ଗଲା କିଛିଦିନ ଭିତରେ ମୁଁ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ
ଓଡିଆ ଓଳିଆ: ସମ୍ବିଧାନ ଉପରେ ଗୋଇଠା odiaolia.blogspot.com/2025/07/blog-p…
ତୁଷାରନାଥ ମହାପାତ୍ର ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡିକୁ ମଧ୍ୟ ଆଲୋଡନ କରିବାକୁ ଅନୁରୋଧ। ଏସ.ଆର.ଏ.-୧୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ, ଗାଜିଆବାଦ - ୨୦୧୦୧୪, ଉତ୍ତର ପ୍ରଦେଶ। ଫୋନ: ୯୬୫୦୦-୬୫୬୩୬
ସତରେ ମିଛ ପୁରାଇବାର ପ୍ରଥା ସାରଳା ଦାସଙ୍କ ଠାରୁ ଆରମ୍ଭ ହୋଇଗଲା ଯେ ସେଥିରୁ କୌଣସି କବି ବୋଧେ ବାଦ ଗଲେ ନାହିଁ। ହଁ କବିମାନଙ୍କ ପାଖରେ ହିଁ ତ କଳ୍ପନାରାଜ୍ୟର ଠିକା ରହିଛି! କିନ୍ତୁ ସମସ୍ଯା ହେଲା କପୋଳକଳ୍ପିତ କିମ୍ବଦନ୍ତୀସବୁ ଯେତେବେଳେ ଇତିହାସ ଭଳି ପରିଗଣିତ ହେଲେ। ବାଜୀ ପ୍ରଭୂ ଦେଶପାଣ୍ଡେ ବାଜି ରାଉତ ହୋଇ 'ଅସ୍ମିତା'ର ଚିହ୍ନ ହେଲେ!
ଆଶ୍ଚର୍ଯ୍ୟର କଥା ଯେ କଲକତାକୁ ଛାଡିଦେଲେ ପଶ୍ଚିମବଙ୍ଗର ଅନ୍ୟାନ୍ୟ ଜାଗାରୁ ଓଡିଶାକୁ ରେଳଯାତ୍ରା କରିବାର ବେଶି ସୁବିଧା ନାହିଁ। ମାୟାପୁର ନିକଟସ୍ଥ କୃଷ୍ଣନଗରରୁ ପୁରୀ ପର୍ଯ୍ୟନ୍ତ ରେଳଗାଡି ଚାଲିଲେ ଲୋକେ ବସରେ ନଯାଇ ସୁବିଧାରେ ଯାଇପାରନ୍ତେ। ତାଛଡା ବାଟରେ ପଡୁଥିବା ଅନ୍ଯାନ୍ଯ ଜାଗାଗୁଡିକର ପର୍ଯ୍ୟଟନଜନିତ ଆକର୍ଷଣ ମଧ୍ୟ ବୃଦ୍ଧି ପାଆନ୍ତା।
ଦୃଶ୍ୟ ନବଦ୍ୱୀପ ଘାଟର।
ସମ୍ଭାବିତ ପୁରୀ ବିମାନବନ୍ଦର ବିରୁଦ୍ଧରେ ଘୋର ପ୍ରତିବାଦ ଶୁଣିବାକୁ ମିଳୁଛି ସତେ ଯେମିତି ପୁରୀ ପଶ୍ଚିମବଙ୍ଗରେ। କିରେ, ଯେଉଁ ପର୍ଯ୍ୟଟକମାନେ ପୁରୀ ନାଆଁ ସହିତ ପରିଚିତ ସେମାନେ ଟାଣି ହୋଇ ଆସିବେ। ସେମାନଙ୍କ ପାଇଁ ଝାରସୁଗୁଡା କିମ୍ବା ଝୁମରି ତିଲୈୟା ଆଦି ଜାଗା ନିରର୍ଥକ। ତାଛଡା ଭୁବନେଶ୍ବର ସହିତ ପ୍ରତିଯୋଗିତା ମଧ୍ୟ ହେବ ଯାହା ଶୁଭଙ୍କର।
ଭବିଷ୍ୟତର ସମ୍ଭାବନାକୁ ବର୍ତ୍ତମାନର ବାସ୍ତବିକତା ଦ୍ବାରା କଳନା କରାଯାଇନପାରେ। ଷାଠିଏ ବର୍ଷ ଆଗରୁ ସିଙ୍ଗାପୁର କଅଣ ଥିଲା ଏବେ କଳ୍ପନା କରିବା କଷ୍ଟ।
ଏବେ ପରା ଅଦାଣୀଙ୍କ ହାତରେ ପାଞ୍ଚଣ! ସବୁ ସାବାଡ ହୋଇଯିବେ।
ମୁଁ ୧୯୭୧ରେ କଲେଜକୁ ଆସିଲି। ଓଡିଆ କଥାଚିତ୍ରରେ ମରୁଡି ଯୋଗୁ ହାହାକାର ପଡିଥାଏ। ସଂସାର ଓ ମାଂସର ବିଳାପ ଦୋଳାୟମାନ ସ୍ଥିତିରେ ଥିଲେ। ଅବଶ୍ୟ ଅକ୍ଷୟ ମହାନ୍ତିଙ୍କ ରେକର୍ଡ ଗୀତସବୁ ଆସୁଥାଏ। କିନ୍ତୁ ତାକୁ ଗ୍ରହଣ କରିବା କଷ୍ଟ ହେଉଥାଏ। କିଏ କାହାର ଓ ସ୍ତ୍ରୀର ଗୀତ ରାଜା ଆସନରେ ଥାଆନ୍ତି। ୧୯୭୩ରେ ଘର ବାହୁଡା ଓ ଧରିତ୍ରୀ ନୂଆ ଆଶା ବୁଣିଲେ।
ସୀତା ବିବାହ ପରେ ଯେଉଁ ଦୀର୍ଘ ପ୍ରତୀକ୍ଷା ଥିଲା ତାହା ଓଡିଆ ନାଟକର ସୁବର୍ଣ୍ଣ ଯୁଗ। ଏପରିକି ଅନେକ ନାଟକ ପରେ କଥାଚିତ୍ରରେ ରୂପାନ୍ତରିତ ହେଲା। ଅଧିକାଂଶ ଅଭିନେତା ଓ ଅଭିନେତ୍ରୀ ନାଟକରୁ ସିନେମାକୁ ଗଲେ। ୧୯୭୩ର ଅନ୍ୟତମ ଛବି ଘର ସଂସାର ଆଗରୁ ଥିଲା ଏକ ଅତି ଲୋକପ୍ରିୟ ନାଟକ। ମିଃବର୍ମା ଭୂମିକାରେ ନିରଞ୍ଜନ ଶତପଥୀ ଲବ୍ଧପ୍ରତିଷ୍ଠ ହୋଇଥିଲେ।
ବ୍ଯବସାୟିକ ମଞ୍ଚନାଟକର କ୍ରମ ବିଲୁପ୍ତି ଘଟିବା ପରେ ଆକାଶବାଣୀ କଟକ ଜରିଆରେ ବେତାର ନାଟକର ଜୁଆର ଉଠିଲା। ୧୯୫୭ରୁ ୧୯୬୦ ପର୍ଯ୍ୟନ୍ତ ପ୍ରଚାରିତ ହୋଇଥିଲା ପ୍ରଥମ ଧାରାବାହିକ ନାଟିକା ପୂରାପୂରି ପାରିବାରିକ। ଗୋପାଳ ଛୋଟରାୟଙ୍କ ଦ୍ୱାରା ଲିଖିତ ଏହି କୌତୁକ ଚିତ୍ରଗୁଡିକରେ ସୁରେନ୍ ମହାନ୍ତି ଆଦି ଅଭିନୟ କରିଥିଲେ।
archive.org/details/purapu…
ସୋନି ମ୍ୟୁଜିକ ବାଙ୍ଗଲାର ଏ ମନକୁ ଭୁଲାଇ ଗୀତର ଦୃଶ୍ୟବନ୍ଧରେ ଗୀତ ପୂର୍ବରୁ ଥିବା ଆଳାପ ନାହିଁ। ଯାହାହେଉ ଅନ୍ୟ ଏକ ଦୃଶ୍ୟବନ୍ଧ ଯୋଗେ ତାହା ଉପଭୋଗ କରିହେଉଛି। ଜିପିଜି ଟୁବରେ ଥିବା ଅନେକ ଗୀତ ସହ ପୂର୍ବ ଦୃଶ୍ୟ ଦେଖିବାକୁ ମିଳେ। କିନ୍ତୁ କେତେକ ସ୍ଥଳରେ ତାହା ଗୀତଟିର ମାଧୁର୍ଯ୍ୟ ଉପରେ ଆଞ୍ଚ ଆଣେ। ଉଦାହରଣ ସ୍ବରୂପ, ମଧୁର ଏ ଚାନ୍ଦ ରାତି।
ଆଗେ ତ କେବଳ ବିଦେଶୀମାନଙ୍କୁ ହିଁ ମିନେରାଲ ଜଳ ପିଇବାର ଦେଖିବାକୁ ମିଳୁଥିଲା ତେଣୁ ଏବେବି ପାଣିବୋତଲ କିଣିବାର କୁଣ୍ଠା ମୋର ଯାଇନାହିଁ। ପଇସାଟା ପାଣିରେ ପଡିଲା ଭଳି ଲାଗେ। ତାଛଡା ଅଧା ପିଇସାରି ବୋତଲକୁ ବୋହିବାର ଝାମେଲା! ଖାଲି ମୁଁ ଏକା ନୁହେଁ। ବିକାଳି ବିଚରା କଣ୍ଠ ଫଟେଇ ଫଟେଇ ଡାକୁଥିବ। କିନ୍ତୁ ସେ ଗଲାବେଳକୁ ଯାଇ ଜଣେ ପଛରୁ ମାଗିବ।
ଯେତେ ଶିଖିଲେ ବି ସାରା ଜୀବନ ନିଅଣ୍ଟ। ମୁଁ ଦିଲ୍ଲୀକୁ ଗଲାପରେ ଚାଉମିନ ଖାଇବା ଶିଖିଲି। ଅଫିସରେ ପ୍ରଥମ କରି ଅଖରୋଟ କଣ ଚିହ୍ନିଲି। ଏଠି ଏବେ ଡ୍ରାଗନ ଫ୍ରୁଟ ବିକ୍ରି ହେଉଛି। କଣ ସେ ଜିନିଷ ବା କିପରି ସ୍ବାଦ ମୁଁ ଜାଣିନାହିଁ। କିନ୍ତୁ ତାର ଗୁଣ ବହୁତ ବୋଲି କୁହାଯାଉଛି। ଅତୀତରେ ସ୍ପିରିଲୁନାର ଖୁବ ପ୍ରଚାର କରାଯାଉଥିଲା। ଏବେ କ'ଣ କେଜାଣି?
ସୁନ୍ଦରଗଡ ଗଲାପରେ ଏକରକମର ଏକ ନୂଆ ଭାଷା ଓ ସଂସ୍କୃତି ସହିତ ପରିଚୟ ହେଲା। କିଛି ପରିମାଣରେ ଆଦିବାସୀମାନଙ୍କୁ ମଧ୍ୟ ଦେଖିବାକୁ ମିଳିଲା। ସେଠୁ ଫେରି ଗୋପ ନିମାପଡାରେ ପହଞ୍ଚିଲା ପରେ କଥିତ ଭାଷା ଟିକେ କୌତୁକିଆ ଲାଗିଲା। ସେଠାରୁ ଆମ ଗାଆଁ ମାତ୍ର ୩୫ କିମି, ଅଥଚ କଥା କହିବାର ଶୈଳୀରେ ଏତେ ଫରକ! ଏଠି ବିହାରୀମାନେ ସେହିପରି ହିନ୍ଦୀ କହନ୍ତି।
ଆମ ପିଲାଦିନେ ତେରଟି ଜିଲ୍ଲା ଥିଲା। ଯଦି ଏବେ ସ୍ବାଧୀନତା ଦିଆଯାଏ ଯେ ପ୍ରତ୍ୟେକ ଜିଲ୍ଲା ବା ଜିଲ୍ଲା ସମୂହ ଏକ ନୂଆ ରାଜ୍ୟରେ ପରିଣତ ହୋଇପାରିବେ, ମୋର ମନେହୁଏ ତେରଟି ନୂତନ ରାଜ୍ୟ ପାଇଁ ମୋଟାମୋଟି ମତୈକ୍ଯ ହୋଇଯିବ। ହୁଏତ କେନ୍ଦୁଝର ଓ ମୟୂରଭଞ୍ଜ ଏକାଠି ରହିପାରନ୍ତି। କିନ୍ତୁ କେନ୍ଦ୍ରାପଡା ଓ ଯାଜପୁର କଟକ ପ୍ରଦେଶ ଅଧୀନରେ ରହିବା କଷ୍ଟ।
ଭାଷା, ସଂସ୍କୃତି, ତଥା ଅର୍ଥନୀତି ଦୃଷ୍ଟିରୁ ଓଡିଶା ଓ ପଶ୍ଚିମବଙ୍ଗ ଅଙ୍ଗାଙ୍ଗୀ ଭାବରେ ଜଡିତ। ତେଣୁ କଥା କଥାକେ ବାଦବୁଦିଆ ଭାବ ସୃଷ୍ଟି କରିବା ପିଲାଳିଆମୀ। ହଁ ରାଜନୈତିକ କାରଣରୁ ବିସଙ୍ଗତି ହୋଇପାରେ କିନ୍ତୁ ସାଧାରଣ ଲୋକଙ୍କ ପ୍ରତି ବୈରଭାବ ଆଦୌ ସ୍ପୃହଣୀୟ ନୁହେଁ। ରକ୍ଷା ହୋଇଛି ପୋଇରାଈ ବା ପୋଟଳ ତରକାରିକୁ ଓଡିଶାର ବୋଲି ଦାବୀ ହୋଇନି।
ବର ମାର୍କୁଣ୍ଡୀ
ରାଜନୀତି ବିଜ୍ଞାନର ମୂଳ ତତ୍ତ୍ବଗୁଡିକ ଦୋରସ୍ତ ନହେଲେ ଅଗା ବଗା ଖଗା ଯାହା କହିଦେବେ ତାକୁ ହିଁ ମାନିବାକୁ ପଡିବ। ଆଜିକାଲି ତ ବେଶି ରୋଜଗାର କରୁଥିବା ଲୋକମାନଙ୍କର କାଟତି ଅଧିକା। କିନ୍ତୁ ପାଠ ପାଠ। ଗଣତନ୍ତ୍ର କଣ ବା ମାନବିକତା କଣ ଏହା ଖାଲି ଖବରକାଗଜରୁ ଠିକରେ ବୁଝିହେବ ନାହିଁ। ଦର୍ଶନର ଗୋଡି ଚୋବାଇ ଟିକିଏ ଖଣ୍ଡିଆ ଖାବରା ହେବାକୁ ହେବ।
ହଳଦିଆରେ ଥରେ ଜୋତା କିଣିବି ବୋଲି ବାଟା ଦୋକାନ ଖୋଜି ପାଇଲି ନାହିଁ। ଗୋଟିଏ ମଲରେ ଖାଦିମ ସୋରୁମ ଥିଲା। ଆଗରୁ ଏହି ନାଁ ସହ ପରିଚିୟ ନଥିଲା ଓ ମୁସଲମାନଙ୍କ ହୋଇଥିବ ବୋଲି ଭାବିଲି। ତଥାପି ଦରକାର ଥିବାରୁ କିଣିଲି। ଖଡମ ହୋଇଥିବ ବୋଲି ବି ମନକୁ ଆସୁଥିଲା। ୧୯୬୫ରେ, ଚିତପୁରରେ ଖାଦିମଙ୍କ ଠାରୁ ସତ୍ଯପ୍ରସାଦ ରାୟବର୍ମା ଜୋତା ଦୋକାନ କିଣିଥିଲେ।
ମନାଲୀ ଯିବା ବାଟରେ ନଗ୍ଗର ଦୂର୍ଗ ପଡେ ଯାହା ଆଗରୁ କୁଲ୍ଲୂ ରାଜ୍ୟର ରାଜଧାନୀ ଥିଲା। କାଠ ତିଆରି ଏହାର ଭିତରର ଦୃଶ୍ୟ ବେଶ ମନୋରମ। ପାଲାମପୁରରୁ ଚାମୁଣ୍ଡା ମନ୍ଦିର ଯିବା ବାଟରେ ମଧ୍ୟ ନଗରୀ ବୋଲି ଗୋଟିଏ ଜାଗା ପଡେ। ପାହାଡ ଉପରେ ଦୁର୍ଗମ ସ୍ଥାନରେ ଥିଲା ବୋଲି ଶକ୍ତି ପୀଠ ଏବେ ରାସ୍ତା କଡରେ କରାଯାଇଛି। ସେଠାରୁ ଅଳ୍ପ ଦୂର ଗଲେ ଧରମଶାଲା।
ଦିଲ୍ଲୀରେ ଥରେ ଗ୍ରୀକ ସଭ୍ୟତା ଓ ସାହିତ୍ୟ ଉପରେ ଏକ ସେମିନାର ହୋଇଥିଲା। ସେହି ଅବସରରେ କେତେକ ନାଟକ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଇଫିଜେନିଆଙ୍କୁ ତାଙ୍କ ବାପା ହତ୍ଯା କଲେ ଯାଇ ଯୁଦ୍ଧ ଜିତିପାରିବେ ବୋଲି ନୈତିକତାର ବିଭିନ୍ନ କୋଣ ମଧ୍ୟରେ ସଙ୍ଘର୍ଷ ଚାଲିଥାଏ। ଆଉ ଥରେ ଇଡିପସ ଦେଖିଥିଲି ଯାହା ସହ ଆମ ରାଧାନାଥଙ୍କ ପାର୍ବତୀର ସମ୍ପର୍କ ରହିଛି।
କଲେଜକୁ ଆସିବା ପରେ ମେରା ନାମ ଜୋକର ଓ ଜନୀ ମେରା ନାମ ପାଖାପାଖି ଦେଖିବାର ମନେଅଛି। ହିନ୍ଦୀରେ ସଂଳାପ ବେଶି ବୁଝି ହେଉନଥିବା ସତ୍ତ୍ୱେ ପ୍ରଥମଟି ବିଶେଷ କରି ଖୁବ ପ୍ରଭାବଶାଳୀ ହୋଇଥିଲା। ସେଥିରେ ଦୁଇଟି ଇଣ୍ଟରଭାଲ ଥିଲା ଯାହା ପରେ ଦେବ ଡିରେ ଦେଖିଥିଲି। ତାଛଡା ବବି, ଶୋଲେ, ଦୀଓ୍ବାର, ୟାଦୋଁ କୀ ବାରାତ, ଓ ରୋଟୀ କପଡା ଔର ମକାନ ଅପରାଜେୟ।
ଭୁବନେଶ୍ବରରୁ ମାତ୍ର ଦଶ କିଲୋମିଟର ଦୂରରେ।
ଗଣତନ୍ତ୍ରରେ ସମ୍ଭାବନା ଅସୀମ। ଓଡିଶାର ପ୍ରଥମ ସମସ୍ୟା ହେଉଛି ଗଠନ ହେଲା ପରେ ଏହା ଏପର୍ଯ୍ୟନ୍ତ ଏକପ୍ରାଣ ହୋଇପାରିଲା ନାହିଁ। ଦ୍ବିତୀୟଟି ହେଉଛି ଦେଶର ପ୍ରଭାବରେ ନିଜତ୍ବ ଭୁଲିଯିବା। କୌଣସି ଦଳ ବା ନେତା କେବଳ ଓଡିଶାର ସ୍ବାର୍ଥକୁ ନେଇ ଚିନ୍ତାକରିବାର ଉଦାହରଣ ଆଜିଯାଏ ନାହିଁ। ତେବେ ଯାହା ନହୋଇଛି ତାହା ଆଗକୁ ଯେ ହେବନାହିଁ ତା ସତ ନୁହେଁ।
ନୃତ୍ୟ କରୁଥିବା ସମୟରେ କଳାକାର ଜଣେ ଶ୍ରମିକ ସଦୃଶ। ଯଥାସାଧ୍ୟ ଚେଷ୍ଟା କରି ଦର୍ଶକମାନଙ୍କୁ ଖୁସି କରାଇବାରେ ସଫଳ ହେବାପାଇଁ ପ୍ରବଳ ଇଚ୍ଛା। କିଛିଟା ପ୍ରଶଂସାର ଆଶା। ତାର ଅଙ୍ଗଭଙ୍ଗୀରୁ ଦର୍ଶକ ଯାହା ଉପଭୋଗ କରେ, ଆନନ୍ଦିତ ହୁଏ, ଓ ତାଳି ବାଡାଏ, ସେ ସମୟରେ କଳାକାରର ଝାଳ ବୋହି ଯାଉଥାଏ। ସଙ୍ଗୀତର ଗଣିତ ସହିତ ତାଳ ଦେବାରେ ଧଇଁସଇଁ ହେଉଥାଏ।
ଏ ରିମଝିମ ରିମଝିମ ରାତିରେ ଗୀତଟିର ଦୁଇଟି ଦୃଶ୍ୟବନ୍ଧ ଅଛି। ଗୋଟିକରେ ସୁରେନ୍ଦ୍ର ନାଥ ବିଦ୍ଯାଧରଙ୍କ ଲେଖା ତଥା ବାସୁଦେବ ରଥଙ୍କ ସ୍ବରରେ ଭୁବନେଶ୍ବରୀ ମିଶ୍ର ବୋଲିଛନ୍ତି (୧୯୭୯) ବୋଲି ଉଲ୍ଲେଖ ଅଛି। ଅନ୍ୟଟିରେ ଅକ୍ଷୟ ମହାନ୍ତିଙ୍କ ଗୀତ ଓ ସଙ୍ଗୀତ ଏବଂ ତୃପ୍ତି ଦାସଙ୍କ କଣ୍ଠ ବୋଲି ଲେଖାଯାଇଛି। ଶ୍ରୋତା ବିଚରା ଏବେ କାହାକୁ ବିଶ୍ୱାସ କରିବ
ମୃତ୍ୟୁ ଉପରେ ବିଜୟ ହାସଲ କରିବା ପାଇଁ ଏକମାତ୍ର ପଥ ହେଲା ଶ୍ରୀମାଶ୍ରୀଅରବିନ୍ଦଙ୍କ ପୂଜା କରିବା ଏବଂ ସାବିତ୍ରୀ ମହାକାବ୍ୟ ପାଠ କରିବା। ମଣିଷର ଯାବତୀୟ ଅପରିପୂର୍ଣ୍ଣତା ତଥା ଅସମର୍ଥତାର ନିରାକରଣ ନିମନ୍ତେ ଏକ ଉଚ୍ଚତର ଚେତନାର ସ୍ତରକୁ ଆରୋହଣ କରିବା ଛଡା ଅନ୍ୟ ଉପାୟ ନାହିଁ। ତା କେବଳ ଶ୍ରୀମାଶ୍ରୀଅରବିନ୍ଦଙ୍କ କରୁଣାରେ ସମ୍ଭବ ହୋଇପାରିବ।
ଛବିରାଣୀ ମୋର ସମ୍ପର୍କୀୟା ଥିଲେ। ବର୍ତ୍ତମାନ ସେ ଓଡିଆ ମାନସରେ ଏକ କିମ୍ବଦନ୍ତୀ। କଥାଚିତ୍ର ବି ନିର୍ମାଣ ହୋଇସାରିଛି। ତାଙ୍କ ପରେ କେତେ କେତେ ଘଟଣା ଘଟିସାରିଲାଣି। ତାଲିକା ଲମ୍ବା ହେବାରେ ଲାଗିଛି। କିନ୍ତୁ ସବୁଥିରେ ପ୍ରାୟ ରାଜନୀତି ଜଡିତ ହୋଇ ରହିଛି। ସତରେ କଣ ସ୍ବଚ୍ଛ ରାଜନୀତି ସମ୍ଭବ? ଶ୍ରୀମାଶ୍ରୀଅରବିନ୍ଦ ପ୍ରତିଶ୍ରୁତି ଦେଇଛନ୍ତି।
ସାମାଜିକ ଦୃଷ୍ଟିରୁ ସଫଳତା ବିଫଳତା, ଟଙ୍କାପଇସା, ବା ପ୍ରତିପତ୍ତିର ମୂଲ୍ୟ ବହୁତ କିନ୍ତୁ ଜାନକୀବଲ୍ଲଭ ପଟ୍ଟନାୟକ, ଜୀତେନ୍ଦ୍ର ନାଥ ମହାନ୍ତି, ଓ ଲଳିତ ମୋହନ ଘୋଷଙ୍କ ପୁଅ ଅବନୀ ଘୋଷ ଇତ୍ୟାଦିଙ୍କ ସହପାଠୀ ଥିବା କାଙ୍ଗାଳି ଚରଣ ପତି ଦର୍ଶନ ଅଧ୍ୟାପକ ଚାକିରି ଛାଡି ଶ୍ରୀଅରବିନ୍ଦ ଆଶ୍ରମରେ ଯୋଗ ଦେଲାପରେ ଶ୍ରୀମା ତାଙ୍କ ନାଁ ଦେଲେ ପ୍ରପତ୍ତି।
ନାଗଫାସ ଗୀତ ବହିର ଆଗ ମଲାଟ।
selfgroup.blogspot.com/2014/11/naga-f…
ରାଜନୀତି ସହିତ ଜୋଡି ହୋଇଥିବା ଜଣେ ମହିଳା ଯଦି ନିଜ ସ୍ବାର୍ଥ ନିଜେ ରକ୍ଷା କରିପାରିଲେ ନାହିଁ ତାହାହେଲେ ସାଧାରଣ ଅଶିକ୍ଷିତ ସ୍ତ୍ରୀଲୋକମାନଙ୍କ ଠାରୁ କଣ ଆଶା କରାଯିବ? କୋର୍ଟ କଚେରୀରେ ତ ନ୍ୟାୟ ପାଇବା ଲାଗି ବର୍ଷ ବର୍ଷ ଲାଗିଯାଏ। ତେଣୁ ରାସ୍ତାଘାଟରେ ତତକ୍ଷଣାତ ନ୍ୟାୟର ଦାବି କରିବା ହାସ୍ୟାସ୍ପଦ। ଯାହାହଲେବି ସତ କେବେ ଜଣାପଡିବ ନାହିଁ।
ଅଧିକାଂଶ ଲୋକ ଏଠି ନିଜକୁ ନୈତିକତାର ମୂର୍ତ୍ତିମନ୍ତ ଅବତାର ଭାବେ ପ୍ରଦର୍ଶିତ କରୁଛନ୍ତି। ତାଭିତରୁ ଅଧା ନିଜ ପରିଚୟ ଦେବାପାଇଁ ଅକ୍ଷମ। କିନ୍ତୁ ବ୍ଯକ୍ତିଗତ ବ୍ଯାପାରରେ କୌଣସି ତଦନ୍ତ ହେବା ପୂର୍ବରୁ ଅନ୍ୟ ଉପରେ କାଦୁଅ ଫୋପାଡିବା ଲାଗି ବୋଲୁଅ ଭଳିଆ କଥା କହିବାରେ ପାରଙ୍ଗମ। କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ଆଗରୁ କାହାକୁ ଗାଳି ଦେବା ଭୂଲ।
ବହୁତ ନିଷ୍ଠାପର ଓ ବିବେକବାନ ବ୍ଯକ୍ତି ଅଛନ୍ତି। ଧୁଆ ମୂଳା ଅଧୁଆ ମୂଳା ସବୁ ସମାନ କରିବାଟା ଠିକ ନୁହେଁ।
ମଣିଷ ଜନ୍ମ ହେଲାବେଳେ ଏପରି କୌଣସି ଆଶ୍ବାସନା ବା ନିର୍ଭର ପ୍ରତିଶ୍ରୁତି ପାଇନଥାଏ।
ପୁରୁଣା ରେଡିଓ ଗୀତଗୁଡିକୁ କୌଣସି ସ୍ବୀକୃତି ନମିଳିବା ଗୋଟିଏ ବଡ ଦୁର୍ବଳତା। ପୁରାତନ ଯୁଗରୁ ବାହାରି ଆମ ଓଡିଆ ଭାଷା ଓ ସାହିତ୍ୟ ଶୀର୍ଷ ସ୍ଥାନରେ ପହଞ୍ଚିଥିଲା। କିନ୍ତୁ ଯାନ୍ତ୍ରିକତା ଅଭାବରୁ ବେଶି ଗୀତ ରେକର୍ଡ ହୋଇପାରୁନଥିଲା। ଏହି ସନ୍ଧିକ୍ଷଣରେ, ରେଡିଓ ଗୀତ ବିଶେଷ କରି ସଜଫୁଲ ଗଜରା ଜାତିର ଟେକ ରଖିଥିଲେ।
ଏବେ ଏକ ଦୃଶ୍ୟବନ୍ଧରୁ ଜାଣିଲି ଯେ ହାଓଡାରୁ ଜଳେଶ୍ଵର ପର୍ଯ୍ୟନ୍ତ ଏକ ଲୋକାଲ ମେମୁ ଟ୍ରେନ୍ ଚାଲୁଛି। ବହୁତ ଭଲ କଥା କିନ୍ତୁ ଯଦି ଦିନକୁ ତିନି ଚାରି ଥର ଚାଲନ୍ତା ତାହେଲେ ତାର ଉପଯୋଗୀତା ବହୁତ ବଢିଯାଆନ୍ତା। ସେହିପରି ଆଗକୁ ଆଉ ଟିକିଏ ବଢେଇ ବାଲେଶ୍ବର ପର୍ଯ୍ୟନ୍ତ ଚାଲିଲେ ରାତିରେ ଯାତ୍ରୀମାନଙ୍କୁ ରହିବା ଖାଇବାର ଭଲ ସୁବିଧା ମିଳିପାରନ୍ତା।
ଶୁକ୍ରବାର ଦିନ, ହାଓଡାରୁ ବଡବିଲ ପର୍ଯ୍ୟନ୍ତ ଜନଶତାବ୍ଦୀ ଟ୍ରେନ ଯାଏ ବୋଲି ଏବେ ଗୋଟିଏ ଡାକ୍ତିରୁ ଜାଣିଲି। କିନ୍ତୁ କେବେ ଯିବାପାଇଁ ଇଚ୍ଛା ହେଲେ ଏତେ ସକାଳୁ ଯାଇ ହାଓଡାରେ ପହଞ୍ଚିବା ଯନ୍ତ୍ରଣା ସ୍ବରୂପ। ସେହି କାରଣରୁ, ମୁଁ ବନ୍ଦେ ଭାରତ ଟ୍ରେନ ଛାଡି ବସରେ ଭୁବନେଶ୍ବର ଯାଉଛି। ହାଓଡା ଛଡା, ବ୍ଯାଣ୍ଡେଲରୁ ଓଡିଶାକୁ ଟ୍ରେନ ଛାଡିବା ଉଚିତ।
ବଡବିଲ ଟ୍ରେନ ସବୁଦିନ କିନ୍ତୁ ସେହି ସମୟରେ ସପ୍ତାହରେ ତିନି ଦିନ ଟିଟିଲାଗଡ ଇସ୍ପାତ ଏକ୍ସପ୍ରେସ। ଅନ୍ୟ ଚାରି ଦିନ କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ। ଉପରବେଳା ଭଦ୍ରକକୁ ଛାଡୁଥିବା ବାଘା ଜତୀନ ଏକ୍ସପ୍ରେସ ଜଳେଶ୍ଵର ମେମୁ ଭଳି ଆରକ୍ଷଣ ବିହୀନ। ତଥାପି ପଶ୍ଚିମ ବଙ୍ଗର ଅନ୍ୟାନ୍ୟ ଜାଗାରୁ ଓଡିଶା ସହିତ ରେଳ ଯୋଗାଯୋଗ ବୃଦ୍ଧି ପାଇବା ଆବଶ୍ୟକ।
ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ମହିମା ଗୋସାଇଁ ଏକ୍ସପ୍ରେସ ସମ୍ବଲପୁର ପାଇଁ ଭଲ, କିନ୍ତୁ ବାଟରେ ପଡୁଥିବା ଓଡିଶାର ଅନ୍ୟ ଷ୍ଟେସନମାନଙ୍କ ନିମନ୍ତେ ବିଶେଷ ଉପଯୋଗୀ ନୁହେଁ କାରଣ ଡେରି ରାତିରେ ପହଞ୍ଚୁଛି। ଦିନବେଳା ଆଉ ଗୋଟିଏ ଟ୍ରେନ ଚାଲିଲେ ତାର ସୁବିଧା ବହୁ ଅଧିକ ଲୋକ ପାଇପାରନ୍ତେ। ସମ୍ବଲପୁର ଠାରୁ ଆଗକୁ ମଧ୍ୟ ଏହାର ଗତିପଥ ବଢାଯାଇପାରେ।
https://x.com/i/status/1945932925083771310
ଇଉରୋପରେ ଏତେ ଭାଷା ବଞ୍ଚିକରି ରହିଛି କାରଣ ସେଠିକାର ଦେଶଗୁଡିକ ଭାଷାଭିତ୍ତିକ। କିନ୍ତୁ ଭାରତରେ ବିଭିନ୍ନ ଭାଷା ଏପର୍ଯ୍ୟନ୍ତ ସ୍ବାଧୀନତା ପାଇନାହାନ୍ତି। ତେଣୁ ରାଜ୍ୟଗୁଡିକୁ ସାର୍ବଭୌମତ୍ବ ପ୍ରଦାନ କରାଯାଉ ବୋଲି ସାବିତ୍ରୀ ଇରା ପାର୍ଟି ବହୁଦିନରୁ ଦାବି କରିଆସୁଛି। ଓଡିଆକୁ ରକ୍ଷା କରିବା ଲାଗି ଏକମାତ୍ର ବାଟ।
savitriera.blogspot.com/2016/09/savitr…
ଧର୍ମ କଣ, ପୁଣ୍ୟ କଣ ଏସବୁ ଅତି ବିବାଦୀୟ ବିଷୟ। ପରମ୍ପରା ଆଳରେ ଖାଇବା, ପିଇବା, ବା ପିନ୍ଧିବା ଆଦି ଜୀବନଧାରଣର ବସ୍ତୁ ସବୁ ସମସ୍ତଙ୍କ ଉପରେ ଲଦିଦେବା ଏକାନ୍ତ ଅନ୍ୟାୟ। ପରିତାପର ଦିଗଟି ହେଲା ଏସବୁର ଉଦ୍ଦେଶ୍ଯ ହେଉଛି ଭୋଟ ଏକାଠି କରିବା। ଦଳ ଦଳ ମେଣ୍ଢା ପ୍ରସ୍ତୁତ କରି ରଖିବା। ଭକ୍ତି ଓ ଆତ୍ମସମର୍ପଣର ଭାବକୁ ଏତେ ନୀଚ ସ୍ତରକୁ ନିଆନଯାଉ।
ଆମ ପିଲାଦିନେ ସାଇକେଲ ଓ ରେଡିଓର ଲାଇସେନ୍ସ କିଣିବା ପାଇଁ ପଡୁଥିଲା। ସେ ଯୁଗରୁ ଆଜିକା ଭିତରେ କେତେ ପରିବର୍ତ୍ତନ। ଟେପ ରେକର୍ଡରଟିଏ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଥିଲା। ଘଣ୍ଟା ଆଦି ଚୋରା ମାଲ ସବୁ ଗାଁ ଗହଳରେ ବିକ୍ରି ହେଉଥିଲା। ସ୍କୁଲରେ ମୋର ଖିଲି ଖିଲି ନାଲି ଓଠେ ଗୀତଟି ପ୍ରଥମେ ରେକର୍ଡ ହୋଇଥିବାର ମନେଅଛି।
ଘୋଡଣି ମଝିରେ କଣା ଥିଲେ ପିଠାର ମଝି ଅଂଶ ଭଲ ଥଲଥଲିଆ ହୋଇଥାଏ।
ଆପଣଙ୍କ ଉଦ୍ୟମ ପ୍ରଶଂସନୀୟ କିନ୍ତୁ ସ୍ବମିଦିଆର ସମାଲୋଚନା ଯୁକ୍ତିଯୁକ୍ତ ନୁହେଁ। ସବୁକିଛି ନେଇକି ଦୁନିଆ। କେବଳ ସାହିତ୍ୟ ସବୁ ଆବଶ୍ୟକତା ପୂରଣ କରିପାରିବ ନାହିଁ। ସ୍ବମିଦିଆ ମାନବ ସଭ୍ୟତାର ଏକ ଅଭୂତପୂର୍ବ ସୃଷ୍ଟି। ତା ଭିତରେ କୁସ୍ତି କରିବା କିଛି କମ ଶିକ୍ଷାପ୍ରଦ ନୁହେଁ। ଗଣତନ୍ତ୍ର ପରିପ୍ରେକ୍ଷୀରେ ମଧ୍ୟ ଜଣେ ନାଗରିକର ସ୍ବଳ୍ପ ଅବଦାନ।
ଆମ କଲେଜ ସମୟରେ ବବି ତ ଚହଳ ପକାଇଥିଲା କିନ୍ତୁ ପୋଷ୍ଟରରେ बॉबी ବୋଲି ଲେଖା ହେଉଥିଲା ଯାହାକୁ ମୁଁ ବାବୀ ବୋଲି ଭାବୁଥିଲି। ଏପର୍ଯ୍ୟନ୍ତ ସେ ମାତ୍ରାର ଅର୍ଥ ମୁଁ ଜାଣିନାହିଁ। ବଙ୍ଗଳାରେ ବସକୁ ବାସ ବୋଲି କୁହନ୍ତି କିନ୍ତୁ କଲକାତାକୁ କୋଲକାତା। ମାନେ ଅ ପାଇଁ କୋଉଠି ଆ ତ ଆଉ କେଉଁଠି ଓ। ଅବଶ୍ୟ ସବୁ ଜାଗାରେ ଏପରି ନୁହେଁ। ସେହି ତ ଅସୁବିଧା!
ଏବେ ଜଣେ धड़ पकड़ ଲେଖିଥିବାର ଦେଖିଲି ଯାହାକୁ ଆମେ ଧରପଗଡ କହୁ। ନିଃସନ୍ଦେହରେ ଏହା ଏକ ଅପଭ୍ରଷ୍ଟ ଓ ଓଡିଆରେ ଏହିପରି ଅସଂଖ୍ୟ ଉଦାହରଣ ଅଛି। ଅଥଚ ଆମେ ସେଗୁଡିକୁ ଖାଣ୍ଟି ଓଡିଆ ବା କଞ୍ଚା ଓଡିଆ ବୋଲି ଭାବୁ। ଗାଉଁଲି ବୋଲି ବୋଲି କହି ଗର୍ବ କରୁ। ଏପରିକି ପର୍ତ୍ତୁଗୀଜ ଭାଷାର ଅନେକ ଶବ୍ଦ ମଧ୍ୟ ଆମେ ଅଜାଣତରେ ମୌଳିକ ଭାବି ବ୍ୟବହାର କରୁଛୁ।
ବର୍ଷାସ୍ନାତ ସକାଳ। ଚାହା ସହ ଆଳାପ ଦୁଇଟିକୁ ବଜାଇ ଭିନ୍ନ ଏକ ଆହ୍ଲାଦକୁ ଆବାହନ କରିବା ପାଇଁ ଚେଷ୍ଟାକଲି। କଥାଚିତ୍ର ଦୁଇଟି କିନ୍ତୁ ମାନବୀୟ ଲୀଳାଖେଳାର ଅପୂର୍ବ ଚିତ୍ରଣ। ଏହି ବାସ୍ତବତାର ଯେମିତି କୌଣସି ଅନ୍ତ ନାହିଁ ବୋଲି ସ୍ବୀକୃତି। କିନ୍ତୁ ସାବିତ୍ରୀ ମଧ୍ୟ ଏମିତି ଏକ ସକାଳର ଅବତାରଣା କରେ ଏବଂ ସେଥିରେ ଅଛି ଅନ୍ୟ ଏକ ପ୍ରତିଶ୍ରୁତି।
ସାତ ଚକୁଳି ଚଉଦ ଚେଁ, ଶାଶୁ କହେ ଜୋଇଁ ସରବଗେଁ ଗପଟି ପ୍ରାୟ ସମସ୍ତେ ଜାଣିଥିବେ। ସେହିପରି, ତମେ ଚକୁଳି ଖାଇବା ଲୋକ, ବିନ୍ଧ କାହିଁକି ଗଣୁଛ? ବୋଲି ଢଗଟି ଅତିପରିଚିତ। ପ୍ରକୃତରେ, ଚକୁଳି ଓଡିଆ ସଂସ୍କୃତିର ଏକ ମୌଳିକ ଉପାଦାନ। କିନ୍ତୁ ଆଶ୍ଚର୍ଯ୍ୟର କଥା ଦୋକାନ ବଜାରରେ ଏହା କ୍ବଚିତ ମିଳେ। ଏହାର ନାଁ ମଧ୍ୟ ଲୋପ ପାଇ ଦୋସା ହେବାରେ ଲାଗିଛି।
ବହୁତ ସୁନ୍ଦର କିନ୍ତୁ ଆଉ ଠୋପାଏ ଦି ଠୋପା ମେଲୋଡି ଦରକାର ଥିଲା।
ଆଉ ଗୋଟିଏ ମନ ପାନ୍ଥଶାଳା। ଉଭୟ ଗୀତରେ ଅନ୍ତରା ଟିକେ ପଛୁଆ।
ଇଏ ବୋଧେ ମୂଳ ସୃଷ୍ଟି।
ବାମପନ୍ଥୀ ଆଦର୍ଶ ବା ସମାଜବାଦକୁ ଏପରି ଚିତ୍ରଣ କରିବାଟା ମୋ ମତରେ ଠିକ ନୁହେଁ। ଏହା ନିଜର ଅଜ୍ଞାନତା ହିଁ ପ୍ରତିଫଳନ କରେ।
ବ୍ୟକ୍ତି ମାତ୍ରେ ବ୍ଯତିକ୍ରମ
ସାହିତ୍ୟର ସୃଷ୍ଟି ସେହିଠାରୁ
ସୃଷ୍ଟିର ଲୀଳା ହିଁ ସେୟା
ତେଣୁ କୁହାଯାଏ ଯେ ଦଇବ ଦଉଡି ମଣିଷ ଗାଈ।
ତଥାପି ମଣିଷ ଛାଞ୍ଚ ଖୋଜେ
ଫ୍ରାକ୍ଟାଲ ସନ୍ଧିକୁ ଉଣ୍ଡି ବୁଲେ
ନିଜ ଭଳିଆ ଠାକୁର ପୂଜେ
କିନ୍ତୁ ସୃଷ୍ଟିର ରହସ୍ୟ ଦୂରରେ ହିଁ ରହିଥାଏ।
ସବୁ ହେଲା ଅମରତ୍ବର ସନ୍ଧାନ
ନିରନ୍ତର ଚାଲିଛି ଏହି ଅଭିଯାନ।
https://x.com/i/status/1950108515105984599
ରଫି ସାବଙ୍କୁ ମନେପକାଇ ସକାଳୁ ସକାଳୁ ଅନେକ ଗୁଡିଏ ଗୀତ ଶୁଣିଲି। କାଲି ରାତିରେ ଛଲକେ ତେରୀ, ଛୁ ଲେନେ ଦୋ, ଓ ୟେ ଜୁଲ୍ଫ ଅଗର ଶୁଣିଥିଲି। ଆଜି ଲିଖେ ଜୋ ଖତ, ପ୍ଯାର ତୋ ଏକଦିନ ହୋନା ଥା, ଜାନ ପହଚାନ ହୋ, ମୈଁ ଜାଟ ୟମଲା, ଅକେଲେ ଅକେଲେ, ଏ ଫୁଲୋଁ କୀ ରାନୀ, ୟେ ପରଦା ହଟା ଦୋ, ହମ ତୁହ୍ମାରେ ଲିୟେ, ଏକ ବାର ରଖ ଦୋ। ଚିତ୍ରାୟନ ମନମୁଗ୍ଧକର।
ଯେଉଁମାନେ ଇତିହାସ ଓ ପୁରାତତ୍ତ୍ବ ଆଦି ବିଷୟରେ ଗବେଷଣା କରୁଛନ୍ତି ସେମାନେ ଓଡିଆ ସଂସ୍କୃତିର ବ୍ଯାଖ୍ଯା ଠିକ ଭାବରେ କରିପାରିବେ ନାହିଁ। ସେହିପରି ଯିଏ ସାହିତ୍ୟର କଳ୍ପନା ରାଜ୍ୟରେ ବୁଡି ରହିଛନ୍ତି ତାଙ୍କ ପକ୍ଷରେ ବର୍ତ୍ତମାନର ବାସ୍ତବିକତାକୁ ଗ୍ରହଣ କରିବା କଷ୍ଟ। ଆଗରୁ ଏମିତି ଥିଲା ବା ସେମିତି ଥିଲା ଏକଥା ଏଣିକି କହି କିଛି ଲାଭ ନାହିଁ।
ରାଜନୈତିକ ଦଳଗୁଡିକର ବାହାରେ ଲୋକମାନଙ୍କୁ ଏକାଠି କରିବା କିଛି ସହଜ କଥା ନୁହେଁ। କୋଉ ବିଷୟ ଉପରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାକୁ ସ୍ଥିର କରିବାପାଇଁ ଯେଉଁ ସାମୂହିକ ବିଚାର ବିମର୍ଶ ଦରକାର, ତାର ମଧ୍ୟ ଅଭାବ। ସେ ଦୃଷ୍ଟିରୁ ଭାବପ୍ରବଣ ହୋଇ ସ୍ପର୍ଶକାତର ପ୍ରସଙ୍ଗରେ ହୁଁମସ୍ତିଆ ହୋଇ ମାଡିଯିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ।
ସମୟ ସ୍ରୋତରେ ହିଁ ପରିବର୍ତ୍ତନ ଆସେ। କିନ୍ତୁ ସମୟ ହେବା ଆଗରୁ ଯେତେ ବାଡେଇପିଟି ହେଲେ ମଧ୍ୟ କିଛି ବଦଳେ ନାହିଁ। ଦିନ ଥିଲା ଏଇ ପୃଥିବୀରେ ଘାସଟିଏ ବି କଅଁଳୁ ନଥିଲା। ଆଜି ପୁଣି ମଣିଷ ମଙ୍ଗଳଗ୍ରହକୁ ଯିବାର ସ୍ବପ୍ନ ଦେଖୁଛି। ମଣିଷର ବି ବିବର୍ତ୍ତନ ହେବାର ଆଶ୍ବାସନା ଶ୍ରୀଅରବିନ୍ଦ ଦେଇଛନ୍ତି ଯଦ୍ଦ୍ବାରା ଏକ ଆଦର୍ଶ ସମାଜ ପ୍ରତିଷ୍ଠିତ ହେବ।
ଟିଭି ଦେଖି ରାଜନୀତିରେ ଦଖଲ ଆସିଗଲା ବୋଲି ଭାବିବା କିଛି ବିଚିତ୍ର ନୁହେଁ କିନ୍ତୁ ମା ପେଟରେ ରହିବା ଦିନଠାରୁ ଶବସତ୍କାର ପର୍ଯ୍ୟନ୍ତ ସମାଜରେ ମଣିଷର ଯାବତୀୟ କ୍ରିୟାକଳାପକୁ ନେଇ ଯେଉଁ ନାନାବିଧ ବିଚାର ବିବେଚନା ରହିଛି ସେ ସମସ୍ତ ବିଷୟରେ ଅବଗତ ହେବା ଏତେ ସହଜ ନୁହେଁ। ବହିଟିଏ ପଢିଲେ ହିଁ ନିଜ ଅଜ୍ଞାନତାର ପରିଧି କେତେ ବଡ ତାହା ଜାଣିହୁଏ।
ଦଶ ବର୍ଷ ଭିତରେ ଦଶ ହଜାର ନିଘା ବି ହେଲାନାହିଁ। ଆଉ କଣ ଏପରି ଯାଦୁକରୀ ମୂର୍ଚ୍ଛନା କେବେ ସୃଷ୍ଟି ହୋଇ ପାରିବ?
youtu.be/cJ39oQYLYic?si…
ସିଆଲଦହ ଠାରୁ ରାଣାଘାଟ ପର୍ଯ୍ୟନ୍ତ ପ୍ରଥମ ରେଳଗାଡି ସେପ୍ଟେମ୍ବର ୨୯, ୧୮୬୨ରେ ଆରମ୍ଭ ହୋଇଥିଲା। ମୋର ତ ନିତିଦିନିଆ ବାଟ। ଆଜି ସେହି ପଥରେ ଗୋଟିଏ ଏସି ଲୋକାଲ ଟ୍ରେନର ଶୁଭାରମ୍ଭ ହେଲା। ପଶ୍ଚିମବଙ୍ଗ ଯେଉଁ ତଳିତଳାନ୍ତ ଅବସ୍ଥାରେ ଅଛି ସେ ଦୃଷ୍ଟିରୁ ଛୋଟିଆ ଉନ୍ନତିଟିଏ ବି ଏକ ବିରାଟ ବରଦାନ ବୋଲି ବୋଧହୁଏ। ବ୍ଯାରାକପୁରକୁ ମେଟ୍ରୋ ଆସିପାରେ।
ତିନୋଟି ଗୀତ ଆଲୋଡନ ଅନେକ:
କିଛି ଲୋକ ଦେଇ ଜାଣନ୍ତି ଖାଲି ଦୁଃଖ
କଥା ତ ଏତିକି ତୁମେ ମୋ ପାଇଁ
ଏ ମିଳନ କାହାଣୀ ଆମ ଜୀବନର
x.com/NathTusar/stat…
x.com/NathTusar/stat…
ଅନେକ ଅନେକ ଦିନ ଧରି ଗୀତରେ ଅନେକ ପୁରୁଣା ସ୍ମୃତିର ସମାରୋହ।
ଆଉ ଗୋଟିଏ ଅଜଣା କଣ୍ଠ ସହିତ ମଧ୍ୟ ଇତିହାସ ଜୋଡି ହୋଇ ଯାଇଛି!
ଡଃ ବୈଦ୍ୟନାଥ ରଥଙ୍କ ସାନଝିଅ ସ୍ବାଗତିକା ରଥ। ବାହା ହେଲା ପରେ ମହାପାତ୍ର। ଚିହ୍ନା ଅଚିହ୍ନାରେ ଚାନ୍ଦ ନା ତୁମେ ତାରା ବୋଲିବା ପାଇଁ ବାସୁଦେବ ରଥ ତାଙ୍କୁ ସୁଯୋଗ ଦେଇଥିଲେ। ଅବଶ୍ୟ, ଆଗରୁ ସେ ଗାଇ ଶୁଣାଇଥିବା ଯୋଗୁ ବୋଉଲୋ କି କହିବି ଗୀତ ଅଦିନ ମେଘ କଥାଚିତ୍ରରେ ସ୍ଥାନ ପାଇଥିଲା। ସାକ୍ଷାତକାରରେ ତାଙ୍କର କୋକିଳ କଣ୍ଠ ଶୁଣି ଖୁସି ଲାଗିଲା।
ଘର ସଂସାର କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରାଖାଲ ମହାନ୍ତି ଓ ଭି ବାଲସରା। ଏଥିରେ ବାଦ୍ୟଯନ୍ତ୍ରର ଯେଉଁ ସମ୍ଭାର ରହିଛି ସେଥିରୁ ପରବର୍ତ୍ତୀ ଅନେକ ଗୀତ ଧାର ନେଇଥିବା ମନେହୁଏ। ଶ୍ରାବନ୍ତୀ ମଜୁମଦାରଙ୍କ ବୋଧେ ଏଇ ଗୋଟିଏ ଓଡିଆ ଗୀତ। ଏହା ପୂର୍ବରୁ ସୁଜାତା ମୁଖାର୍ଜୀ ଗାଇଥିଲେ ଝୁମି ଝୁମି ଆସେ ଆଖି।
ଛାନ୍ଦ ସ୍ବରରେ ଶ୍ରୀମାଙ୍କ ପ୍ରାର୍ଥନା।
ପ୍ରାୟ ସମସ୍ତେ ଶୁଣିଥିବେ ଏହି ଲୋକପ୍ରିୟ ଗୀତଟିକୁ। ତଥାପି ଆଉଥରେ ଶୁଣିଲେ କିଛି ଦୋଷ ନାହିଁ।
ପଲ୍ଲବୀ
ମୋକ୍ଷ
No comments:
Post a Comment