନ୍ତି

୧୯୭୪

କନକଲତା ବାଳକୃଷ୍ଣ ଦାଶ

ମନ ଆକାଶ ଉପେନ୍ଦ୍ର କୁମାର

୧୯୭୫

ମମତା ପ୍ରଫୁଲ୍ଲ କର

ଯାଯାବର ଅକ୍ଷୟ ମହାନ୍ତି

୧୯୭୬

ସମୟ ଭୁବନ ହରି

ବତିଘର ପ୍ରଫୁଲ୍ଲ କର

କୃଷ୍ଣ ସୁଦାମା ଶ୍ରୀକୁମାର

ଗପ ହେଲେ ବି ସତ ଭୁବନ ହରି

ସିନ୍ଦୂର ବିନ୍ଦୁ ପ୍ରଫୁଲ୍ଲ କର

ଶେଷ ଶ୍ରାବଣ ପ୍ରଫୁଲ୍ଲ କର

୧୯୭୭

ଅମର ପ୍ରେମ ରାଖାଲ ମହାନ୍ତି

ମୁକ୍ତି ପ୍ରଫୁଲ୍ଲ କର

ଅନୁତାପ ଜଲାଲ ଆଦେନୀ

ବନ୍ଧୁ ମହାନ୍ତି ପ୍ରଫୁଲ୍ଲ କର

ଅଭିମାନ ରାଧାକୃଷ୍ଣ ଓ ସରୋଜ

ପୁନର୍ମିଳନ ଉପେନ୍ଦ୍ର କୁମାର

ଏ ନୁହେଁ କାହାଣୀ ଉପେନ୍ଦ୍ର କୁମାର

ରକ୍ତ ଗୋଲାପ ଧନଞ୍ଜୟ ଶତପଥୀ

ନାଗଫାସ ଅକ୍ଷୟ ମହାନ୍ତି

୧୯୭୮

ସୁନା ସଂସାର ଅରୂପ ସ୍ବରୂପ

ପ୍ରିୟତମା ଶାନ୍ତନୁ ମହାପାତ୍ର

ତଅପୋଇ ଅକ୍ଷୟ ମହାନ୍ତି

ଚିଲିକାତୀରେ ଶାନ୍ତନୁ ମହାପାତ୍ର

୧୯୭୮... 

ସମର୍ପଣ ଉପେନ୍ଦ୍ର କୁମାର

ପିପାସା "

କୁଳ ଚନ୍ଦ୍ରମା "

ସାକ୍ଷୀ ଗୋପୀନାଥ ବାସୁଦେବ ରଥ

ଝିଲି ମିଲି ଅକ୍ଷୟ ମହାନ୍ତି

ପତିପତ୍ନୀ ରମେଶ ନାଇଡ଼ୁ

ସତୀ ଅନସୂୟା ପ୍ରଫୁଲ୍ଲ କର

ପରିବାର ଉପେନ୍ଦ୍ର କୁମାର

ଶଙ୍ଖ ମହୁରୀ ବାଳକୃଷ୍ଣ ଦାଶ

ଜନ୍ମଦାତା ଉପେନ୍ଦ୍ର କୁମାର

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ "

୧୯୭୯

ଗୌରୀ ପ୍ରଫୁଲ୍ଲ କର

ବଳିଦାନ "

ସଉତୁଣୀ ବାସୁଦେବ ରଥ

୧୯୭୯...

ନିଝୁମ ରାତିର ସାଥୀ ଅକ୍ଷୟ ମହାନ୍ତି

ସମର ସଲିମ ସାଇମନ ମୁସୀର

ଶ୍ରୀଜଗନ୍ନାଥ ଅକ୍ଷୟ ମହାନ୍ତି

ନୀଳମାଧବ ନିର୍ମଳ କୁମାର

ମଥୁରା ବିଜୟ ବାଳକୃଷ୍ଣ ଦାଶ

ଚିହ୍ନା ଅଚିହ୍ନା ବାସୁଦେବ ରଥ

୧୯୮୦

ଅନୁରାଗ ଭୁବନ ହରି

ବାଟ ଅବାଟ "

ତ୍ରିନାଥ ମେଳା ରାଖାଲ ମହାନ୍ତି

ରାମାୟଣ ପ୍ରଫୁଲ୍ଲ କର

ଅଗ୍ନି ପରୀକ୍ଷା ଶାନ୍ତନୁ ମହାପାତ୍ର

ମେଘମୁକ୍ତି "

ଅନୁରାଧା ବାସୁଦେବ ରଥ

ଜୟ ମା ମଙ୍ଗଳା "

ଅଭିମାନରେ କେମିତି ଭସା ମେଘ ହୋଇ ଉତ୍ତମ ମହାନ୍ତି ନାଚି ନାଚି ଆସିଲେ ମୋର ଏବେବି ସ୍ପଷ୍ଟ ମନେଅଛି। ଆଜି ସେ ପୁଣି ମେଘ ସହିତ ମିଶିଗଲେ। ଥରେ ଟ୍ରେନରୁ ଓହ୍ଲାଇଲା ବେଳକୁ ଚେନ୍ନାଇ ଷ୍ଟେସନରେ ଦେଖା ହୋଇଥିଲା ଓ ମୋ ଛୋଟ ଝିଅ ସହିତ ହାତ ମିଳାଇଥିଲେ। ସେହି ପ୍ରଥମ ଓ ଶେଷ ଦେଖା। ତାଙ୍କର ଅଗଣିତ ପ୍ରଶଂସକ ଆଜି ଦୁଃଖରେ ମ୍ରିୟମାଣ। ବିଦାୟ ଉତ୍ତମ!

ଜୀବନରେ ବିଭିନ୍ନ ଜିନିଷର ସମାଧାନ ଖୋଜିବା ଏକ ସାଧାରଣ ବ୍ଯାପାର କିନ୍ତୁ ସବୁବେଳେ ସବୁକିଛି ସମ୍ଭବ ହୋଇନଥାଏ। ମଣିଷ ଚାହିଁବା ଓ ଚେଷ୍ଟା କରିବା ପରେ ବି ଫଳାଫଳ ଭିନ୍ନ ହେବାର ଉଦାହରଣ ଅନେକ। ତାର କାରଣ ହେଲା ବିବର୍ତ୍ତନ। ପୃଥିବୀ ଦୁଇ ଧାରାରେ ଘୁରିବା ସଙ୍ଗେ ସଙ୍ଗେ ପ୍ରତି ମୂହୁର୍ତ୍ତରେ ବିବର୍ତ୍ତିତ ହେଉଛି। ତା ବିଷୟରେ ସଚେତନତା ଲୋଡ଼ା।

ମୋର ସତୁରି ବର୍ଷର ଜୀବନ କାଳ ମଧ୍ୟରେ ଓଡି଼ଆ ବା ଓଡ଼ିଶା କୌଣସି ଗୋଟିଏ ଦିଗରେ ବି ସର୍ବଭାରତୀୟ ସ୍ତରରେ ଗୌରବ ଅର୍ଜନ କରିପାରିଲା ନାହିଁ। ଯାହା ସମୟର ଖେଳ ତାକୁ କବେ ଏଡ଼ାଇ ଦିଆଯାଇ ନ ପାରେ। କିନ୍ତୁ ବହୁ ଲୋକଙ୍କୁ ଜଣା ନାହିଁ ଯେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଆଦର୍ଶ ପ୍ରଚାର କ୍ଷେତ୍ରରେ ଓଡ଼ିଶାର ସ୍ଥାନ ସବୁଠାରୁ ଉପରେ। ଏହା ବଡ଼ ସୌଭାଗ୍ୟ।

ଦିଲ୍ଲୀରେ ପାଳଙ୍ଗଶାଗ ପ୍ରଚୁର ପରିମାଣରେ ମିଳେ। କିନ୍ତୁ ପଶ୍ଚିମବଙ୍ଗରେ ଖଡ଼ା ପରି ପାଳଙ୍ଗର ଲମ୍ବା ଲମ୍ବା ଗଛର କାଣ୍ଡ ମଧ୍ୟ ଶାଗ ସହିତ ତରକାରି ହୁଏ। ସଜନା ଛୁଇଁ, କଖାରୁ ଡଙ୍କ, ଖଡା଼, ଓ ପୋଇ ସାଙ୍ଗକୁ ଇଏ ଏକ ନୂଆ ଜିନିଷ ମୋର ପ୍ରିୟ ତାଲିକାରେ ଜୋଡ଼ା ହେଲା। ବଙ୍ଗଳାରେ ଏ ସବୁକୁ ଡାଟା ବୋଲି କୁହନ୍ତି। ହିନ୍ଦୀରେ ଡାଣ୍ଠ କିମ୍ବା ଡଣ୍ଠଲ।

ଆମ ବାଲକୋନୀ ସାମନାରେ ଥିବା ବିରାଟ ଓସ୍ତଗଛଟିରୁ ପତ୍ର ସବୁ ଝଡ଼ିଯାଇ ନୂଆ ନାଲି ପତ୍ର କଅଁଳୁଛି। ଫଳରେ ହୁଗୁଳି ନଦୀର ଦୃଶ୍ୟ ସ୍ପଷ୍ଟ ଦେଖାଯାଉଛି। ଅନତିଦୂରରେ ଶ୍ଯାମନଗରର ପ୍ରସିଦ୍ଧ କାଳୀ ମନ୍ଦିର। ନଈ ଆରପଟରେ ଭଦ୍ରେଶ୍ବର ତେଲିନିପାଡା଼ର ଭିକ୍ଟୋରିଆ ଝୋଟ କଳ ଯାହାର ସାଇରନ ଶବ୍ଦ ମଝିରେ ମଝିରେ ସମୟ ମନେପକାଇ ଦିଏ। ଫଟ: ଆତପୁର, ଭାଟପାଡ଼ା।

ସାଧନା ଆଜିଯାଏ ଦେଖିପାରିଲି ନାହିଁ କିନ୍ତୁ ତା ଗୀତଗୁଡ଼ିକ ପିଲାଦିନୁ ମୁଗ୍ଧ କରି ରଖିଛି। ଶରତ ପୂଜାରୀ ବହୁତ ବେଶି ଛବିରେ ତ ସୁଯୋଗ ପାଇନାହାନ୍ତି କିନ୍ତୁ ବଙ୍ଗଳାର ଉତ୍ତମ କୁମାରଙ୍କ ସମସ୍କନ୍ଧ ଭାବରେ ଆମେ ତାଙ୍କୁ ନେଇ ଗର୍ବ କରୁଥିଲୁ। ଏପରି ଏକ ସୌମ୍ୟ ଚେହେରା ଓ କଥାକୁହା ଆଖି ଓଡ଼ିଆରେ ବି ବିରଳ। ତାଙ୍କ ଆତ୍ମଜୀବନୀ ବହୁ ବ୍ଯଥାରେ ଭରା।

ସ୍ମୃତି ହିଁ ସଂସ୍କୃତି। କିନ୍ତୁ ରାଜା ରାଜୁଡ଼ା ଅମଳରୁ ପୃଷ୍ଠପୋଷକତା କାରଣରୁ ବହୁ ଜିନିଷ ଅଧିକ ଆୟୁ ଲାଭ କରିଛି। କାହାକୁ ଭଲ ଦିଶୁ ବା ନଦିଶୁ କିନ୍ତୁ ପଥରରେ ଖୋଦିତ ଜିନିଷ ସବୁକୁ ଜବରଦସ୍ତି ଭଲ ବୋଲି କୁହାଯାଉଛି। ନୂତନ ସୃଜନଶୀଳତାକୁ ଉପେକ୍ଷା କରି କେବଳ ପୂରାତନକୁ ହିଁ ସକଳ ଆଦର ମିଳୁଛି। ଏପରି ଏକତରଫା ମନୋଭାବର ପରିବର୍ତ୍ତନ ଆବଶ୍ୟକ।

ସମ୍ବଲପୁରରୁ ଆସି ମୁଁ ନିମାପଡାରେ ରହିଲା ପରେ, ନିର୍ମଳ ସରକାର ଶୀର୍ଷକ ଛଦ୍ମ ନାମରେ ମୋର କେତେଗୁଡ଼ିଏ ପତ୍ର ୧୯୮୬ ଓ ୧୯୮୮ ମଧ୍ୟରେ ସମ୍ବାଦରେ ପ୍ରକାଶିତ ହୋଇଥିଲା। ବିଭିନ୍ନ ସାଂସ୍କୃତିକ ତଥା ଉନ୍ନତିମୂଳକ କାମକୁ ନେଇ ମୁଁ ମୋର ମତାମତ ଜ୍ଞାପନ କରୁଥିଲି। ଆଜି ବି ଅଧିକାଂଶ ତେଣ୍ଡା ଏହି ପ୍ରାଙ୍ଗଣରେ ଅନୁରୂପ ଡାକ୍ତି ଉତ୍ତୋଳିତ କରୁଛନ୍ତି।

ଦିଲ୍ଲୀରେ ଛକ ଜାଗାମାନଙ୍କରେ କଟା ନଡ଼ିଆ ବିକ୍ରି ହୁଏ। କିନ୍ତୁ ପଶ୍ଚିମବଙ୍ଗରେ ସେପରି କୋଉଠି ମିଳେନାହିଁ। କେବଳ ଝାଲମୁଢି଼ ବିକିଲାବାଲାଙ୍କ ପାଖରେ ପାତି କିଛି ଥାଏ। ଦେଖିଲେ ଖାଇବାକୁ ଇଚ୍ଛା ହୁଏ କିନ୍ତୁ ପଇସା ଦେଲେ ବି ସେମାନେ ପ୍ରାୟ ଦିଅନ୍ତି ନାହିଁ। ତାଙ୍କର ବ୍ଯବସାୟ କଥା। ଆଜି ଯାହାହେଉ ଦଶ ଟଙ୍କା ଦେବାରୁ ଜଣେ ଦୁଇଟି ପାତି ଦେଲା।

ଉତ୍ତର ପ୍ରଦେଶ ବିଭାଜନ ହେବ ନାହିଁ ବୋଲି ଗୁଳି ଚାଲିଥିବାର ମୁଁ ଦେଖିଛି। ପରେ କିନ୍ତୁ ହେଲା। ତେଲେଙ୍ଗାନା ପାଇଁ କେତେ ବର୍ଷ ଧରି ସଙ୍ଘର୍ଷ ଚାଲିଲା। ଶେଷରେ ହେଲା। ତେଣୁ ସମୟର ସ୍ରୋତ ବିରୁଦ୍ଧରେ ଲଢ଼େଇ କରିବାଟା ବୋକାମୀ। ଇଙ୍ଗ୍ରେଜ ମାନେ ଯେଉଁ ଭଳି ଜୋଡ଼ା ଜୋଡ଼ି କରି ଭାରତକୁ ଗଢ଼ିଥିଲେ ତା ଦେହରେ ବହୁ ପରିବର୍ତ୍ତନର ଆବଶ୍ୟକତା ରହିଛି।

ପୁରୁଣା ଗୀତଗୁଡ଼ିକର ରେକର୍ଡ଼ କେବେ ବଜାରକୁ ଆସିଥିଲା ଜାଣିବା ପାଇଁ କିଛି ଉପାୟ ନାହିଁ। ଓଡ଼ିଆ ସିନେମା ଗୀତ ବହିରେ ରେକର୍ଡ଼ର କିଛି ତଥ୍ୟ ଦିଆଗଲେ ଭଲ ହୁଅନ୍ତା। କମ୍ପାନୀମାନଙ୍କ ଦ୍ବାରା ପ୍ରସ୍ତୁତ କେତେକ ନୂଆ ଆଲବମ ଯୋଗୁ କିଛି ନିର୍ବାଚିତ ଗୀତ ଲୋକପ୍ରିୟତା ହାସଲ କରିଥିବା ସ୍ଥଳେ ଅନ୍ୟ ଗୀତଗୁଡ଼ିକ ଜନମାନସରୁ ନିର୍ବାସିତ ହୋଇଯାଇଛି।

ବିବର୍ତ୍ତନର ସ୍ରୋତରେ ସମଗ୍ର ମଣିଷ ସମାଜ ଓ ଓଡ଼ିଆମାନେ ମଧ୍ୟ ତାରି ଭିତରେ। ମହାନଦୀ ଆଦି କେତୋଟି ନଦୀ, ପାହାଡ଼, ଓ ସମୁଦ୍ରର ଆଖପାଖରେ ଗଢ଼ିଉଠିଥିବା ଏହି ଭାଷାଭିତ୍ତିକ ଛୋଟ ସଭ୍ୟତାଟି ବନ୍ଦର, ବିମାନ ବନ୍ଦର, ଓ ରେଳପଥ ଦ୍ୱାରା ଅନ୍ଯାନ୍ଯ ଜାଗାସବୁ ସହ ସଂଯୁକ୍ତ ହୋଇଛି। ତେଣୁ ଅଲଗା ବା ଏକୁଟିଆ ହୋଇ ରହିବାର ସୁଯୋଗ ଆଉ ନାହିଁ। 

ରଜନୀକାନ୍ତଙ୍କ ଦୟାରୁ ଅମଡ଼ାବାଟର ସମ୍ପୂର୍ଣ୍ଣ ଦୃଶ୍ୟବନ୍ଧଟି ସପ୍ତାହେ ତଳେ ଉତ୍ତୋଳିତ ହୋଇଛି ଓ ଭାଗ୍ଯର ବିଷୟ ଯେ ମୋ ମନ ନାଚେ ଗୀତଟି ଦେଖିବାକୁ ମିଳିଲା। ମୋର ସବୁଠାରୁ ପ୍ରିୟ ଛାୟା ପଛେ ପଛେ ଗୀତଟିର ଦୃଶ୍ୟବନ୍ଧ ଦୁଇ ଫାଳେ ହୋଇଯାଇଛି। ବୋଧହୁଏ ଗୀତଟିରେ ଥିବା ଫଟା କପାଳର ଭାବ ଯୋଗୁ। ଜାଣେ ଜାଣେ ମୋ ରାଧିକା ଓ ଅନେକ ଦିନ ପରେ ଗୀତ ଦୁଇଟିର ଦୃଶ୍ୟବନ୍ଧ ଦେଖି ହୃଦୟ ତୃପ୍ତ ହେଲା।

ନାଟକରୁ ସିନେମାରେ ରୂପାନ୍ତରିତ ହେବା ଭିତରେ ଯାଯାବର ବିଷୟରେ ଯାବତୀୟ ଘଟଣାବଳୀର କିଛି ଅଂଶ ଆଜି କଥା ପରଦାର ଅଧ୍ଯାୟରେ ଶୁଣିବାକୁ ମିଳିଲା। ନିତାଇ ପାଲିତ ମନାକରିଦେଇ ନିଶ୍ଚୟ ପସ୍ତେଇଥିବେ। ତେବେ ନିର୍ମାଣରେ ନାନା ବିସଙ୍ଗତି ସତ୍ତ୍ୱେ କଥାଚିତ୍ରଟି ଯେଉଁଭଳି ସଫଳତା ତଥା ଲୋକପ୍ରିୟତାର ଶିଖର ଛୁଇଁଲା ତାହା ସତରେ ଏକ ବଡ଼ ଆଶ୍ଚର୍ଯ୍ୟର କଥା।

ଆମ ଓଡ଼ିଆମାନଙ୍କର ମନରେ ନିର୍ମଳା ମିଶ୍ର ସବୁଠୁଁ ଉପରେ। ତାପରେ ଶିପ୍ରା ବୋଷ, ସନ୍ଧ୍ୟା ମୁଖାର୍ଜୀ, ଓ ଆରତୀ ମୁଖାର୍ଜୀ। କିନ୍ତୁ ପ୍ରକୃତରେ ସନ୍ଧ୍ୟା ମୁଖାର୍ଜୀଙ୍କ ସ୍ଥାନ ଅନ୍ୟମାନଙ୍କ ଅପେକ୍ଷା ଶହେ ଗୁଣ ଉପରେ। ତେଣୁ ତାଙ୍କ କଣ୍ଠରେ ଯେଉଁ ଦଶ ବାରଟି ଗୀତ ଅଛି ତାହା ଓଡ଼ିଆର ଭାଗ୍ୟ। ଣ ଓ ଳ ପାଇଁ ତାଙ୍କୁ କେତେ କଷ୍ଟ କରିବାକୁ ପଡ଼ୁଥିଲା।

ଲତା ମଙ୍ଗେସକର ପ୍ରଥମ ଥର ପାଇଁ ଓଡ଼ିଆରେ ଗୀତ ଗାଇଲେ କିନ୍ତୁ ବଙ୍ଗଳା ପ୍ରଭାବ ଯୋଗୁ କିମ୍ପାର ଉଚ୍ଚାରଣ କିଁପା ଭଳି ଶୁଭୁଛି। ସେ ଯାହାହେଉ ତାଙ୍କ କଣ୍ଠର ଦୁଇଟି ଗୀତ ଓଡ଼ିଆର ଅମୂଲ୍ୟ ସମ୍ପଦ। ମହମ୍ମଦ ରଫିଙ୍କର ଦୁଇଟି ଗୀତ ମଧ୍ୟ ଅନୁରୂପ। ହେମନ୍ତ କୁମାର ବି ଦୁଇଟି ଗୀତ ଗାଇଛନ୍ତି ଏବଂ ଶ୍ଯାମଲ ମିତ୍ର ଚାରୋଟି।

ସୂର୍ଯ୍ୟମୁଖୀରେ ଶାନ୍ତନୁ ମହାପାତ୍ର ଓଡ଼ିଆ କଥାଚିତ୍ର ଗୀତକୁ ଅନ୍ୟ ଏକ ସ୍ତରକୁ ଉଠାଇ ନେଲେ ଯାହା ଚିର ସବୁଜ ହୋଇ ରହିବ। ଓଡ଼ିଆର ପ୍ରଥମ କଓ୍ବାଲି ଗୀତ ମଧ୍ୟ ଏହି ଛବିରେ ସ୍ଥାନ ପାଇଲା। କିନ୍ତୁ ଦୁଃଖର ବିଷୟ ଯେ ନାନା ପ୍ରକାରର ସ୍ବରର ସମାହାରରେ ଛନ୍ଦା ଏହି ଏ ରଙ୍ଗ ରହିବ ନାହିଁ ଗୀତଟି ଏକ ମସ୍ତବଡ଼ ସାଙ୍ଗିତିକ ବିଫଳତା। ମେଲୋଡ଼ି ନାହିଁ।

ଷାଠିଏ ଦଶକରେ, ଆମ ସ୍କୁଲ ସମୟରେ ମନୋରଞ୍ଜନର ଅଭାବ ଥିଲା। ତଥାପି ଦୂର ଗାଆଁକୁ ଯାଇ ମେଳନ, ପାଲା, ଦାସକାଠିଆ, ବା ରାତି ଅନିଦ୍ରା ହୋଇ ଯାତ୍ରା ଦେଖିବାର ଆକର୍ଷଣ କିଛି ଅଲଗା ଥିଲା। ଡୁଏଟ ନାଚ ପରିବେଷଣ ବେଳେ ଯେଉଁ ରୋମାଞ୍ଚକର ପରିବେଶ ସୃଷ୍ଟି ହେଉଥିଲା ତାହା ଭୁଲିବାର ନୁହେଁ। ମଞ୍ଚ ପାଖରେ ଥିବାରୁ ଖଣ୍ଡା ଯୁଦ୍ଧ ବି ଭୟ ସଞ୍ଚାର କରୁଥିଲା।

ଓଡ଼ିଆ ସାହିତ୍ୟର ପ୍ରତିଟି ବିଭାଗରେ ପ୍ରଚୁର ସମ୍ପଦ ପୁରି ରହିଛି କିନ୍ତୁ ମୋର କୌଣସି କାମରେ ଆସୁନାହିଁ। ୟୁଟ୍ୟୁବ ଯୋଗେ ଗୀତ ସବୁ ଶୁଣି ବା ଦେଖିହେଉଥିବା ହେଉଛି ସବୁଠାରୁ ବଡ଼ ଉପଯୋଗିତା। ଗୀତିନାଟ୍ୟ ଓ ଘୋଡ଼ାନାଚର ଦୃଶ୍ୟବନ୍ଧ ଦେଖିବାରୁ ଖାଣ୍ଟି ଓଡ଼ିଆ ବାଜାବଜାର ମହକ ଆସିଲା। ସେହି ସବୁ ହିଁ ରହିବ। ବାକି ପ୍ରାୟ ଭଞ୍ଜିକୃତ ହୋଇଯିବ।

ଆକାଶ ଯେ ମୋତେ ପାଗଳ କରିଛି ଧନଞ୍ଜୟ ଶତପଥୀଙ୍କର ଏକ କାଳଜୟୀ ରେଡ଼ିଓ ଗୀତ। ଲେଖା ଯେମିତି ସ୍ବର ମଧ୍ୟ ସେମିତି। କେହି ଜଣେ ଗାୟକ ଯଦି ମୁକ୍ତ କଣ୍ଠରେ ଟିକେ ଗମ୍ଭୀର ସ୍ବରରେ ଗୀତଟିକୁ ବୋଲିପାରନ୍ତେ, ତାହାହେଲେ ଏହା ଖୁବ ଲୋକପ୍ରିୟ ହୋଇପାରନ୍ତା। ଭୁବନେଶ୍ବରୀ ମିଶ୍ରଙ୍କ ବନ ମୟୂରୀ ମୋ ଏହାର ସାଥି ସଜଫୁଲ ଗୀତ।

https://x.com/NathTusar/status/1901702421967262179?t=lb8xx-z_WQmqNK_vc6o1Tg&s=19

No comments:

Post a Comment

ଉତ୍ତମ ମହାନ୍ତି ପୁଣି ମେଘ ସହିତ ମିଶିଗଲେ

ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡ଼ିକର ସଙ୍କଳନ ଓଡ଼ିଆ ଓଳିଆ: ବଙ୍ଗଳାକୁ ଆବିଷ୍କାର କରିବାର ସୁଯୋଗ ମିଳିଲା odiaolia.blogspot.com/2025/01/blo...