Thursday, 9 November 2023

ବୌଦ୍ଧିକ ଆଳସ୍ୟ ତ୍ଯାଗ କରିବାର ଆହ୍ବାନ

 ମୁଁ ଗତ କିଛି ଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ ନିମ୍ନରେ ପ୍ରଦତ୍ତ ହୋଇଛି। ପାଠକ ମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡନ କରିବାକୁ ମଧ୍ୟ ଅନୁରୋଧ।

ଓଡ଼ିଆ ଓଳିଆ: ଶ୍ରୀମା ଶ୍ରୀଅରବିନ୍ଦଙ୍କ ଦର୍ଶନ ସମ୍ବଳିତ ଆଭିମୁଖ୍ୟ ଅନୁସରଣ ଶ୍ରେୟସ୍କର

ମୁଁ ଗତ ତିନି ଚାରି ଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ ନିମ୍ନରେ ପ୍ରଦତ୍ତ ହୋଇଛି। ପାଠକ ମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡନ କରିବାକୁ ମଧ୍ୟ ଅନୁରୋଧ। odiaolia.blogspot.com/2023/10/blog-p…

ସାଧନା ମୁଁ ଦେଖିନି ତେଣୁ ଜୀବନ ସାଥୀ ବୋଧେ ଶରତ ପୂଜାରୀଙ୍କର ସବୁଠାରୁ ଭଲ ଛବି। ମଧୁମତୀ ଛାୟାରେ ନିର୍ମିତ ଏହି କଥାଚିତ୍ରଟି ସମସାମୟିକ କଥାବସ୍ତୁଠାରୁ ଟିକେ ଅଲଗା। ଗୀତରେ ତ ବାଳକୃଷ୍ଣ ଦାଶ ନିଜର ସମସ୍ତ ସମ୍ବେଦନଶୀଳତାକୁ ନିଗାଡ଼ି ଦେଇଛନ୍ତି। ଆଉ ସବୁଠୁଁ ଅଭୁଲା ହେଲା ନିରଞ୍ଜନ ଶତପଥୀଙ୍କର ସଂକ୍ଷିପ୍ତ ଅଥଚ ଶକ୍ତିଶାଳୀ ଖଳନାୟକ ଭୂମିକା।

ବସନ୍ତ ବିଶ୍ବାଳ ଫ୍ଲାଇଓଭର ତିଆରି କରିବା ଆଗରୁ କଟକ ଷ୍ଟେସନ୍ ପାଖ ଲେଭଲ୍ କ୍ରସିଙ୍ଗ୍ ଡେଇଁଲା ପରେ ମଟର ଷ୍ଟାଣ୍ଡ ଥିଲା ଯେଉଁଠି ସବୁବେଳେ କାନ ଅତଡ଼ା ପଡ଼ୁଥିଲା। ଜାଦୁ କାଛୁକୁଣ୍ଡିଆ ମଲମ, ଲଟେରୀ ଟିକେଟ୍, ପାଞ୍ଜି, ଓ ମଞ୍ଜି ବିକିବା ଭଳି ବିଭିନ୍ନ ବିକ୍ରେତା ମାଇକ୍ ଲଗାଇ ଗୋଟାଏ ଭଲ କନସର୍ଟ କରୁଥିଲେ। ମିଠା ଦୋକାନରେ ଗୀତ ବି ବାଜୁଥିଲା।

ଜୀବନରେ ଅର୍ଥର ଆବଶ୍ୟକତା ତ ନିଶ୍ଚୟ ରହିଛି କିନ୍ତୁ ଜୀବନର ଅର୍ଥ ବୋଧହୁଏ ଅଧିକ ଗୁରୁତ୍ବପୂର୍ଣ୍ଣ। ମୋ ଜୀବନର ଅନ୍ୟ କୌଣସି ବିଶେଷତ୍ବ ନଥାଇପାରେ କିନ୍ତୁ ଏଇ ଗୋଟିଏ ପ୍ରମାଣ ଅଛି ଯେ ମୁଁ ୪୪ ବର୍ଷ ବୟସରେ ବ୍ଯାଙ୍କ ଅଫିସର ପଦରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲି ୨୦୦୦ ସାଲରେ। ତେଣୁ ୭୦ ଘଣ୍ଟାର ଘଣ୍ଟ ପିଟିଲାବାଲା ମାନଙ୍କଠାରୁ ସାବଧାନ!

କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର କାଳଜୟୀ ଉପନ୍ୟାସ ମାଟିର ମଣିଷ ପିଲାଦିନେ ଛାତି କରତି ଦେଉଥିଲା। କିନ୍ତୁ ବଡ଼ ହେଲାପରେ ବୁଝି ହେଲା ଯେ ଅଣ୍ଡାଟିଏ ଭାଙ୍ଗିଲେହିଁ ଆମଲେଟ ତିଆରି ହୋଇପାରିବ। ତଥାପି ସମାଜ ବା ଜୀବନର କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ। ପ୍ରତ୍ୟେକ ଲୋକର ପରିସ୍ଥିତି, ମନୋଭାବ, ତଥା ସମ୍ବେଦନଶୀଳତା ଅଲଗା। ସମୟ ବି ଭୁଲାଇଦିଏ।

ନିଶ୍ଚୟ। ସୁନ୍ଦର ଲେଖିଛନ୍ତି କବିତାଟି।

ପାଞ୍ଚଭାଇ ତ ମହାଭାରତ ଯୁଗରେ ନଥିଲେ। ଆଜିକାଲି କୋଉଠୁ ଆସିବେ!

ଶହେ ବର୍ଷ ତଳେ ଓଡ଼ିଶା ନଥିଲା କିନ୍ତୁ ବିଭିନ୍ନ ଅଞ୍ଚଳରେ ନାନା ପ୍ରକାରର ଓଡ଼ିଆ ଲୋକନାଟ୍ୟ ପ୍ରଚଳିତ ଥିଲା ଯାହା ଭିତରୁ ଜନ୍ମ ନେଇଛି ଓଡ଼ିଆ ସିନେମା। ଅଭିନେତ୍ରୀ ମାନଙ୍କୁ ମଞ୍ଚ ଉପରକୁ ଆଣିବା ଦିଗରେ କାଳୀଚରଣ ପଟ୍ଟନାୟକଙ୍କର ଭୂମିକା ଅଗ୍ରଣୀ। ତଥାପି କିଏ କାହାର ପର୍ଯ୍ୟନ୍ତ ବି ନାୟିକା ଭାବରେ ଅଭିନୟ ପାଇଁ ସାମାଜିକ ପ୍ରତିବନ୍ଧକ ଥିଲା।

ମୋ ମତରେ କୌଣସି ଏକ ନିର୍ଦ୍ଦିଷ୍ଟ ଆକଳନ କଳା ପ୍ରତି ନ୍ୟାୟ କରିପାରିବ ନାହିଁ। ତାପରେ, ବ୍ୟବସାୟିକ ଦିଗ ପ୍ରତି ମଧ୍ଯ ସହାନୁଭୂତିଶୀଳ ହେବା ଆବଶ୍ୟକ।

ସତୁରି ଦଶକରେ ମୋର କଲେଜ ଜୀବନରେ ନାଟକ ପଢ଼ିବା ଓ ଦେଖିବାର ସୁଯୋଗ ବଢ଼ିଲା। ବିଜୟ ତେନ୍ଦୁଲକରଙ୍କ ବିପ୍ଳବାତ୍ମକ ଓ ମନୋରଞ୍ଜନ ଦାସ ଓ ବିଶ୍ଵଜିତ ଦାସଙ୍କ ଉଦ୍ଭଟ ନାଟକ ସବୁ ବୌଦ୍ଧିକ ସୀମାର ଶୀର୍ଷ ଛୁଉଁଥିଲେ। ସିନେମା ଓ ରାଜନୀତିରେ ମଧ୍ୟ ସମୟ କଡ଼ ଓଲଟାଉଛି। ବତୀଘର ଓ ଚିଲିକା ତୀରେରେ ସେହି ସ୍ତରର ସାମାନ୍ୟ ଉତ୍କର୍ଷ ଦେଖିବାକୁ ମିଳିଥିଲା।

ଶ୍ରୀଅରବିନ୍ଦଙ୍କର ଜନ୍ମ ଶତବାର୍ଷିକୀ ପାଳନକୁ କେନ୍ଦ୍ର କରି ସତୁରି ଦଶକରେ ଅଭୂତପୂର୍ବ ଉତ୍ସାହ ଉଦ୍ଦୀପନା ସୃଷ୍ଟି ହୋଇଥିଲା ଓଡିଶାରେ। ଶୀର୍ଷ ସ୍ତରର ନେତା ଓ ଲେଖକ ମାନେ ଏହି ଆନ୍ଦୋଳନକୁ ଇନ୍ଧନ ଯୋଗାଇଥିଲେ। ସମଗ୍ର ଭାରତବର୍ଷରେ ଓଡ଼ିଶା ଏଯାବତ ଏ ଦିଗରେ ଅଗ୍ରଣୀ ରହିଛି। ଓଡ଼ିଆ ହିସାବରେ ସମସ୍ତଙ୍କୁ ଏହାର ମହତ୍ତ୍ବ ବୁଝିବାପାଇଁ ଅନୁରୋଧ।

ପରିଣାମର ଦୃଶ୍ୟାଂଶ ଦେଖିଲି। ବହୁତ ଭଲ ଲାଗୁଛି। ଛାୟା ପଛେ ପଛେ ଦେଖି ନୟନ ତୃପ୍ତ ହେଲା। ମାଲ୍ୟଗିରିର ଦୃଶ୍ୟାଂଶ ବି ଭଲ ଲାଗୁଥିଲା କିନ୍ତୁ ସମୀକ୍ଷା ପଢ଼ି ଜାଣିଲି ଯେ ଢୋଲ ପରି ଫମ୍ପା। ପରିଣାମ ହଲରେ ଚାଲିଲେ ହୁଏତ ବେଶୀ ସଫଳ ହୋଇପାରେ। ଓଡ଼ିଆ ଜାତି ସୂର୍ଯ୍ୟବାବୁଙ୍କ ନିକଟରେ ଚିର ଋଣୀ। ପଦ୍ମଶ୍ରୀ ପାଇବା ପାଇଁ ତାଙ୍କ ଯୋଗ୍ୟତା ଯଥେଷ୍ଟ।

ଷାଠିଏ ଓ ସତୁରି ଦଶକରେ ଓଡ଼ିଆ ଭାଷା ଭଲଭାବରେ ନଥିକରଣ ହୋଇଯାଇଛି। ଏହା ପୂର୍ବ ଓ ପରର ଭାଷାରେ ହୁଏତ ଅନ୍ୟ ପ୍ରଭାବ ଥାଇପାରେ। ଏହି ସମୟର ସଙ୍ଗୀତ ବି ଏକ ମାନକ। ଏହି ସନ୍ଦର୍ଭରେ ଲକ୍ଷ୍ୟ କରିବାର କଥା ଯେ ମା କଥାଚିତ୍ର ପୂର୍ବର ଗୀତ ସବୁ କେମିତି ଏକ ପୁରାତନ ଶୈଳୀର ବୋଲି ମନେ ହୁଅନ୍ତି। ତେଣୁ ମା ଠାରୁ ଘରବାହୁଡ଼ା ହେଉଛି ସୁବର୍ଣ୍ଣ ଯୁଗ।

ମୋର ସ୍କୁଲ ଓ କଲେଜ ଜୀବନ ଟିଭିପୂର୍ବ ଯୁଗ। ତେଣୁ ବିଭିନ୍ନ ଜାଗାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ଥିଲା ଏକ ସାଧାରଣ ବ୍ଯାପାର। କିନ୍ତୁ କଳା ସମ୍ବନ୍ଧୀୟ ସଚେତନତା ଶିକ୍ଷା ବ୍ୟବସ୍ଥା ଭିତରେ ନଥିଲା। ତେଣୁ ସବୁ କିଛି କେବଳ ମନୋରଞ୍ଜନର ସାମଗ୍ରୀ ଥିଲା। ବୈଚିତ୍ର୍ୟ ଓ ବୈପରିତ୍ଯ ଅଭାବରୁ ପରିବେଷଣର ସମ୍ଯକ ମୂଲ୍ୟ ବୁଝି ହେଉନଥିଲା।

ଓଡ଼ିଶୀ ପଦ୍ଯ ଓ ସଙ୍ଗୀତ ପ୍ରତି ମୋର ଆକର୍ଷଣ ନାହିଁ। ଓଡ଼ିଆ ଭାଷାକୁ ଭଲପାଇବା ମାନେ ଯେ ଓଡ଼ିଶୀକୁ ଭଲପାଇବା ଏପରି ସର୍ତକୁ ଗ୍ରହଣ କରିବା ମୋ ପକ୍ଷରେ କଷ୍ଟ। ସେଇଥିପାଇଁ ବାଳକୃଷ୍ଣ ଦାଶ ଓ ଭୁବନେଶ୍ଵର ମିଶ୍ରଙ୍କ ଅବଦାନ ଅମୂଲ୍ଯ। ଅକ୍ଷୟ ମହାନ୍ତି ମଧ୍ୟ ଏ କ୍ଷେତ୍ରରେ ଜଣେ ବଳିଷ୍ଠ ଯୋଦ୍ଧା। ଭକ୍ତି ଓ ଧର୍ମ ସଙ୍ଗୀତରୁ ଦୂରରେ ରହିଲେ ଭଲ।

ଜ୍ଞାନ ତ ଦରକାର କିନ୍ତୁ ଗୋଟିଏ ଗୋଟିଏ ବିଷୟରେ ଜ୍ଞାନ ଅଧିକା ହୋଇଗଲେ ତାହା ବୋଝ ହୋଇଯାଏ ଓ ଜୀବନର ପଥକୁ ବଙ୍କା କରିଦିଏ। ରୁଚିରୁ ଆନନ୍ଦ ମିଳେ କିନ୍ତୁ ତାମାନେ ନୁହେଁ ଯେ ତାରି ଭିତରେ ବୁଡ଼ିରହିବା। ଯେଉଁ ବର୍ଣ୍ଣନଦୀରେ ମଣିଷ ବହିଯାଉଛି ତାକୁ ଯଥାର୍ଥ ଦିଗଦର୍ଶନ ଦେବାର କ୍ଷମତା ଦର୍ଶନ ପାଖରେ। ଶ୍ରୀମା ଶ୍ରୀଅରବିନ୍ଦ ଆଖି ଖୋଲି ଦିଅନ୍ତି।

ବ୍ଯାପକ ଲୋକପ୍ରିୟତା ଅର୍ଜନ କରିବାରେ ଏ'ତ କଳିକାଳ ରୀତି ବୋଧେ ପ୍ରଥମ କଥାଚିତ୍ର ଗୀତ ବୋଲି କୁହାଯାଇପାରେ। ବିପରୀତ ଶବ୍ଦରେ ଟିକିଏ ବଦମାସିଆ ଇଙ୍ଗିତ ତ ଥିଲା କିନ୍ତୁ ଠେଙ୍ଗା ଧର ସେ ସମୟରେ ଥିଲା ରାଜନୈତିକ ବିସ୍ଫୋରକ। ନାରୀବାଦ ଉପରେ ଏପରି ଶକ୍ତ ପ୍ରହାର ବଜାର ଘାଟରେ ଦିନ ରାତି ମାଇକରେ ବାଜିବା ଖାଲି ହାସ୍ୟରସ ବୋଲି ଚଳିଯାଉଥିଲା।

ଅନ୍ୟ ପ୍ରଦେଶମାନଙ୍କ ସହ ଏକ ସ୍ୱାଧୀନ ଦେଶ ହେଲେହିଁ ଓଡ଼ିଶା ଉନ୍ନତି କରିପାରିବ। ପ୍ରତିଯୋଗିତା ଅଭାବରୁ ଅର୍ଥନୈତିକ ମେରୁଦଣ୍ଡ ଦୁର୍ବଳ ହୋଇଛି। ଯେ କୌଣସି ନିଷ୍ପତ୍ତି ନେବା ସକାଶେ ପରମୁଖାପେକ୍ଷୀ ହେବାକୁ ରାଜ୍ୟ ବାଧ୍ୟ ହେଉଛି। ତାଛଡ଼ା କେନ୍ଦ୍ର ସରକାରଙ୍କର ବୈମାତୃକ ମନୋଭାବ ଯୋଗୁ ୭୬ ବର୍ଷ ପରେ ବି ଓଡ଼ିଶା ଯୋଉ ତିମିରେକୁ ସେଇ ତିମିରେ।

କେହି ମୋତେ ଆଶ୍ୱାସନା ଦେଇ ନାହାଁନ୍ତି ଯେ ମୁଁ ଯେଉଁ ଦେଶରେ ଜନ୍ମ ହୋଇଛି ତାହା ଏକ ଉଚ୍ଚ ବିକଶିତ ଦେଶ ହେବ। ତେଣୁ, ସେଥିପାଇଁ କୌଣସି ନୈରାଶ୍ୟ ନାହିଁ | ମଣିଷର ଦୁଃଖ ଦୂର ହେବ ବୋଲି କେହି ଦୃଢ଼ ସଂକେତ ଦେଇ ନାହାଁନ୍ତି। ତେଣୁ, ସେଥିପାଇଁ ବି ନୈରାଶ୍ୟ ନାହିଁ | ସେହେତୁ, ରହିଲେ କେବଳ ଶ୍ରୀମା ଶ୍ରୀଅରବିନ୍ଦ ଯାହାଙ୍କ ଉପରେ ଭରସା କରିହେବ।

ଜାତି, ଧର୍ମ, ଓ ଭାଷାକୁ ନେଇ ଯେଉଁ ଅସହିଷ୍ଣୁତା, ଘୃଣାଭାବ, ତଥା ହିଂସାପ୍ରବଣତା ମନ ଭିତରେ ଲୁକ୍କାୟିତ ହୋଇ ଅଛି ତାର କିୟଦଂଶ ମାତ୍ର ଲେଖାରେ ପ୍ରତିଫଳିତ ହେଉଛି। ଇଂରେଜମାନେ ଆମକୁ ଆଧୁନିକ ସଭ୍ୟତା ଉପହାର ଦେଇଗଲା ପରେବି ଆମେ ଆମର ପୁରୁଣାଖୋଇ ଛାଡ଼ିପାରୁନାହୁଁ। ଶ୍ରୀମା ଶ୍ରୀଅରବିନ୍ଦ ଯାହା ଶିଖାଇଲେ ତାକୁ ମଧ୍ଯ ଗ୍ରହଣ କରିବାକୁ ନାରାଜ।

ଘର ଭିତରେ ଟିଭି ପଶିବା ଦିନଠାରୁ ଶିକ୍ଷା ଓ ସଂସ୍କୃତିର ସଂଜ୍ଞା ଗୋଳମାଳିଆ ହେବାରେ ଲାଗିଛି ଓ ଲୋକେ ବାଟବଣା ହେଉଛନ୍ତି। ବିଜ୍ଞାପନକୁ ଜ୍ଞାନର ଉତ୍ସ ଭାବରେ ସ୍ବୀକୃତି ମିଳୁଛି ଓ ପ୍ରଚାରକୁ ବୈଜ୍ଞାନିକ ପ୍ରଣାଳୀ ବୋଲି ବିଚାର କରାଯାଉଛି। ରାଜନୈତିକ ଦଳମାନଙ୍କର ଛାଇମୁଣ୍ଡିଆ ତଳେ ଆଶ୍ରୟ ନେଇ ମଣିଷ ଆସ୍ବସ୍ତ ଅନୁଭବ କରୁଛି। ଚିନ୍ତା ଘର ଶୂନ।

ବସ୍ତୁବାଦୀ ସଫଳତା ଯୋଗୁ ନିଜ ଚିନ୍ତାଧାରା ଯେତେବେଳେ ନିଜ ପରିଚୟ ଓ ପେଷା ସହ ଜୋଡ଼ି ହୋଇଯାଏ ସେତେବେଳେ ତାହା ସ୍ବକୀୟ ଭୌତିକ ସମ୍ପତ୍ତି ଭଳି ବୋଧହୁଏ। କିନ୍ତୁ କଥାଟା ପୂରା ଓଲଟା। ଚିନ୍ତାଧାରା ଓ ବର୍ଣ୍ଣନଦୀର ବନ୍ଦୀ ଆମେ ସମସ୍ତେ। ବିଜ୍ଞାନ ତ ଜିନ୍ ସାଙ୍ଗେ ଜୋଡ଼ୁଛି। ତେଣୁ ମୁକ୍ତି ପାଇବାର ବାଟ କଣ? ନିଜକୁ ନିଜେ ଛାଟ ଲଗାଇଲେ ହିଁ ହେବ।

ତୁଳନା ନକଲେ ମୂଲ୍ୟ ବୁଝି ହୁଏ ନାହିଁ ଓ ସେଇଥିପାଇଁ ଗୋଟିଏ କଷଟି ପଥର ଖୋଜିବାକୁ ପଡ଼େ। ସେ କହଇ ମନ ଆରେ ହେଉ ଅଥବା ରେ ଆତ୍ମନ୍, ଯୁଗେ ଯୁଗେ ମଣିଷକୁ ତାଗିଦା କରି ଦିଆହୋଇଛି; ଚେତାଇ ଦିଆଯାଇଛି। ଓଡ଼ିଶାର ବର୍ତ୍ତମାନ ପରିପ୍ରେକ୍ଷୀରେ ଉଠ କଙ୍କାଳର ଅର୍ଥ ହେଉଛି ଜୀବନର ଅର୍ଥ ସମ୍ବନ୍ଧରେ ଅଭିନିବିଷ୍ଟ ହେବା ଓ ନିଜପାଇଁ ଯଥାର୍ଥ ପଥ ବାଛିବା।

ଆଠବର୍ଷ ବୟସରେ ମୁଁ ଶ୍ରୀମା ଶ୍ରୀଅରବିନ୍ଦଙ୍କ ସତ୍ଯର ସନ୍ଧାନ ପାଇଥିଲି ଯାହା ଏଯାବତ୍ ଜ୍ବଳନ୍ତ ଅବସ୍ଥାରେ ଅଛି। ବିଗତ ଷାଠିଏ ବର୍ଷର ନାନା ଅଭିଜ୍ଞତା ତଥା ଅବିଛିନ୍ନ ଗବେଷଣା ମୋର ବିଶ୍ବାସକୁ ଆହୁରି ଦୃଢ଼ କରିଛି। ପ୍ରକାରାନ୍ତରେ କହିବାକୁ ଗଲେ ଅନ୍ୟ କୌଣସି ସୁସଙ୍ଗତ ମତବାଦ ଅଭାବରୁ ଶ୍ରୀଅରବିନ୍ଦହିଁ ସବୁଠାରୁ ବେଶୀ ପ୍ରାସଙ୍ଗିକ ଅଟନ୍ତି।

ଜୀବନର ଅର୍ଥ କେବଳ ଭକ୍ତି ବା ଧର୍ମର ବିଷୟ ନୁହେଁ। ଏହା ସହିତ ସବୁକିଛି ଜୋଡ଼ି ହୋଇ ରହିଛି। ଜୀବନର ଅର୍ଥ ବୁଝିଲେ ମାନବିକତାର ଅର୍ଥ ବୁଝିହେବ, ଜାତୀୟତାବୋଧର ଅର୍ଥ ବୁଝିହେବ, ଗଣତନ୍ତ୍ରର ଅର୍ଥ ବୁଝିହେବ, ସଂସ୍କୃତି ଓ ପରମ୍ପରାର ଅର୍ଥ ବୁଝିହେବ, ଏବଂ ସର୍ବୋପରି ନୈତିକତାର ମର୍ମ ବୁଝିହେବ। ତାହାହିଁ ହେବ ନିଜର ଯଥାର୍ଥ ଶିକ୍ଷା ଓ ସଂସ୍କାର।

ଓଡ଼ିଆ ଭାବରେ କର୍ତ୍ତବ୍ୟ ହେଲା

୧) ରୀତିଯୁଗରୁ ମୁକ୍ତ ରହିବା

୨) ମଧ୍ୟଯୁଗୀୟ ମନ୍ଦିର ପ୍ରଭାବରୁ ମୁକ୍ତ ରହିବା

୩) ରାଜତନ୍ତ୍ରକୁ ଉପେକ୍ଷା କରିବା

୪) ଧର୍ମକୁ ରାଜନୀତିରୁ ଦୂରରେ ରଖିବା

୫) କିମ୍ବଦନ୍ତୀ ମାନଙ୍କୁ ମହତ୍ତ୍ବ ଦେବା ନାହିଁ

୬) ମୃତ ମାନଙ୍କୁ ଅଯଥା ପ୍ରସଂଶା କରିବା ନାହିଁ

୭) ଓଡ଼ିଶାକୁ କୌଣସି ଦେବଦେବୀଙ୍କ ସହ ଜୋଡ଼ିବା ନାହିଁ

ପ୍ରଥମ କଥାଚିତ୍ର ସୀତା ବିବାହ (୧୯୩୬) ଓ ଦ୍ବିତୀୟ କଥାଚିତ୍ର ଲଳିତା (୧୯୪୯) ର ମଧ୍ୟବର୍ତ୍ତୀ ସମୟରେ ନାଟକ ଜଗତରେ ହୋଇଥିଲା ଅଭୂତପୂର୍ବ ଆଲୋଡ଼ନ।

କୁମ୍ଭାର ଚକ - କାଳୀଚରଣ ପଟ୍ଟନାୟକ (ଜୁନ, ୧୯୭୫)

archive.org/stream/kumbhar…

ଓଡ଼ିଶାର ରଙ୍ଗମଞ୍ଚ ଓ ମୋର ନଟ ଜୀବନ - କାର୍ତ୍ତିକ କୁମାର ଘୋଷ (ମାର୍ଚ୍ଚ, ୧୯୭୭)

archive.org/details/odisar…

ଗତ ପଇଁତିରିଶ ବର୍ଷ ଧରି ମୁଁ ଦିଲ୍ଲୀରେ କିନ୍ତୁ ଜୀବନର ଯେଉଁ ପ୍ରଥମ ବତିଶ ବର୍ଷ ଓଡ଼ିଶାରେ କଟିଛି ତାର ପ୍ରଭାବ ଆଜିର ପରିପ୍ରେକ୍ଷୀରେ ବହୁତ ମୂଲ୍ଯବାନ। ୧୯୬୦ ରେ ଶ୍ରୀଲୋକନାଥ କଥାଚିତ୍ର ହଲରେ ଦେଖିବା ସ୍ମୃତି ଏବେବି ଜୀବିତ। ଟ୍ରେନରେ କାର୍ତ୍ତିକ କୁମାର ଘୋଷଙ୍କୁ କି ରଙ୍ଗ ଛୁଇଁଲା କେଜାଣି ବାଳକୃଷ୍ଣ ଦାଶ ଏକ ନୂଆ ଯୁଗର ସୂତ୍ରପାତ କଲେ।

ସରକାରଙ୍କୁ ଦୋଷ ଦେଇ ନିଜେ ଠିକ୍ ବୋଲି ଭାବି ଖୁସି ହେବାଟା ସହଜ କିନ୍ତୁ ଏହା କେବଳ ନିଜେ ନିଜକୁ ଠକେଇବା କଥା। କୌଣସି ରାଜନୈତିକ ଦଳର ଅନୁଗାମୀ ହେବା ଅର୍ଥ ନିଜ ବୁଦ୍ଧିକୁ ବନ୍ଧକ ପକାଇବା। ସେଥିରେ ଆଉ ସ୍ବାଧୀନତା ଆସିବ କୁଆଡ଼ୁ? କିଏ ଭଲ କଥା କହିଲେ ବି ସେଇଟା ଖରାପ ଲାଗିବ। ଓଡ଼ିଆମାନେ ଏ ସମ୍ବନ୍ଧରେ ଗଭୀର ଭାବେ ଚିନ୍ତା କରିବା ଆବଶ୍ୟକ।

ସାଙ୍ଗସାଥୀ, ଅଭିବ୍ୟକ୍ତି, ରୂଚି, ବା ମନୋରଞ୍ଜନ ହେଲା ଗୋଟିଏ ଦିଗ। ଜୀବନର ଅର୍ଥ କିନ୍ତୁ ସମ୍ପୂର୍ଣ୍ଣ ଏକ ଅଲଗା ଓ ଏକୁଟିଆ ଦିଗ। କାମଟା ଦିନିକିଆ ନୁହେଁ। ସାରା ଜୀବନର ନିରବିଚ୍ଛିନ୍ନ ଅନ୍ବେଷଣ। ପ୍ରତି ଦିନର ଆଶା ଓ ଆସ୍ପୃହାର ନିବେଶ। ସେଇଥିପାଇଁ, ତାର ଭୁଗୋଳ ସମ୍ବନ୍ଧରେ ଶ୍ରୀଅରବିନ୍ଦଙ୍କ ଠାରୁ ସମ୍ୟକ ଜ୍ଞାନ ଆହରଣ କରିବା ଅନିବାର୍ଯ୍ୟ।

ଗାରକ୍ଷକ।

ପ୍ରଥମ କରି ଶୁଣିବା ପରି ଲାଗୁଛି।

ଗୋରା ବଦନ ମୋରା (୧୯୫୭) ସହ ସାମାନ୍ୟ ସାମଞ୍ଜସ୍ୟ ଥିଲା ପରି ଲାଗୁଛି।

ଇୟେ ବି ଗୋଟିଏ ହଜିଲା ଗୀତ।

ନୂଆ କଣ୍ଠରେ ଟିକେ ଶୁଣିବା ଉପଯୋଗୀ ହୋଇଛି।

ବିବର୍ତ୍ତନ ମାନେ ପରିବର୍ତ୍ତନ। ପୁରୁଣାକୁ ଆଡ଼େଇ ଦେଇ ନୂଆକୁ ଗ୍ରହଣ କରିବା। କାଲି କଥା ଭୂଲିଯାଇ ନୂଆ ସକାଳକୁ ସ୍ବାଗତ କରିବା। ଶ୍ରୀମା ଶ୍ରୀଅରବିନ୍ଦ ନୂତନ ସତ୍ୟ ଉପସ୍ଥାପିତ କରିଛନ୍ତି। ବେଦମନ୍ତ୍ରର ଯଥାର୍ଥ ଅର୍ଥ ପ୍ରତିପାଦିତ କରି ଆଧ୍ୟାତ୍ମିକତାର ନିଗୂଢ ତତ୍ତ୍ବ ଓ ପରମ ଆନନ୍ଦମୟ ଚେତନାର ସ୍ବାଦ ଚାଖିବାର ସୁଯୋଗ ଆବିଷ୍କାର କରିଛନ୍ତି।

ଅଗ୍ନିମୀଳେ ପୁରୋହିତଂ ୟଜ୍ଞସ୍ଯ ଦେବମୃତ୍ବିଜମ୍।

ହୋତାରଂ ରତ୍ନଧାତମମ୍। (୧)

(ଚବିଶ ଅକ୍ଷରର ଗାୟତ୍ରୀ ଛନ୍ଦରେ ପ୍ରଣୀତ ଋଗ୍ ବେଦର ପ୍ରଥମ ମନ୍ତ୍ର।)

ପୃଥିବୀର ଭବିଷ୍ୟତ ଅନ୍ଧକାର ବୋଲି କେତେକ ଲୋକ ମତପୋଷଣ କରନ୍ତି କିନ୍ତୁ ମାନବସମାଜ ଏକ ଉଜ୍ଜଳ ଭାଗ୍ୟ ଦିଗରେ ଧାବମାନ ବୋଲି ଶ୍ରୀଅରବିନ୍ଦଙ୍କ ଦୃଢ଼ ବିଶ୍ବାସ। ଅତିମାନସ ଚେତନାର ଅବତରଣ ଲାଗି ସମସ୍ତଙ୍କ ସହଯୋଗ ପାଇଁ ତାଙ୍କର ଆହ୍ଵାନ। ଏହି ପ୍ରକାଣ୍ଡ ଜୟଯାତ୍ରାରେ ପୁରୁଣା ଧାରା ଓ ରୀତିନୀତିର ଆବଶ୍ୟକତା ନାହିଁ।

ଏକଥା ଜଣାଶୁଣା ଯେ ମଧ୍ଯବୟସ ବେଳକୁ ସମସ୍ତେ ଟିକେ ଅପ୍ରତିଭ ହୋଇଯାଆନ୍ତି। ନୂଆକଥା ସବୁ ମାଡ଼ି ମାଡ଼ି ପଡ଼େ। ସେଇଥିପାଇଁ ପୁରୁଣା ଜିନିଷ ଗୁଡ଼ିକୁ ଜାବୁଡ଼ି ଧରି ରଖିବା ପାଇଁ ଆଗ୍ରହ ବଢ଼େ। ତାକୁ ଏକ ସାମାଜିକ ସକ୍ରିୟତା ଭାବରେ ଉପସ୍ଥାପନ କରି ଅନେକେ ସନ୍ତୋଷ ଲାଭ କରନ୍ତି। କିନ୍ତୁ ବୌଦ୍ଧିକ ଆଳସ୍ୟ ତ୍ଯାଗ କରିବାର ଆହ୍ବାନ ମଧ୍ୟ ମଧ୍ଯବୟସ।

ସୂର୍ଯ୍ୟବାବୁ ପୁରୁଣା କଥାଚିତ୍ର ଗୀତ ସବୁର ଅନୁଶୀଳନ କରୁଛନ୍ତି। ଏହି ପ୍ରସଙ୍ଗରେ ତତ୍କାଳୀନ କଟକ ସହରରେ ପ୍ରଚଳିତ ଥିବା ବଙ୍ଗଳା ନାଟକ ଓ ଗୀତର ପ୍ରଭାବ ଉଲ୍ଲେଖଯୋଗ୍ୟ ଅନ୍ଯଥା ସାଂସ୍କୃତିକ ବିବର୍ତ୍ତନର ଇତିହାସର ପୂର୍ଣାଙ୍ଗ ଛବି ପ୍ରକଟିତ ହୋଇପାରିବ ନାହିଁ। କାଳୀବାବୁ ମଧ୍ୟ ଆଗରୁ ଶହ ଶହ ଗୀତ ଲେଖିଥିଲେ ନିଜ ନାଟକ ଓ ରାସ ଇତ୍ୟାଦି ପାଇଁ।

ମୋ ମତରେ, ଭାଷା, ସଂସ୍କୃତି, ଓ ରାଜନୀତିକୁ ଧର୍ମଠାରୁ ଅଲଗା ରଖିଲେ ବାଟ ପରିଷ୍କାର ହୋଇଯିବ।

ପ୍ରଥମ ଓଡ଼ିଆ ନାଟକ କେଉଁଟି? ନାମ (ଲେଖକ) - କାହାର ମତ:

ପଦ୍ମାବତୀ ହରଣ, ୧୮୩୪ (?) - କାହ୍ନୁଚରଣ ମିଶ୍ର

ଗୋପୀନାଥ ବଲ୍ଲଭ, ୧୮୬୮ (ରଘୁନାଥ ପରିଚ୍ଛା, ୧୮୦୨-୧୮୭୨) - ଗୌରୀ କୁମାର ବ୍ରହ୍ମା

ବାବାଜୀ, ୧୮୭୭ (ଜଗନମୋହ‌ନ ଲାଲ, ୧୮୩୮-୧୯୧୩) - କାଳୀଚରଣ ପଟ୍ଟନାୟକ

କାଞ୍ଚିକାବେରୀ, ୧୮୮୦ (ରାମଶଙ୍କର ରାୟ, ୧୮୫୭-୧୯୩୧) - ଗିରିଜା ଶଙ୍କର ରାୟ

No comments:

Post a Comment

କଟକକୁ ଛାଡ଼ି ଓଡ଼ିଶା ବା ଓଡ଼ିଆର ପରିକଳ୍ପନା ଅସମ୍ଭବ

 ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡ଼ିକର ସଙ୍କଳନ ଓଡ଼ିଆ ଓଳିଆ: ଉତ୍ତମ ମହାନ୍ତି ପୁଣି ମେଘ ସହିତ ମିଶିଗଲେ odiaolia.blogspot.com/2025/03/blog...